ନୂଆଦିଲ୍ଲୀ : ବନ୍ଦର, ଖଣି ଏବଂ ଅନ୍ୟାନ୍ୟ ବ୍ୟବସାୟ ପରେ ଆଦାନି ଗ୍ରୁପ୍ ଏବେ ଓଡ଼ିଶାରେ ଏକ ବଡ଼ ସଡ଼କ ନିର୍ମାଣ ପ୍ରକଳ୍ପ ହାତେଇଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)ଠାରୁ କମ୍ପାନି ୧୧୬୯.୧୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଛି। ଆଦାନି ଏଣ୍ଟରପ୍ରାଇଜେସ୍ର ଶତ ପ୍ରତିଶତ ସହାୟକ କମ୍ପାନି ଆଦାନି ରୋଡ୍ ଟ୍ରାନ୍ସପୋର୍ଟ ଲିମିଟେଡ (ଏଆର୍ଟିଏଲ୍)କୁ ଏହି ପ୍ରକଳ୍ପ ମିଳିଛି। ହାଇବ୍ରିଡ୍ ଆନୁଇଟି ମୋଡ୍ରେ କମ୍ପାନି ଏହି ପ୍ରକଳ୍ପର ବିକାଶ କରିବ।
ମିଳିଥିବା ସୂଚନା ଅନୁଯାୟୀ, ରାୟପୁର-ବିଶାଖାପାଟଣା ଅର୍ଥନୈତିକ କରିଡର ଅଧୀନରେ ଜାତୀୟ ରାଜପଥ ୧୩୦ ସିଡିର ବଡ଼କୁମାରୀ-କାର୍କି ସେକ୍ସନ କାର୍ଯ୍ୟ ଏହି କମ୍ପାନି କରିବ। ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଗତକାଲି ଏ ନେଇ କମ୍ପାନି ସୂଚନା ଦେଇଛି। ଉକ୍ତ ପ୍ରକଳ୍ପର ମୂଲ୍ୟ ୧୧୬୯.୧୦ କୋଟି ଟଙ୍କା ହୋଇଥିବା ବେଳେ ନିର୍ମାଣ ଅବଧି ୨ ବର୍ଷ। ଅଂଶଧାରୀଙ୍କ ଲାଭ ପାଇଁ ପରିବହନ କ୍ଷେତ୍ରରେ ରହିଥିବା ଆକର୍ଷଣୀୟ ସୁଯୋଗର ଅନୁସନ୍ଧାନକୁ କମ୍ପାନି ଜାରି ରଖିବ ବୋଲି କହିଛି। ଭିତ୍ତିଭୂମି ନିର୍ମାଣ ପାଇଁ ରହିଥିବା ବିଶେଷ ଦକ୍ଷତା ଓ ଅଭିଜ୍ଞତାକୁ କମ୍ପାନି ଏଥିପାଇଁ ଉପଯୋଗ କରିବ। ବିଶ୍ବଶ୍ରେଣୀର ଭିତ୍ତିଭୂମି ରେକର୍ଡ ସମୟ ମଧ୍ୟରେ ନିର୍ମାଣ କରିବା ସହିତ ସେଗୁଡ଼ିକର ପରିଚାଳନା ଦକ୍ଷତା କମ୍ପାନି ନିକଟରେ ରହିଛି।
ଏହି ପ୍ରକଳ୍ପ ହାତେଇବା ପରେ ଆଦାନି ଗ୍ରୁପ୍ ଏଚଏଏମ୍, ଟିଓଟି (ଟୋଲ୍-ଅପରେଟ୍-ଟ୍ରାନ୍ସଫର) ଏବଂ ବିଲ୍ଡ-ଅପରେଟ୍-ଟ୍ରାନ୍ସଫର ଯୋଜନାରେ ଜାତୀୟ ରାଜପଥର ପ୍ରକଳ୍ପ କାମ ସଂଖ୍ୟା ୧୦ରେ ପହଞ୍ଚିଛି। ଏହିସବୁ ପ୍ରକଳ୍ପ ଗୁଡ଼ିକ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ପଶ୍ଚିମବଙ୍ଗ ସମେତ ଓଡ଼ିଶାରେ ରହିଛି।
ଉଲ୍ଲେଖଯୋଗ୍ୟ, ହାଇବ୍ରିଡ୍ ଆନୁଇଟି ମୋଡ୍ ବା ଏଚ୍ଏଏମ୍ ହେଉଛି ଏକ ହାଇବ୍ରିଡ୍ ମଡେଲ। ଏଥିରେ ଇପିସି (ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ୍ ଏବଂ କନଷ୍ଟ୍ରକସନ) ଏବଂ ବିଓଟି (ବିଲ୍ଡ-ଅପରେଟ୍-ଟ୍ରାନ୍ସଫର) ମଡେଲର ଏକ ହାଇବ୍ରିଡ୍ ରୂପ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କର ଏହା ମାନସ ସନ୍ତାନ। ୨୦୧୬ ମସିହାରୁ ଦେଶରେ ଏଚଏଏମ୍ ମଡେଲ କାର୍ଯ୍ୟକାରୀ ହେଉଛି। ଇପିସି ମଡେଲରେ ଏନଏଚଏଆଇ ଘରୋଇ କମ୍ପାନିକୁ ରାସ୍ତା ନିର୍ମାଣ କାର୍ଯ୍ୟ ଦେଇଥାଏ। କିନ୍ତୁ ସଡ଼କର ମାଲିକାନାରେ ଘରୋଇ କମ୍ପାନିର କୌଣସି ଭୂମିକା ନଥାଏ। ରାସ୍ତାର ମାଲିକାନା ସମେତ ଟୋଲ୍ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ସରକାରଙ୍କ ପାଖରେ ରହିଥାଏ। କିନ୍ତୁ ବିଓଟି ମଡେଲରେ ସଡ଼କ ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ଘରୋଇ କମ୍ପାନି ଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ୧୦ କିମ୍ବା ୧୫ ବର୍ଷ ପାଇଁ ଘରୋଇ କମ୍ପାନି ଅଧୀନରେ ରାସ୍ତା ଦାୟିତ୍ବ ରହିବା ପରେ ସରକାରଙ୍କୁ ହସ୍ତାନ୍ତର ହୋଇଥାଏ। ହାମ୍ ମଡେଲରେ ୪୦ ପ୍ରତିଶତ କାର୍ଯ୍ୟ ଇପିସିରେ ଏବଂ ୬୦ ପ୍ରତିଶତ କାର୍ଯ୍ୟ ବିଓଟି-ଆନୁଇଟିରେ ହୋଇଥାଏ। ସରକାରଙ୍କ ପକ୍ଷରୁ ଏନଏଚଏଆଇ ପ୍ରକଳ୍ପ ମୂଲ୍ୟର ୪୦ ପ୍ରତିଶତ ଦେଉଥିବାବେଳେ ଅବଶିଷ୍ଟ ୬୦ ପ୍ରତିଶତ ରାଶି କମ୍ପାନି ସଂଗ୍ରହ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/highway-istock-969575-1617380871.jpg)