ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବା ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିଚାର କରୁଛି। ଆଦାନୀ ଗ୍ରୁପ୍‌ର କମ୍ପାନି ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡ୍‌ ନିବେଶକଙ୍କୁ ଠିକ୍ ସୂଚନା ଦେଇଛି ନା ନାହିଁ ତାହା ଜଣାଇବା ଲାଗି ଷ୍ଟକ୍ ଏକ୍ସଚେଞ୍ଜ ଅଧିକାରୀମାନଙ୍କୁ ସେବି କହିଛି। ଦୁଇ ସପ୍ତାହ ମଧ୍ୟ‌ରେ ଏହି ସୂଚନା ପହଞ୍ଚିବା ପରେ ତାହାକୁ ଅନୁଶୀଳନ କରି ସେବି ଆନୁଷ୍ଠାନିକ ଭାବେ ତଦନ୍ତ ଆରମ୍ଭ କରିବା ନିଷ୍ପତ୍ତି ନେବ।

Advertisment

ଏହା ପୂର୍ବରୁ ଆଦାନୀ ଗ୍ରୁପ୍‌ ବି‌ରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଅଭିଯୋଗକୁ ସେବି ତଦନ୍ତ କରୁଥିବା ବେଳେ ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ଦ୍ବୈତ ସ୍ବାର୍ଥ ସମସ୍ୟା ଲାଗି ତଦନ୍ତ ଶେଷ ହୋଇପାରୁନଥିବା ନେଇ ଅଭିଯୋଗ ହେଉଛି। ଆମେରିକା ଆଣିଥିବା ଅଭିଯୋଗ କିମ୍ବା ଭାରତରେ ହେବାକୁ ଯାଉଥିବା ତଦନ୍ତକୁ ନେଇ ଆଦାନୀ ଯେତିକି ଚିନ୍ତିତ ନଥିବେ ତା’ଠାରୁ ତାଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ହେଉଛି ନୂଆ ପାଣ୍ଠି ଯୋଗାଡ଼ କରିବା। ଆମେରିକାର ଅଭିଯୋଗ ପାଇଁ ଆଦାନୀଙ୍କ ପ୍ରତି ଏବେ ହଠାତ୍‌ କୌଣସି ବଡ଼ ଧରଣର ସମସ୍ୟା ଦେଖାଦେବନାହିଁ। କିନ୍ତୁ ବିଦେଶରୁ ପାଣ୍ଠି ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଯେହେତୁ ସେ ନିଜର ଅଧିକାଂଶ କାରବାରକୁ ଋଣ ଜରିଆରେ ଆଗକୁ ବଢ଼ାଉଛନ୍ତି, ତେଣୁ ନିବେଶକଙ୍କ ବିଶ୍ବାସ ବଜାୟ ରଖିବା ଲାଗି କାମ କରିବା ସେତିକି ଜରୁରୀ। ଋଣ ହ୍ରାସ କରିବା ଲାଗି ତାଙ୍କୁ ପାଣ୍ଠି ଯୋଗାଡ଼ କରିବାକୁ ହେବ। ଆଦାନୀ ନିଜ ଷ୍ଟାଇଲ୍‌ରେ ପାଣ୍ଠି ଯୋଗାଡ଼ କରନ୍ତି। ସେ ନିଜ କମ୍ପାନିଗୁଡ଼ିକର ଅଂଶଧନ ବିକିବା ବଦଳରେ ବଡ଼ ବଡ଼ ବିଦେଶୀ ବ୍ୟାଙ୍କଠାରୁ ଡଲାରରେ ଋଣ ଆଣିଥାନ୍ତି। ଆଗକୁ କିନ୍ତୁ ତାଙ୍କ ପାଇଁ ଡଲାର ଋଣ ଆଣିବା ସହଜ ହେବନି। ସେଭଳି ପରିସ୍ଥିତିରେ ତାଙ୍କ ମହତ୍ତ୍ବାକାଂକ୍ଷାକୁ ସେ କେବଳ ଭାରତୀୟ ବ୍ୟାଙ୍କରୁ ଋଣ ନେଇ ପୂରଣ କରିପାରିବେ ନାହିଁ। ତେଣୁ ‌ତାଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାର ଶେଷ ରାସ୍ତା ହେବ ଅଂଶଧନ ବିକ୍ରି କରିବା। ଏଠାରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏଭଳି ଗମ୍ଭୀର ସମୟରେ ତାଙ୍କ ସଂସ୍ଥାର ଅଂଶଧନ କିଣିବା ଲାଗି କିଏ ରାଜି ହେବ? ଆଦାନୀଙ୍କ ଲାଗି ଦେଖାଦେବାକୁ ଥିବା ଅନ୍ୟତମ ବଡ଼ ସମସ୍ୟା ହେଉଛି ବିଦେଶରେ ସେ ନିଜ ସାମ୍ରାଜ୍ୟକୁ ଆଉ ସେତେ ଦ୍ରୁତ ଗତିରେ ବଢ଼ାଇପାରିବେ ନାହିଁ। ଯେଉଁ ପ୍ରକଳ୍ପଗୁଡ଼ିକୁ ନେଇ ବିବାଦ ରହିଛି ତାହା ଆହୁରି ବିଳମ୍ବ ହେବ। ବିଶେ‌ଷ କରି ଆଫ୍ରିକା ଓ ଦକ୍ଷିଣ ପୂର୍ବ ଏସିଆରେ ସେ ସୋଲାର ଉପକରଣ ଉତ୍ପାଦନ, ଭିତ୍ତିଭୂମି ପ୍ରକଳ୍ପକୁ ନେଇ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ କରିବା ବିଳମ୍ବ ହେବ।

ଆମେରିକାରେ ଲାଞ୍ଚକୁ ନେଇ ଯେଉଁ ଅଭିଯୋଗ ଆସିଛି ତାହାର ଶୁଣାଣି କେତେଦିନ ଚାଲିବ ତାହାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନିର୍ଧାରଣ କରାଯାଇପାରିବ ନାହିଁ। ଯଦି ଆଦାନୀଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯାଏ କିମ୍ବା ସେ ନିଜ ଆଡ଼ୁ ଆମେରିକାରେ ଆତ୍ମସମର୍ପଣ କରନ୍ତି ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣ କରିବା ଲାଗି ଲମ୍ବା ସମୟ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ଯଦି ଆଦାନୀଙ୍କ ବିରୋଧରେ ଦୋଷ ପ୍ରମାଣିତ ହେବ ତେବେ ତାଙ୍କୁ କେତେ ବର୍ଷ ଜେଲ୍ ଦଣ୍ଡ ହେବ ଓ ସେ କେତେ ଜରିମାନା ଦେବେ ତାହା ବିଚାରପତି ହିଁ ଘୋଷଣା କରିପାରିବେ।