ପୁରୀ: ଚଳିତବର୍ଷ ପ୍ରୟାଗରାଜ ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ବଡ଼ଧରଣର ସେବାକାର୍ଯ୍ୟ ପାଇଁ ଆଗେଇ ଆସିଛି। ୯ ଦିନ ବ୍ୟାପୀ ରଥଯାତ୍ରାରେ ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଆସିଥାନ୍ତି। ‘ସେବା ହିଁ ସାଧନା’ ବୋଲି ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ବାସ କରନ୍ତି। ସେଥିପାଇଁ କୁମ୍ଭମେଳା ଭଳି  ରଥଯାତ୍ରାରେ ସେବା କରିବାକୁ ଆଦାନୀ ଆସୁଛନ୍ତି। ରଥଯାତ୍ରା ପାଇଁ ଆଦାନୀ ଗ୍ରୁପ୍ ବ୍ୟାପକ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି। ଜୁନ ୨୬ରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ରଥଯାତ୍ରା ସହ ଜଡ଼ିତ ଆଗଧାଡ଼ିର ଅଧିକାରୀମାନଙ୍କୁ ଆଦାନୀ ଗ୍ରୁପ ସହଯୋଗ ଯୋଗାଇ ଦେବ। ଚଳିତବର୍ଷ ରଥଯାତ୍ରାରେ ଆଦାନୀ ଗ୍ରୁପ ପାଖାପାଖି ୪୦ ଲକ୍ଷ ଭୋଜନ ଏବଂ ପାନୀୟ ମାଗଣା ବଣ୍ଟନ କରିବ। ଏଥିପାଇଁ ଖାଦ୍ୟ କାଉଣ୍ଟରମାନ ଖୋଲିବ। ସେଠାରେ ଶ୍ରଦ୍ଧାଳୁ ଏବଂ ଅଧିକାରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବ। ଗରମରୁ ରକ୍ଷା ପାଇବା ପାଇଁ ପାନୀୟ କାଉଣ୍ଟରଗୁଡ଼ିକରେ ଥଣ୍ଡା ପାଣି ପ୍ରଦାନ କରାଯିବ। ଏଥିସହିତ ଅନ୍ୟାନ୍ୟ ସେବା ଭାବରେ ପୁରୀ ସମୁଦ୍ରରେ ଗାଧୋଉଥିବା ଲୋକଙ୍କ ସୁରକ୍ଷା ପାଇଁ ପୁରୀ ବିଚ୍‌ ଲାଇଫଗାର୍ଡ ମହାସଂଘକୁ କମ୍ପାନି ଲାଇଫଗାର୍ଡ ପ୍ରଦାନ କରିବ। ବେଳାଭୂମି ସଫେଇ, ବିଶେଷକରି ପ୍ଲାଷ୍ଟିକ ବର୍ଜ୍ୟ ସଫା କାର୍ଯ୍ୟ‌ରେ ସ୍ବେଚ୍ଛାସେବୀମାନେ ନିୟୋଜିତ ହେବେ।

Advertisment

ସ୍ବେଚ୍ଛାସେବୀମାନଙ୍କୁ ଟି-ସାର୍ଟ ଦିଆଯିବ। ସେହିଭଳି ମ୍ୟୁନିସିପାଲିଟିର କର୍ମୀମାନଙ୍କୁ ଫ୍ଲୁରୋସେଣ୍ଟ୍ ସେଫ୍ଟି ଭେଷ୍ଟ୍‌ ଦିଆଯିବ। ଏଥିସହିତ ଅଧିକାରୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ପ୍ରକାର ଜ୍ୟାକେଟ୍‌, ରେନ୍‌କୋଟ୍‌, ଟୋପି ଏବଂ ଛତା ପ୍ରଦାନ କରାଯିବ। ପୁରୀ ଜିଲ୍ଲା ପ୍ରଶାସନ, ଇସ୍କନ୍‌ ଏବଂ ସ୍ଥାନୀୟ ‌ସ୍ବେଚ୍ଛାସେବୀ ସଂଗଠନ ମିଳିତଭାବେ ଏହି କାର୍ଯ୍ୟ କରିବେ। ଓଡ଼ିଶାରେ ଆଦାନୀ ଗ୍ରୁପ୍ ଏହାର ଆଦାନୀ ଫାଉଣ୍ଡେସନ ଜରିଆରେ ଗ୍ରାମୀଣ ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ବିଦ୍ୟାଳୟ ଭିତ୍ତିଭୂମି ଏବଂ ଜୀବିକା ଆଦି ବିଭିନ୍ନ କ୍ଷେତ୍ରରେ ସେବାମୂଳକ କାର୍ଯ୍ୟ କରିଆସୁଛି। ଆଦାନୀ ଗ୍ରୁପ୍ ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟ ଭିତ୍ତିଭୂମି, ଶିକ୍ଷା ଓ ସ୍ବାସ୍ଥ୍ୟସେବା ଠାରୁ ଅଧିକ ବ୍ୟାପକ। ଦେଶରେ ଲୋକଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହି କମ୍ପାନି ସେବକଭାବେ କାର୍ଯ୍ୟ କରିଥାଏ। 

ଚଳିତବର୍ଷ ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପ୍ ଇସ୍କନ ଓ ଗୀତାପ୍ରେସ୍‌ ସହ ମିଶି ଖାଦ୍ୟ ବଣ୍ଟନଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଇଥିଲା। ଜାନୁଆରି ୨୧ ତାରିଖରେ କମ୍ପାନି ଅଧ୍ୟକ୍ଷ ଗୌତମ ଆଦାନୀ ଏହି କାର୍ଯ୍ୟରେ ନିଜକୁ ସାମିଲ କରି ବାର୍ତ୍ତା ଦେଇଥିଲେ ଯେ କମ୍ପାନି ପାଇଁ ସାମାଜିକ ସେବା ମଧ୍ୟ ଏକ ମୁଖ୍ୟ କାର୍ଯ୍ୟ। ପୁରୀ ରଥଯାତ୍ରାରେ ଲୋକଙ୍କୁ ସେବା ପ୍ରଦାନ ପାଇଁ କମ୍ପାନି ବହୁପୂର୍ବରୁ ଯୋଜନା କରିଛି।