ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଧନୀ ତଥା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ବ ଧନୀ ତାଲିକାରେ ରିଲାଏନ୍ସର ମୁକେଶ ଅମ୍ବାନି, ଫେସବୁକ୍‌ର ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ, ବର୍କସାୟାର ହାଥାୱେର ୱାରେନ୍ ବଫେ ଆଦିକୁ ପଛରେ ପକାଇବା ପରେ ଏବେ ଆଦାନିଙ୍କ ନଜର ଆମାଜନର ମୁଖ୍ୟ ଜେଫ୍ ବେଜୋସ୍‌ଙ୍କ ଉପରେ ରହିଛି। ବେଜୋସ୍‌ ଏବେ ବିଶ୍ବ ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆଦାନି ଗ୍ରୁପ୍‌ର କିଛି ସଂସ୍ଥାର ସେୟାର ମୂଲ୍ୟରେ ୧୦୦୦ ପ୍ରତିଶତ ଭଳି ବୃଦ୍ଧି ଯୋଗୁଁ ଆଦାନିଙ୍କ ସମ୍ପତ୍ତି ଏବେ ୧୪,୩୦୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଏବେ ‌ବେଜୋସ୍‌ଙ୍କଠାରୁ ଆଦାନି ସମ୍ପତ୍ତି ମାତ୍ର ୬୦୦ କୋଟି ଡଲାର କମ୍ ରହିଛି। ବେଜୋସ୍‌ଙ୍କ ସମ୍ପତ୍ତି ପରିମାଣ ୧୪,୯୦୦ କୋଟି ଡଲାର ରହିଛି।