ଓଡ଼ିଶାର ସୌର ଶକ୍ତି ପ୍ରକଳ୍ପ କିଣିବ ଆଦାନି, ୨୧୯ କୋଟି ଟଙ୍କାର ବୁଝାମଣା

ଭୁବନେଶ୍ବର : ଓଡ଼ିଶାରେ ଏସେଲ୍‌ ଗ୍ରିନ୍‌ ଏନର୍ଜିର ଥିବା ଏକ ସୌର ଶକ୍ତି ପ୍ରକଳ୍ପକୁ ଆଦାନି ଗ୍ରୁପ୍ ଅଧିଗ୍ରହଣ କରିବ। ଏଥିପାଇଁ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏସେଲ୍‌ ଗ୍ରିନ୍ ଏନର୍ଜି ପାଖରେ ଥିବା ଏକ ‌ଏସ୍‌ପିଭିକୁ ଆଦାନି ଗ୍ରୁପ୍‌ର ସଂସ୍ଥା ଆଦାନି ରିନୁଏବଲ୍ ଏନର୍ଜି କିଣିବ। ଏହି ଏସ୍‌ପିଭିରେ ଓଡ଼ିଶାରେ ଥିବା ୪୦ ମେଗାୱାଟ୍‌ର ସୌର ଶକ୍ତି ପ୍ରକଳ୍ପ ରହିଛି। ଏହି ଅଧିଗ୍ରହଣ ପାଇଁ ଆଦାନି ୨୧୯ କୋଟି ଟଙ୍କା ଦେବ। ବିଦ୍ୟୁତ କିଣିବା ଲାଗି ଭାରତୀୟ ସୌର ଶକ୍ତି ନିଗମ ସହିତ ଏକ ବିଦ୍ୟୁତ କିଣା ବୁଝାମଣା ( ପିପିଏ) ରହିଛି। ୟୁନିଟ୍ ପିଛା ୪ ଟଙ୍କା ୨୩ ପଇସାରେ ବିଦ୍ୟୁତ ବିକ୍ରି ହେଉଛି। ଏହି ବୁଝାମଣାର ଅବଧି ଆହୁରି ୨୨ ବର୍ଷ ରହିଛି।

ଏସେଲ୍ ଗ୍ରିନ୍ ଏନର୍ଜିର ଏସ୍‌ପିଭିକୁ ଅଧିଗ୍ରହଣ କରିବା ପରେ ଆଦାନି ରିନୁଏବଲ୍ ଏନର୍ଜିର ମୋଟ ଅକ୍ଷୟ ଶକ୍ତି କ୍ଷମତା ୧୯.୮ ଗିଗାୱାଟ୍ ହେବ। ସେଥି ମଧ୍ୟରୁ ୫.୪ ଗିଗାୱାଟ୍‌ର ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବା ବେଳେ ୫.୭ ଗିଗାୱାଟ୍‌ର ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଉ ୮.୭ ଗିଗାୱାଟ୍‌ ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ପାଖାପାଖି ସ୍ତରରେ ରହିଛି। ଏସେଲ୍ ଗ୍ରିନ୍ ଏନର୍ଜିର ପ୍ରକଳ୍ପ ଅଧିଗ୍ରହଣ ସମ୍ପର୍କରେ ଆଦାନି ଗ୍ରିନ୍ ଏନର୍ଜିର ଏମ୍‌ଡି ଓ ସିଇଓ ବିନୀତ ଜୈନ କହିଛନ୍ତି ଯେ ଓଡ଼ିଶାର ପ୍ରକଳ୍ପକୁ ଅଧିଗ୍ରହଣ କରିବା ପରେ ଆମର ଉପସ୍ଥିତି ୧୨ଟି ରାଜ୍ୟକୁ ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା ଦୁନିଆର ଏକ ନମ୍ବର ଅକ୍ଷୟ ଶକ୍ତି କଂପାନିରେ ପରିଣତ ହେବା ଲାଗି ଆମର ସମ୍ପ୍ରସାରଣ ଜାରି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର