ନୂଆଦିଲ୍ଲୀ: ଆମେରିକୀୟ ସର୍ଟ ସେଲିଂ କମ୍ପାନି ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ତଳିତଳାନ୍ତ ହୋଇ ଯାଇଥିବା ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନିଙ୍କ ସ୍ଥିତିରେ ଏବେ ଜୋରଦାର ସୁଧାର ଆସିଛି। ତାଙ୍କ ସଂପତ୍ତି ଓ କମ୍ପାନିର ବଜାରପୁଞ୍ଜି ବଢ଼ିବାରେ ଲାଗିଛି। ଗତକାଲି ସେ ବିଶ୍ବ ଧନୀ ତାଲିକାରେ ବିଂଶତମ (୨୦ ନମ୍ବର) ସ୍ଥାନକୁ ଉଠିଥିଲେ। ଆଜି ଆଉ ଦୁଇଟି ପାହାଚ ଉପରକୁ ଉଠି ଅଷ୍ଟାଦଶ (୧୮ ନମ୍ବର) ସ୍ଥାନରେ ପହଞ୍ଚିଛନ୍ତି। ସୋମବାର ଆଦାନିଙ୍କ ସଂପତ୍ତି ୨.୯୨ ବିଲିଅନ ଡଲାର ବୃଦ୍ଧି ଘଟିଥିଲା। ମଙ୍ଗଳବାର ମଧ୍ୟ ୨.୧୭ ବିଲିଅନ ଡଲାର ବା ପ୍ରାୟ ୧୭,୭୮୦ କୋଟି ଟଙ୍କାର ସଂପତ୍ତି ତାଙ୍କର ବଢ଼ିଛି।
ବ୍ଲୁମବର୍ଗ ବିଲିୟନେୟର୍ସ ସୂଚୀ ମୁତାବକ ଆଦାନିଙ୍କ ନିଟ୍ ସଂପତ୍ତି ବୃଦ୍ଧି ପାଇ ୬୫.୯ ବିଲିଅନ ଡଲାର ହୋଇଛି। ସେହିଭଳି ଆଦାନି ଗ୍ରୁପ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୧୧ ଲକ୍ଷ କୋଟି ଟପି ଯାଇଛି। ଏଥିଯୋଗୁ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇଛି। ମୁକେଶ ଅମ୍ବାନିଙ୍କ ସଂପତ୍ତି ଏବେ ୯୪.୬ ବିଲିଅନ ଡଲାର ରହିଛି। ଫଳରେ ସେ ବିଶ୍ବରେ ଧନୀ ତାଲିକାର ଏକାଦଶ ସ୍ଥାନରେ ରହିଛନ୍ତି। ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ସଂପତ୍ତି ମଧ୍ୟରେ ଏବେ ୨୮.୭ ବିଲିଅନ ଡଲାରର ପାର୍ଥକ୍ୟ ରହିଛି। ୨୦୨୨ରେ ଗୌତମ ଆଦାନି ବିଶ୍ବର ସବୁଠୁ ଅଧିକ ରୋଜଗାର କରିଥିବା ବ୍ୟକ୍ତି ଥିଲେ। ତାଙ୍କ ରୋଜଗାର ଏତେ ବଢ଼ିଯାଇଥିଲା ଯେ ସେ ବିଶ୍ବର ଦ୍ବିତୀୟ ବୃହତ୍ ଧନୀ ବ୍ୟକ୍ତିରେ ପରିଣତ ହୋଇଥିଲେ। କିନ୍ତୁ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ସଂପତ୍ତି ବହୁମାତ୍ରାରେ ହ୍ରାସ ପାଇଥିଲା। ଗତ କିଛିମାସ ଭିତରେ ସୁଧାର ଆସିବାରୁ ତାଙ୍କ ସ୍ଥିତି ବଦଳିଛି।