ମୁମ୍ବାଇ: ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକାର ଆଇନ ବିଭାଗ ଲାଞ୍ଚ କାରବାର ଅଭିଯୋଗ କରିବା ପରେ କମ୍ପାନିକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଗ୍ରୁପ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ଏହି ଅଭିଯୋଗ ହେବା ପରେ ଷ୍ଟକ୍ ବଜାରରେ କମ୍ପାନି ୪,୬୪,୨୩୬ କୋଟି ଟଙ୍କା (୫୫ ବିଲିଅନ୍ ଡଲାର) ହରାଇଛି। ଏହା ପୂର୍ବରୁ ୨୦୨୩ରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଅଭିଯୋଗ କରିବା ପରେ ଆଦାନୀ ଗ୍ରୁପ୍ ୧୫୦ ବିଲିଅନ୍ ଡଲାର (୧୨,୬୬,୧୧୭ କୋଟି ଟଙ୍କା) ହରାଇଥିଲା।
ଆମେରିକା ଅଭିଯୋଗ କରିବା ପରେ ତାହାର ବ୍ୟାପକ ପ୍ରଭାବ ପଡ଼ିଥିବା ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଆନ୍ତର୍ଜାତିକ ପ୍ରକଳ୍ପ ବାତିଲ, ଷ୍ଟକ୍ ବଜାରରେ ପ୍ରଭାବ, ଗୁରୁତ୍ବପୂର୍ଣ୍ଣ ସହଯୋଗୀ, ନିବେଶକ ଓ ଜନ ସାଧାରଣ ହଠାତ୍ ଯାଞ୍ଚ ଆରମ୍ଭ କରିଥିବା ଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି। କେନିଆରେ କମ୍ପାନିର ବିଦ୍ୟୁତ୍ ଓ ବିମାନବନ୍ଦର ପ୍ରକଳ୍ପ ବାତିଲ ହୋଇଛି। ଶ୍ରୀଲଙ୍କାରେ ଏହାର ବନ୍ଦର ପ୍ରକଳ୍ପ ପାଇଁ ପାଣ୍ଠି ଦେବା ପୂର୍ବରୁ ଆମେରିକାର ଏକ ସଂସ୍ଥା ଯଥାର୍ଥ ଆକଳନ କରୁଛି।
ଚଳିତ ମାସ ୨୦ରେ ଆମେରିକାର ଆଇନ ବିଭାଗ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଓ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଥିଲା ଓ କମ୍ପାନି ଆନ୍ତର୍ଜାତିକ ନିବେଶକଙ୍କୁ ଜାଣିଶୁଣି ବିଭ୍ରାନ୍ତ କରୁଥିବା କହିଥିଲା। ଭାରତରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଲାଗି କମ୍ପାନି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ତେବେ ସେହି ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରାଯାଇଛି। ଆଦାନୀ ଗ୍ରୁପ୍ ବୁଧବାର ସ୍ପଷ୍ଟୀକରଣ ଜାରି କରି ଜଣାଇଛି ଯେ ଆମେରିକା କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।
ଗୌତମ ଆଦାନୀ ଓ ସାଗର ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଦୁର୍ନୀତି ଅଭିଯୋଗ ନାହିଁ ବୋଲି କମ୍ପାନି ସ୍ପଷ୍ଟ କରିଛି। ତାଙ୍କ ବିରୋଧରେ କେବଳ ପ୍ରତିଭୂତି ଠକେଇ ଅଭିଯୋଗ ରହିଛି। ଅନ୍ୟ କୌଣସି ଅଭିଯୋଗ ତାଙ୍କ ନାମରେ ନାହିଁ ବୋଲି ଆଦାନୀ ଗ୍ରୁପ୍ ଜଣାଇଛି। କମ୍ପାନି ସ୍ପଷ୍ଟୀକରଣ ଦେବା ପରେ ଷ୍ଟକ୍ ବଜାରରେ ଆଦାନୀ ଗ୍ରୁପ୍ ଅଧୀନରେ ଥିବା କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଫଳରେ ଆଦାନୀ ଗ୍ରୁପ୍ର ବଜାର ପୁଞ୍ଜିରେ ପ୍ରାୟ ୧.୨୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। କରୋନା ମହାମାରୀ ସମୟରେ ସମଗ୍ର ବିଶ୍ବରେ ସବୁଠୁ ଦ୍ରୁତ ଗତିରେ ନିଜ ସମ୍ପତ୍ତି ବଢ଼ାଇବାରେ ଆଦାନୀ ଆଗରେ ଥିଲେ। ସେ ବିଶ୍ବର ବଛା ବଛା ଶିଳ୍ପପତିମାନଙ୍କୁ ପଛରେ ପକାଇ ଚତୁର୍ଥ ବଡ଼ ଧନୀ ଭାବେ ଉଭା ହୋଇଥିଲେ। ଆମେରିକାର ପ୍ରମୁଖ ଶିଳ୍ପପତି ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ ଆଦିଙ୍କୁ ସେ ପଛରେ ପକାଇ ଦେଇଥିଲେ। ସେହି ସମୟରେ ତାଙ୍କ ସମ୍ପତ୍ତି ୧୫,୦୦୦ କୋଟି ଡଲାରରୁ ଅଧିକ ଥିଲା ଯାହା ଏବେ ଅଧାରୁ ଅଧିକ ହ୍ରାସ ପାଇ ପ୍ରାୟ ୭୧୦୦ କୋଟି ଡଲାର ରହିଯାଇଛି। ଗୁଜରାଟର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଦାନୀ ୧୬ ବର୍ଷ ବୟସରେ ଅଧାରୁ ପାଠପଢ଼ା ଛାଡ଼ି ଜୀବିକା ସନ୍ଧାନରେ ମୁମ୍ବାଇ ଚାଲିଯାଇଥିଲେ। ସେଠାରେ ନିଜ ଭାଇଙ୍କ ପ୍ଲାଷ୍ଟିକ୍ ବ୍ୟବସାୟ ସହ କିଛି ବର୍ଷ ଯୋଡ଼ି ହୋଇ ରହିବା ପରେ ୧୯୮୮ରେ ନିଜ କାରବାର ଆରମ୍ଭ କରିଥିଲେ।