ନୂଆଦିଲ୍ଲୀ: ବିଦ୍ୟୁତ୍ ଦେୟ ପ୍ରଦାନ କରିବାରେ ପଡ଼ୋଶୀ ବାଂଲାଦେଶ ବିଫଳ ହୋଇଛି। ଏଥିଯୋଗୁ ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଣ କମାଇବାରେ ଲାଗିଛି। ଅନାଦାୟ ରାଶି ୮୦୦ ନିୟୁତ ଡଲାରରୁ ଅଧିକ ହୋଇଯାଇଥିବାରୁ ଆଦାନି ପାୱାର ପୁଣି ଥରେ ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ହ୍ରାସ କରିଛି। ପର୍ଯ୍ୟାୟକ୍ରମେ ବାଂଲାଦେଶକୁ ଆଦାନି ପାୱାରର ବିଦ୍ୟୁତ୍ ଯୋଗାଣ ୫୨୦ ମେଗାୱାଟ୍କୁ ହ୍ରାସ ପାଇଛି। ବାଂଲାଦେଶ ବିଦ୍ୟୁତ୍ ବିଲ୍ ବାବଦ ରାଶି ପ୍ରଦାନ କରୁଥିବା ଦାବି କରୁଥିଲେ ମଧ୍ୟ ଏଭଳି ହୋଇଛି। ଏଥିସହିତ ଗୋଟିଏ ବିଦ୍ୟୁତ୍ ଉତ୍ପାଦନକାରୀ ଉପରେ ନିର୍ଭରଶୀଳ ନରହି ବିକଳ୍ପ ସମାଧାନ ଉପରେ ମଧ୍ୟ ବାଂଲାଦେଶ ଚିନ୍ତା କରୁଛି।
ଆଦାନି ପାୱାର ଏହାର ଝାଡ଼ଖଣ୍ଡ ଅଧୀନ ୧୬୦୦ ମେଗାଇୱାଟ୍ ବିଶିଷ୍ଟ ଗୋଡ୍ଡା ପ୍ଲାଣ୍ଟରୁ ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଇ ଦେଇ ଆସୁଛି। ଅଗଷ୍ଟରେ କମ୍ପାନି ବାଂଲାଦେଶକୁ ୧୪୦୦ରୁ ୧୫୦୦ ମେଗାୱାଟ୍ ବିଦ୍ୟୁତ୍ ଯୋଗାଉଥିଲା। କିନ୍ତୁ ନିକଟରେ ଏହା ୭୦୦ରୁ ୭୫୦ ମେଗାଇୱାଟ୍କୁ କମାଇଥିଲା। ଗୁରୁବାର ପୁଣି ବିଦ୍ୟୁତ୍ ଯୋଗାଣକୁ ପ୍ରାୟ ୫୨୦ ମେଗାୱାଟକୁ ହ୍ରାସ କରାଯାଇଥିବା ପାୱାରଗ୍ରିଡ୍ ବାଂଲାଦେଶ ଏବଂ ବାଂଲାଦେଶ ବିଦ୍ୟୁତ୍ ବିକାଶ ବୋର୍ଡ ସହ ଜଡ଼ିତ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ତେବେ ବାଂଲାଦେଶର କାମଚଳା ସରକାରରେ ଶକ୍ତି ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ଫୌଜଲ କବିର ଖାନ୍ କହିଛନ୍ତି, ଆମେ ଧୀରେ ଧୀରେ ଅର୍ଥ ପୈଠ କରୁଛୁ। ଯଦି କେହି ଆମକୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରେ ତାହେଲେ ଆମେ ବିକଳ୍ପ ପଦକ୍ଷେପ ଗ୍ରହଣ କରିବୁ। ଆମେ କୌଣସି ବିଦ୍ୟୁତ୍ ଉତ୍ପାଦନକାରୀକୁ ଆମକୁ ପଣବନ୍ଦୀ ରଖିବାର ସୁଯୋଗ ଦେବୁ ନାହିଁ ବୋଲି ସେ ମତ ଦେଇଛନ୍ତି।
୨୦୨୨ ମସିହାରେ ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ଆମଦାନି ବିଲ୍ ବଢ଼ିଯାଇଛି। ବାଂଲାଦେଶ ଏସବୁ ବିଲ୍ ପୈଠ କରିବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଏହାପରେ ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନା ବିଦା ହେବାପରେ ସମସ୍ୟା ଅଧିକ ଜଟିଳ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Gautam-Adani.jpg)