ଆଦାନି ବିଶ୍ବର ଚତୁର୍ଥ ବଡ଼ ଧନୀ

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଦୁଇ ଗୁଣା ବୃଦ୍ଧି ଘଟିଛି। ସେ ବିଶ୍ବର ଚତୁର୍ଥ ବଡ଼ ଧନୀ ଭାବେ ଉଭା ହୋଇଛି। ଫୋର୍ବସ୍‌ ଧନୀ ତାଲିକାରେ ସେ ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସଙ୍କୁ ଚତୁର୍ଥ ସ୍ଥାନରୁ ପଦଚ୍ୟୁତ କରିଛନ୍ତି। ବିଲ୍ ଗେଟ୍‌ସ ଦାତବ୍ୟ କାର୍ଯ୍ୟ ପାଇଁ ୨୦୦୦ କୋଟି ଡଲାର ଦାନ କରିବା ପରେ ତାଙ୍କ ସମ୍ପତ୍ତି ହ୍ରାସ ପାଇଛି। ସେ ତାଲିକାର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତି ୧୧,୪୦୦ କୋଟି ଡଲାରରୁ ଅଧିକ ଥିବା ବେଳେ ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦,୨୦୦ କୋଟି ଡଲାରକୁ ଖସିଆସିଛି। ଫୋର୍ବସ୍ ଧନୀ ତାଲିକାରେ ୨୩,୦୦୦ କୋଟି ଡଲାର ସମ୍ପତ୍ତି ସହ ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ପ୍ରଥମ ସ୍ଥାନରେ ଥିବା ବେଳେ ଲୁଇ ଭୁଟନ୍‌ର ବର୍ନାର୍ଡ ଆର୍ନଲ୍ଟ ଦ୍ବିତୀୟ, ଆମାଜନ୍‌ର ଜେଫ୍‌ ବେଜୋସ୍‌ ତୃତୀୟ, ଆଦାନି ଚତୁର୍ଥ ଓ ବିଲ୍ ଗେଟ୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି। ୮,୮୦୦ କୋଟିରୁ ଅଧିକ ଡଲାରର ସମ୍ପତ୍ତି ସହ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି।

ସମ୍ବନ୍ଧିତ ଖବର