ନୂଆଦିଲ୍ଲୀ: ରିଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ଘେବାର କୌଣସି ସୁଯୋଗ କଂଗ୍ରେସ ହାତଛଡ଼ା କରୁନାହିଁ। ଯେହେତୁ ମୋଦୀ ସରକାର ଓ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ଭିତ‌‌ରେ ଘନିଷ୍ଠତା ଥିବା ବିଶ୍ବାସ କରାଯାଉଛି, ସେଥିପାଇଁ ଏହି ମାମଲା ବାହାନରେ ସରକାରଙ୍କୁ ଘେରିବା ଲାଗି କଂଗ୍ରେସ ଉଦ୍ୟମ କରୁଛି। ନିକଟରେ ଏହା ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲା।‌ ସେବି ମୁଖ୍ୟ ଥାଇ ଆଇସିଆଇସିଆଇ ବ୍ୟାଙ୍କଠାରୁ ଦରମା ପାଉଥିବା ଏବଂ ତଦନ୍ତ ସାମ୍ନା କରୁଥିବା ଏକ କମ୍ପାନିର ସହାୟକ ସଂସ୍ଥାଠାରୁ ଭଡ଼ା ପାଉଥିବା ନେଇ ଅଭିଯୋଗ କରାଯାଇଥିଲା। ଉଭୟ ସଂସ୍ଥା କଂଗ୍ରେସ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏବେ ସେବି ବିରୋଧରେ କଂଗ୍ରେସ ନୂଆ ଅଭିଯୋଗ ଅାଣିଛି। ମରିସସ୍‌ର ଯେଉଁ ଦୁଇଟି ଫଣ୍ଡ ବିଷୟରେ ହିଣ୍ଡେନ୍‌ବର୍ଗ ଆଲୋଚନା କରିଥିଲା, ସେହି ଦୁଇ ଫଣ୍ଡ ଆଶ୍ବସ୍ତି ପାଇବା ଲାଗି ସିକ୍ୟୁରିଟିଜ୍ ଆପେଲିଟ୍ ଟ୍ରିବ୍ୟୁନାଲ୍ ନିକଟରେ ଆବେଦନ କରିବା ପରେ କଂଗ୍ରେସ ସେବିଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି। 

Advertisment

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସେବିକୁ ବହୁତ କିଛି ସ୍ପଷ୍ଟ କରିବାକୁ ପଡ଼ିବ। ଗୋଟିଏ ନିର୍ଦ୍ଦିଷ୍ଟ ଷ୍ଟକ୍‌ରେ ଅତ୍ୟଧିକ ନିବେଶକୁ ରୋକିବା ଲାଗି ନିୟମ ରହିଛି। ଦେଶ ବାହାରକୁ ଯାଉଥିବା କଳାଧନ ଷ୍ଟକ୍‌ ବଜାର ଜରିଆରେ ପୁଣି ଥରେ ଦେଶକୁ ଫେରିବାର ଥିବା ଆଶଙ୍କାକୁ ଦୂର କରିବା ଲାଗି ଏହି ନିୟମ ପ୍ରଣୟନ କରାଯାଇଥିଲା। ମରିସସ୍‌ର ସେହି ଦୁଇ ଫଣ୍ଡ ଉକ୍ତ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଥିବା ସେ କହିଛନ୍ତି। ଦୁଇ ମାସ ଭିତରେ ଯେଉଁ ତଦନ୍ତ ଶେଷ ହେବାର ଥିଲା ତାହା ୧୮ ମାସ ବିତିଯାଇଥିଲେ ମଧ୍ୟ ସେବି ଶେଷ କରୁନାହିଁ। ନିଜ ମୁଖ୍ୟଙ୍କ ବହୁ ଦ୍ବେତ ସ୍ବାର୍ଥ କାରବାରଠାରୁ ଆରମ୍ଭ କରି ଅନେକ ବିଷୟରେ ସେବିକୁ ବହୁତ କିଛି ସ୍ପଷ୍ଟ କରିବାର ଅଛି ବୋଲି ସେ କହିଛନ୍ତି।