୫ଜି ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ: ଅମ୍ବାନି ବନାମ ଆଦାନି

ଦୌଡ଼ରେ ୪ କଂପାନି

ନୂଆଦିଲ୍ଲୀ: ୫ଜି ଟେଲିକମ୍ ସେବା ପାଇଁ ଦେଶର ତିନି ପ୍ରମୁଖ କୋଟିପତି ମୁକେଶ ଅମ୍ବାନି, ଗୌତମ ଆଦାନି ଓ ସୁନିଲ ମିତ୍ତଲଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ଦେଖିବାକୁ ମିଳିଛି। ସବୁଠୁ ରୋଚକ ଲଢ଼େଇ ଅମ୍ବାନି ଓ ଆଦାନିଙ୍କ ମଧ୍ୟରେ ହେବ। ଯେଉଁ ସବୁ କ୍ଷେତ୍ରରେ ଅମ୍ବାନିଙ୍କ ବ୍ୟବସାୟ ଦୃଢ଼ ରହିଛି ସେହି ସବୁ କ୍ଷେତ୍ରରେ ଆଦାନି ଧୀରେ ଧୀରେ ପ୍ରବେଶ କରୁଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଭୟଙ୍କ ସଂସ୍ଥା ବିପୁଳ ନିବେଶ କରି ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହୋଇଥିବା ବେଳେ ଏବେ ଟେଲିକମ୍‌ରେ ସେମାନେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଆଦାନି ଏବେ ବିଶ୍ବର ଚତୁର୍ଥ ବଡ଼ ଧନୀ ଓ ଏହି ତାଲିକାରେ ମୁକେଶ ଦଶମ ସ୍ଥାନରେ ରହିଛନ୍ତି। ଆଦାନି ଅତ୍ୟନ୍ତ କ୍ଷୀପ୍ର ଗତିରେ ବିଭିନ୍ନ କ୍ଷେତ୍ରକୁ ନିଜ ବ୍ୟବସାୟ ସମ୍ପ୍ରସାରଣ କରୁଛନ୍ତି। ମୁକେଶ କିନ୍ତୁ ମାପଚୁପ କରି ନିବେଶ କରୁଛନ୍ତି। ଆଜିଠାରୁ ୫ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ସ୍ପେକ୍ଟ୍ରମ୍ ପାଇବା ଲାଗି ଦୌଡ଼ରେ ଚାରିଟି କଂପାନି ରହିଛନ୍ତି। ସେମାନେ ହେଉଛନ୍ତି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍, ଆଦାନି ଡାଟା ନେଟ୍‌ୱର୍କ ଓ ଭୋଡାଫୋନ୍ ଆଇଡିଆ। ଏହା ହେଉଛି ଦେଶର ସବୁଠୁ ବ୍ୟୟବହୁଳ ସ୍ପେକ୍ଟ୍ରମ୍ ନିଲାମ। ଟେଲିକମ୍‌ରେ ସେମାନଙ୍କ ଲଢ଼େଇ ବେଶ ରୋଚକ ହେବ ବୋଲି ଆଶା କରାଯାଉଛି।
ଆଜି ସକାଳ ୧୦ଟାରୁ ‌ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥର ସରକାର ୭୨ ଗିଗାହର୍ଜ ସ୍ପେକ୍ଟ୍ରମ ନିଲାମ ପାଇଁ ଉପଲବ୍ଧ କରିଛନ୍ତି। ତାହାର ମୂଲ୍ୟ ୪.୩ ଲକ୍ଷ କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି। ପ୍ରଥମ ଦିନରେ ସ୍ପେକ୍ଟ୍ରମ୍ ପାଇବା ଲାଗି କଂପାନିଗୁଡ଼ିକ ମଧ୍ୟରେ ସେଭଳି ବଡ଼ ଧରଣର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିନାହିଁ। ତେଣୁ କମ୍ ଦିନରେ ନିଲାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ଟେଲିକମ୍ ବିଭାଗ ଆକଳନ ଅନୁଯାୟୀ ଏହି ନିଲାମରୁ ସରକାର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇବେ। ବଜାର ବିଶେଷଜ୍ଞମାନଙ୍କ ମତରେ ସ୍ପେକ୍ଟ୍ରମ୍ ହାସଲ କରିବାରେ ଜିଓ ଆଗରେ ରହିବ ଓ ତା’ପଛକୁ ରହିବ ଏୟାରଟେଲ୍। ଭୋଡାଫୋନ୍ ଆଇଡିଆ ଓ ଆଦାନି ତରଫରୁ ଅଂଶଗ୍ରହଣ କମ୍ ରହିପାରେ ବୋଲି ଆଶା କରାଯାଉଛି।

୫ଜି ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ ହେବା ପୂର୍ବରୁ ଜିଓ ସର୍ବାଧିକ ୧୪ ହଜାର କୋଟି ଟଙ୍କା ଦାଖଲ କରିଥିବା ବେଳେ ଏୟାରଟେଲ୍‌ ୫,୫୦୦ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆ ୨,୨୦୦ କୋଟି ଟଙ୍କା ଜମା କରିଥିଲେ। ଆଦାନି ଡାଟା ନେଟ୍‌ୱର୍କସ୍‌ ମାତ୍ର ୧୦୦ କୋଟି ଟଙ୍କା ଜମା କରିଛି। ଏଥିରୁ ଏହି ‌ସଙ୍କେତ ମିଳୁଛି ଯେ ଜିଓ ଅଧିକ ସ୍ପେକ୍ଟ୍ରମ୍ ହାସଲ କରିବାକୁ ଉଦ୍ୟମ କରିବ। ଆଦାନି କମ୍ ସ୍ପେକ୍ଟ୍ରମ୍ ଆଣି ପ୍ରାଇଭେଟ୍ ନେଟ୍‌ୱର୍କ ସ୍ଥାପନ କରିବା ଉପରେ ଗୁରୁତ୍ବ ଦେବ। ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ୫ଜି ସ୍ପେକ୍ଟ୍ରମ୍ କିଣିବା ଲାଗି ଜିଓ ୧.୨୭ ଲକ୍ଷ କୋଟି ଟଙ୍କା, ଏୟାରଟେଲ୍ ୪୮ ହଜାର କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆ ୨୦,୦୦୦ କୋଟି ଟଙ୍କା ଓ ଆଦାନି ୭୦୦ କୋଟି ଟଙ୍କା ବ୍ୟୟ କରିପାରନ୍ତି। ୨୦୨୧ରେ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପାଇଁ ଜିଓ ୧୦ ହଜାର କୋଟି ଟଙ୍କା, ଏୟାରଟେଲ୍ ୩,୦୦୦ କୋଟି ଟଙ୍କା ଓ ଭୋଡା ଆଇଡିଆ ୪୭୫ କୋଟି ଟଙ୍କା ଜମା କରିଥିଲେ। ନିଲାମ ଶେଷରେ ଜିଓ ୫୭,୧୨୨ କୋଟି ଟଙ୍କା, ଏୟାରଟେଲ୍‌ ୧୮,୬୯୯ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆ ୧,୯୯୩ କୋଟି ଟଙ୍କାର ସ୍ପେକ୍ଟ୍ରମ୍ କିଣିଥିଲେ।

 

ସମ୍ବନ୍ଧିତ ଖବର