ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବେ ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇବା ଲାଗି ଚର୍ଚ୍ଚିତ ଥିବା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ଚଳିତ ବର୍ଷ ସମ୍ପତ୍ତି ହରାଇବାରେ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କଠାରୁ କେବଳ ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଅଧିକ ସମ୍ପତ୍ତି ହରାଇଛନ୍ତି। ୨୦୨୫ରେ ଆଦାନୀ ୧୧.୯ ବିଲିୟନ୍ ଡଲାର ହରାଇସାରିଲେଣି। ଭାରତୀୟ ମୁଦ୍ରାରେ ତାହା ହେଉଛି ୧ ଲକ୍ଷ ୩ ହଜାର କୋଟି ଟଙ୍କାରୁ ଅଧିକ। ଆଦାନୀଙ୍କ ମୋଟ ସମ୍ପତ୍ତି ୬୬୮୦ କୋଟି ଡଲାରକୁ ହ୍ରାସ ପାଇଛି। ମସ୍କ ଏହି ସମୟରେ ୩୫୨୦ କୋଟି ଡଲାର ହରାଇ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୩୯୭୦ କୋଟି ଡଲାରକୁ ହ୍ରାସ ପାଇଛି। କେବଳ ଏହି ଦୁଇ ଉଦ୍ୟୋଗପତି ନୁହେଁ, ଅନ୍ୟମାନେ ମଧ୍ୟ ସମ୍ପତ୍ତି ହରାଇଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨୯୦ କୋଟି ଡଲାର ହ୍ରାସ ପାଇ ୮୭୭୦ କୋଟି ଡଲାର ହୋଇଛି। ଏଚ୍ସିଏଲ୍ ଟେକ୍ର ଶିବ ନାଦରଙ୍କ ସମ୍ପତ୍ତିରେ ମଧ୍ୟ ୪୫୩ କୋଟି ଡଲାରର ହ୍ରାସ ଘଟିଛି। ସମ୍ପତ୍ତିରେ ହ୍ରାସ ସତ୍ତ୍ବେ ମସ୍କ ବିଶ୍ବର ଏକ ନମ୍ବର ଧନୀ ହୋଇରହିଛନ୍ତି। ତାଙ୍କ ପଛକୁ ତାଲିକାରେ ରହିଛନ୍ତି ମେଟା ସିଇଓ ମାର୍କ ଜୁକର୍ବର୍ଗ, ଆମାଜନର ମୁଖ୍ୟ ଜେଫ୍ ବେଜୋସ୍, ଓରାକଲ୍ର ପ୍ରତିଷ୍ଠାତା ଲାରି ଏଲିସନ୍, ଏଲ୍ଏଚ୍ଏମ୍ଭିର ଅଧ୍ୟକ୍ଷ ଓ ସିଇସ ବର୍ନାର୍ଡ ଆର୍ନଲ୍ଟ ଓ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ।