ମୁକେଶଙ୍କ ଧନୀ ମୁକୁଟ ପ୍ରତି ଆଦାନି ବିପଦ, ଦ୍ରୁତ ଗତିରେ ବଢ଼ୁଛି ଆଦାନିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ, ୨୩/୫: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିଛି। ମୁକେଶଙ୍କ ଶ୍ରେଷ୍ଠ ଧନୀ ମୁକୁଟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଦୁଇ ବ୍ୟକ୍ତିଙ୍କ ସମ୍ପତ୍ତିରେ ଥିବା ଅନ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତି ୭୭୦୦ କୋଟି ଡଲାର ରହିଥିବା ବେଳେ ଆଦାନିଙ୍କ ସମ୍ପତ୍ତି ବୃଦ୍ଧି ପାଇ ୬୯୦୦ କୋଟି ଡଲାର ହୋଇଗଲାଣି। ସବୁଠୁ ବଡ଼ କଥା ହେଉଛି ଆଦାନି ଦ୍ରୁତ ଗତିରେ ନିଜର ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି। ମୁକେଶ ଅମ୍ବାନି ଚଳିତ ବର୍ଷ ନିଜ ସମ୍ପତ୍ତିରେ ମାତ୍ର ୩୩.୪ କୋଟି ଡଲାର ଯୋଡ଼ିଛନ୍ତି।

୨୦୨୧ରେ ବର୍ତ୍ତମାନ ସୁଦ୍ଧା ଗୌତମ ଆଦାନିଙ୍କ ସମ୍ପତ୍ତି ୩୫୨୦ କୋଟି ଡଲାର ବଢ଼ିସାରିଲାଣି। ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇବାରେ‌ ସେ ବିଶ୍ବର ତୃତୀୟ ସ୍ଥାନରେ ରହିଛନ୍ତି। ଭାରତର ଅନ୍ୟ ୧୯ ଜଣ ଶ୍ରେଷ୍ଠ ଧନୀ ମିଳିତ ଭାବେ ‌୨୪୫୦ କୋଟି ଡଲାର ସମ୍ପତ୍ତି ଯୋଡ଼ିବାରେ ସକ୍ଷମ ହୋଇଥିବା ବେଳେ ‌ଗୌତମ ଆଦାନି ଏକା ସେମାନଙ୍କ ଠାରୁ ଅଧିକ ସମ୍ପତ୍ତି ଯୋଡ଼ିଛନ୍ତି। ନିକଟରେ ଆଦାନି ଏସିଆର ଦ୍ବିତୀୟ ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି। ଆଦାନିଙ୍କ ସମ୍ପତ୍ତିରେ ହୋଇଥିବା ବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ତାଙ୍କ କଂପାନିଗୁଡ଼ିକର ସେୟାର ମୂଲ୍ୟରେ ହୋଇଥିବା ବୃଦ୍ଧି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ତାଙ୍କର ତିନିଟି କଂପାନିର ସେୟାର ୧୦୦-୨୬୦ ପ୍ରତିଶତ ଭଳି ଜବରଦସ୍ତ ରିଟର୍ଣ୍ଣ ପ୍ରଦାନ କରିଛନ୍ତି। ୨୦୨୦ ତୁଳନାରେ ଆଦାନି ଟୋଟାଲ୍‌ ଗ୍ୟାସ୍‌ର ସେୟାର ମୂଲ୍ୟ ୧୪୦୦ ପ୍ରତିଶତ ବଢ଼ିଛି।

୨୦୨୧ରେ ୱିପ୍ରୋର ଅଜିମ୍ ପ୍ରେମ୍‌ଜୀଙ୍କ ସମ୍ପତ୍ତି ୩୧୪୦ କୋଟି ଡଲାରକୁ ବୃଦ୍ଧି ପାଇଥିବା ବେଳେ ଓପି ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ପରିମାଣ ୪୦୦ କୋଟି ଡଲାର ବଢ଼ିଛି। ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ଏନ୍ ମିତ୍ତଲଙ୍କ ସମ୍ପତ୍ତି ୩୯୩ ଡଲାର ବଢ଼ିଥିବା ବେଳେ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲାଙ୍କ ସମ୍ପତ୍ତି ୩୨୫ କୋଟି ଡଲାର ବଢ଼ିଛି। ସନ୍ ଫର୍ମାର ମୁଖ୍ୟ ଦିଲ୍ଲୀପ ସାଂଘଭିଙ୍କ ସମ୍ପତ୍ତିରେ ୧୬୬ କୋଟି ଡଳାର, ଡିମାର୍ଟର କେ ରାଧାକୃଷ୍ଣ ଦମାନିଙ୍କ ୧୬୦ କୋଟି ଡଲାର, କେଡିଲାର ପଙ୍କଜ ପଟେଲ୍‌ଙ୍କ ୧୪୪ କୋଟି ଡଲାର ଓ ଉଦୟ କୋଟାକ୍‌ଙ୍କ ସମ୍ପତ୍ତିରେ ୧୦୦ କୋଟି ଡଲାରର ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର