ଏନଡିଟିଭିର ଅଂଶଧନ କିଣିବ ଅଦାନୀ ଗ୍ରୁପ୍

 

ନୂଆଦିଲ୍ଲୀ : ଦେଶର ଅନ୍ୟତମ ଲୋକପ୍ରିୟ ଗଣମାଧ୍ୟମ ଏନଡିଟିଭିରେ ନିବେଶ କରିବେ ଶିଳ୍ପପତି ଗୌତମ ଅଦାନୀ । ଅଦାନୀ ଗ୍ରୁପର ଗଣମାଧ୍ୟମ କମ୍ପାନି ଏଏମଜି ମିଡିଆ ନେଟଓ୍ବର୍କ ଲିଃ ଏହାର  ଆଉ ଏକ ଶାଖା କମ୍ପାନି ବିଶ୍ବପ୍ରଧାନ କମର୍ସିଆଲ ମାଧ୍ୟମରେ ଏନଡିଟିଭି ଗ୍ରୁପରେ ଥିବା ଏହାର ପ୍ରମୋଟର ଆରଆରପିଆର ହୋଲଡିଂସ ପ୍ରା. ଲିଃର ୨୬ ପ୍ରତିଶତ ଅଂଶଧନ କିଣିବାକୁ ଖୋଲା ଅଫର ଦେଇଛି । ଅଂଶଧନ ପିଛା ୨୯୪ ଟଙ୍କା ମୂଲ୍ୟରେ ଏହି ଅଫର ଦିଆଯାଇଛି । ଯଦି ଏହି ଅଧିଗ୍ରହଣ ସଫଳ ହୁଏ, ତେବେ ଏନଡିଟିଭିରେ ଅଦାନୀ ଗ୍ରୁପର ମୋଟ ଅଂଶଧନ ୫୫.୧୮ ପ୍ରତିଶତକୁ ବୃଦ୍ଧି ପାଇବ । ଏହା ବାଦ, ଅଦାନୀ ଗ୍ରୁପ ଆଉ ୨୯.୧୮ ପ୍ରତିଶତ ଅଂଶଧନ କିଣିବାକୁ ଯୋଜନା କରୁଛି । ଏସବୁ ଅଧିଗ୍ରହଣ ସଫଳ ହେଲେ ଏନଡିଟିଭି ସଂପୂର୍ଣ୍ଣ ଭାବେ ଅଦାନୀ ଗ୍ରୁପ ନିୟନ୍ତ୍ରଣରେ ରହିବ ଓ ଏନଡିଟିଭିରୁ ଏହାର ବର୍ତ୍ତମାନର ପ୍ରମୋଟର ପ୍ରଣୟ ରାୟ ଓ ରାଧିକା ରାୟ ( ଆରଆରପିଆର) ବାହରି ଯିବେ ।

ଏନଡିଟିଭି ଗ୍ରୁପ ଅଧିନରେ ଏବେ ୩ଟି ଟିଭି ଚ୍ୟାନେଲ ରହିଛି । ସେଗୁଡ଼ିକ ହେଉଛି ଏନଡିଟିଭି ୨୪x୭ (ଇଂରାଜୀ ନ୍ୟୁଜ ଚ୍ୟାନେଲ), ଏନଡିଟିଭି ଇଣ୍ଡିଆ ଓ ଏନଡିଟିଭି ପ୍ରଫିଟ୍ । ପୂର୍ବରୁ ଏନଡିଟିଭିର ଆଉ ଏକ ଚ୍ୟାନେଲ ଏନଡିଟିଭି ଗୁଡ ଟାଇମ୍ସ ଥିଲା, ତେବେ କିଛି ବର୍ଷ ପୂର୍ବେ ତାହା ବନ୍ଦ ହୋଇଯାଇଥିଲା ।

ଏହି ଅଧିଗ୍ରହଣ ସଫଳ ହେଲେ ଅଦାନୀ ଗ୍ରୁପର ଗଣମାଧ୍ୟମ କମ୍ପାନି ଏଏମଜି ମିଡିଆ ନେଟଓ୍ବର୍କ ଲିଃ ଗଣମାଧ୍ୟମ ଶିଳ୍ପରେ ନିଜର ସ୍ଥିତିକୁ ମଝବୁତ କରିପାରିବ ।

 

 

ସମ୍ବନ୍ଧିତ ଖବର