ଏସିଆର ଦ୍ବିତୀୟ ବଡ଼ ଧନୀ ମୁକେଶ ଏକ ନମ୍ବର
ଝୁନ୍‌ଝୁନ୍‌ୱାଲାଙ୍କୁ ପଛରେ ଛାଡ଼ିଲେ ବାଇଜୁ
୧୦୦୭ ଜଣଙ୍କ ସମ୍ପତ୍ତି ୧୦୦୦ କୋଟିରୁ ଅଧିକ

Advertisment

ନୂଆଦିଲ୍ଲୀ : ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇ ସମସ୍ତଙ୍କୁ ଚକିତ କରିଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ଦୈନିକ ଆୟ ହେଉଛି ୧୦୦୨ କୋଟି ଟଙ୍କା। ସେ ଚୀନ୍‌ର ଝୋଙ୍ଗ୍‌ ସାନ୍‌ସାନ୍‌ଙ୍କୁ ହଟାଇ ଏସିଆର ଦ୍ବିତୀୟ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ତାଙ୍କ ମୋଟ ସମ୍ପତ୍ତି ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ଆଜି ଜାରି ହୋଇଥିବା ଆଇଆଇଏଫ୍‌ଏଲ୍‌ ହୁରୁନ୍ ଭାରତୀୟ ଧନୀ ତାଲିକାରୁ ଜଣାପଡ଼ିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ସହ କ୍ରମାଗତ ଦଶମ ବର୍ଷ ଲାଗି ଭାରତର ଏକ ନମ୍ବର ଧନୀ ମାନ୍ୟତା ହାସଲ କରିଛନ୍ତି। ଶ୍ରେଷ୍ଠ ୧୦ ଧନୀଙ୍କ ଭିତରେ ଆର୍ସେଲର ମିତ୍ତଲ୍‌ର ଲକ୍ଷ୍ମୀ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ୍ ବିର୍ଲାଙ୍କ ନାମ ମଧ୍ୟ ରହିଛି। କାଲିଫର୍ଣ୍ଣିଆରେ ଜେଡ୍‌ସ୍କାଲର୍‌ ନାମକ ସାଇବର୍‌ ନିରାପତ୍ତା ସଂସ୍ଥା ସ୍ଥାପନ କରିଥିବା ଜୟ ଚୌଧୁରୀ ପ୍ରଥମ ଥର ଲାଗି ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରେ ପ୍ରବେଶ କରିଛନ୍ତି।

ହୁରୁନ୍ ଧନୀ ତାଲିକା ୨୦୨୧ରୁ ଏଡିଏଜି ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନି, କିଙ୍ଗଫିସରର ବିଜୟ ମାଲ୍ୟା, ଭିଡିଓକନ୍‌ର ବେଣୁଗୋପାଳ ଧୁତ୍‌, ୟେସ୍ ବ୍ୟାଙ୍କର ରାଣା କୁପର, ଫାୟାରଷ୍ଟାର୍‌ ଡାଇମଣ୍ଡ୍‌ସର ନିରବ ମୋଦୀ, ଗୀତାଞ୍ଜଳିର ମେହୁଲ ଚୋକ୍‌ସି ଓ ରାନ୍‌ବାକ୍ସିର ଶିବିନ୍ଦର ସିଂହ ବିଦାୟ ନେଇଛନ୍ତି। ଏମାନଙ୍କୁ ଧନୀ ତାଲିକାରେ ସ୍ଥାନ ମିଳିନାହିଁ। ସଂଯୋଗର ବିଷୟ ହେଉଛି ଏହି ସମସ୍ତ ବ୍ୟକ୍ତି ଋଣ ଜାଲରେ ଛନ୍ଦି ହୋଇ ସମ୍ପତ୍ତି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଣ ଠକେଇ କରି ନିନ୍ଦିତ ମଧ୍ୟ ହୋଇଛନ୍ତି।

ଚଳିତ ବର୍ଷର ଧନୀ ତାଲିକାରେ ୧୩ ଜଣ ଯୁବବର୍ଗର ‌ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ନବେ ଦଶକରେ ଜନ୍ମ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ସାନ ହେଉଛନ୍ତି ଭାରତପେ’ ଆପ୍‌ର ପ୍ରତିଷ୍ଠାତା ଦିଲ୍ଲୀର ୨୩ ବର୍ଷୀୟ ଯୁବକ ଶାଶ୍ବତ ନାକରାନି। ଭାରତରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ମାଲିକଙ୍କ ସଂଖ୍ୟା ୧୦୦୭ରେ ପହଞ୍ଚିଛି। ସମ୍ପତ୍ତି ମାମଲାରେ ଚର୍ଚ୍ଚିତ ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କୁ ବାଇଜୁସ୍‌ର ମୁଖ୍ୟ ବାଇଜୁ ରବିନ୍ଦ୍ରନ୍ ପଛରେ ପକାଇ ଦେଇଛନ୍ତି। ଧନୀ ତାଲିକାରେ ଥିବା ୮୯୪ ଜଣଙ୍କ ସମ୍ପତ୍ତି ଏବର୍ଷ ବୃଦ୍ଧି ପାଇଥିବା ବେଳେ ୧୧୩ ଜଣଙ୍କ ସମ୍ପତ୍ତି ହ୍ରାସ ପାଇଛି। ୫୧ ଜଣ ଧନୀ ତାଲିକାରୁ ବାହାରି ଯାଇଥିବା ବେଳେ ୨୨୯ଟି ନୂଆ ଚେହେରା ତାଲିକାରେ ପ୍ରବେଶ କରିଛନ୍ତି ଓ ୬ ଜଣଙ୍କର ପ‌ରଲୋକ ହୋଇଛି। ସର୍ବାଧିକ ଧନୀ ସୃଷ୍ଟି କରିବା ତାଲିକାରେ ମୁମ୍ବାଇ (୨୫୫) ପ୍ରଥମ ସ୍ଥାନରେ ଥିବା ବେଳେ ଦିଲ୍ଲୀ (୧୬୭) ଓ ବେଙ୍ଗାଲୁରୁ (୮୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି। ଅହମ୍ମଦାବାଦକୁ ଚେନ୍ନାଇ ପଞ୍ଚମ ସ୍ଥାନରୁ ହଟାଇଛି। ସୋସିଆଲ୍ ମିଡିଆରେ ରତନ ଟାଟାଙ୍କ ସର୍ବାଧିକ ୧୦ ନିୟୁତ ଅନୁଗାମୀ ଥିବା ବେଳେ ୮.୫ ନିୟୁତ ଅନୁଗାମୀଙ୍କ ସହ ଆନନ୍ଦ ମହିନ୍ଦ୍ରା ଦ୍ବିତୀୟ ସ୍ଥାନରେ ରହିଛନ୍ତି।