ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଅଭିଯୋଗରୁ ବହୁ କଷ୍ଟରେ ମୁକୁଳିଥିବା ଆଦାନୀ ଗ୍ରୁପ୍ ବିରୋଧରେ କିଛିଦିନ ତଳେ ଆମେରିକା ଲାଞ୍ଚ ଅଭିଯୋଗ ଆଣିଥିଲା। ଏବେ ତାଙ୍କୁ ନେଇ ଆମେରିକାରେ ଆଉ ଏକ ମାମଲାରେ ତଦନ୍ତ ଆରମ୍ଭ ହୋଇଥିବା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦାବି କରିଛି। ମୁନ୍ଦ୍ରା ବନ୍ଦର ଜରିଆରେ କମ୍ପାନି ଇରାନରୁ ମଗାଇଥିବା ଏଲ୍ପିଜିକୁ ନେଇ ଆମେରିକା ତଦନ୍ତ କରୁଛି। ଆମେରିକା ଲଗାଇଥିବା କଟକଣାକୁ ଏଡ଼ାଇ ଏହି କାରବାର ହୋଇଥିଲା। ଆଦାନୀ ଏଣ୍ଟରପ୍ରାଇଜେଓ୍କୁ ଏଲ୍ପିଜି ଯୋଗାଣରେ ବ୍ୟବହାର ହୋଇଥିବା ପଣ୍ୟବାହୀ ଜାହାଜଗୁଡ଼ିକର ସମୀକ୍ଷା କରୁଛି ଆମେରିକାର ଆଇନ ବିଭାଗ।
ତେବେ କଟକଣାକୁ ଏଡ଼ାଇବା ଲାଗି ଜାଣିଶୁଣି କୌଣସି କାରବାର ହୋଇ ନଥିବା ଆଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଆମେରିକାରେ କୌଣସି ତଦନ୍ତ ହେଉଥିବା ସମ୍ପର୍କରେ ଆମେ ଜାଣିନାହୁଁ ବୋଲି କମ୍ପାନି କହିଛି। ଗତ ମେ’ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନରୁ ତେଲ ଓ ଅନ୍ୟାନ୍ୟ ପେଟ୍ରୋଲିୟମ୍ ଉତ୍ପାଦ କିଣିବା ବନ୍ଦ ହେବା ଦରକାର। ଯେକୌଣସି ବ୍ୟକ୍ତି କିମ୍ବା ଦେଶ କିଣୁଥିବେ, ସେମାନଙ୍କ ଉପରେ ତତ୍କାଳ ମାଧ୍ୟମିକ କଟକଣା ଲାଗୁ କରାଯିବ ବୋଲି ସେ କହିଥିଲେ। ଆମେରିକାରେ କମ୍ପାନି ବିରୋଧରେ ଏହି ତଦନ୍ତ ଲାଞ୍ଚ ଅଭିଯୋଗର କିଛି ମାସ ପରେ ଆରମ୍ଭ ହୋଇଛି। ଆମେରିକା ପକ୍ଷରୁ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଭାରତରେ ଅକ୍ଷୟ ଶକ୍ତି ପ୍ରକଳ୍ପ ହାସଲ କରିବା ଲାଗି ଲାଞ୍ଚ କାରବାର କରିଥିବା ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଆଦାନୀ ଗ୍ରୁପ୍ ଭିତ୍ତିହୀନ ବୋଲି କହିଥିଲା।