ଅକ୍ଷୟ ଶକ୍ତିରେ ୫,୨୫,୦୦୦ କୋଟି ଖଟାଇବ ଆଦାନି: ବିଶ୍ବରେ ସବୁଠୁ କମ୍‌ ଦାମରେ ହାଇଡ୍ରୋଜେନ୍‌ ଉତ୍ପାଦନ କରିବ

ନୂଆଦିଲ୍ଲୀ: ଭାରତର ଅନ୍ୟତମ ପ୍ରମୁଖ ଧନୀ ବ୍ୟକ୍ତି ଗୌତମ ଆଦାନିଙ୍କ କମ୍ପାନି ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଆସନ୍ତା ଦଶନ୍ଧିରେ ୭୦ ବିଲିଅନ ଡଲାର ଅର୍ଥ ନିବେଶ କରିବ। ବିଶ୍ବର ସର୍ବବୃହତ୍ ଅକ୍ଷୟ ଶକ୍ତି କମ୍ପାନି ସୃଷ୍ଟି ସହିତ ପୃଥିବୀରେ ସବୁଠୁ କମ୍ ମୂଲ୍ୟରେ ‌ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ସେ ଏହି ନିବେଶ କରିବେ। ୧ ଡଲାରର ମୂଲ୍ୟ ୭୫ ଟଙ୍କା ହିସାବରେ ଏହି ନିବେଶ ରାଶି ୫,୨୫,୦୦୦ କୋଟି ଟଙ୍କା ହେବ। ଫଳରେ ଆଦାନି ଗ୍ରିନ ଏନର୍ଜି ଲିମିଟେଡ (ଏଜିଇଏଲ) ବିଶ୍ବର ସର୍ବବୃହତ୍ ସୌର ଶକ୍ତି କମ୍ପାନି ହେବ। ୨୦୩୦ ମସିହା ସୁଦ୍ଧା କମ୍ପାନି ୪୫ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି। ୨୦୨୨-୨୩ ସୁଦ୍ଧା କମ୍ପାନି ୨ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କାରଖାନା ପାଇଁ ୨୦ ବିଲିଅନ ଡଲାର ନିବେଶ କରିବ। ଏଥିସହିତ ଆଦାନି ଟ୍ରାନ୍ସମିସନ ଲିମିଟେଡ ଅକ୍ଷୟ ଶକ୍ତି ସଂଗ୍ରହ କ୍ଷେତ୍ରରେ ଏହାର ଅଂଶକୁ ବର୍ତ୍ତମାନର ୩ ପ୍ରତିଶତରୁ ୨୦୨୩ ଆର୍ଥିକ ବର୍ଷ ସୁଦ୍ଧା ୩୦ ପ୍ରତିଶତକୁ ଏବଂ ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୭୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି।

ବ୍ଲୁମବର୍ଗ ଇଣ୍ଡିଆ ଇକୋନୋମିକ ଫୋରମରେ ଉଦବୋଧନ ଦେଇ ଆଦାନି ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୌତମ ଆଦାନି ଏହି ସୂଚନା ଦେଇଛନ୍ତି। ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବେ ସୁଲଭ ମୂଲ୍ୟରେ ଯେଭଳି ଅକ୍ଷୟ ଶକ୍ତି ଉପଲବ୍ଧ ହେବ ତାହା ଉପରେ କମ୍ପାନି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା କମ୍ପାନି ବିଶ୍ବର ସର୍ବବୃହତ୍ ଅକ୍ଷୟ ଶକ୍ତି କମ୍ପାନିରେ ପରିଣତ ହେବା ଆଶା ରଖିଛି। ଅନ୍ୟ କୌଣସି କମ୍ପାନି ଏ କ୍ଷେତ୍ରରେ ଏତେ ପରିମାଣର ନିବେଶ ନେଇ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ତେବେ ଆଦାନି ଗ୍ରୁପ୍ ଏବେ ବିଶ୍ବର ସର୍ବବୃହତ୍ ସୌରଶକ୍ତି ଉତ୍ପାଦନକାରୀରେ ପରିଣତ ହୋଇସାରିଛି। ତେଣୁ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ସହିତ ସୌର ଶକ୍ତିର ଉତ୍ପାଦନ କରି ଏ କ୍ଷେତ୍ରରେ ବିଶ୍ବର ସର୍ବବୃହତ୍ କମ୍ପାନିରେ ପରିଣତ ହେବାର ଆଶା ରଖାଯାଇଛି। ଶସ୍ତାରେ ଗ୍ରିନ୍ ବିଦ୍ୟୁତ୍ ଏବଂ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ ବୋଲି ସେ କହିଥିଲେ ମଧ୍ୟ ଏ ନେଇ ବିସ୍ତୃତ ସୂଚନା ଦେଇନାହାନ୍ତି।

ଗ୍ରିନ୍ ଏନର୍ଜି କ୍ଷେତ୍ରରେ ଭଲ ଭବିଷ୍ୟତ ରହିଛି। କମ୍ ମୂଲ୍ୟରେ ଏହାକୁ ଉତ୍ପାଦନ କରି ଭାରତ ଏକ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇପାରିବ। ଅକ୍ଷୟ ଶକ୍ତି ଉତ୍ସରୁ ଏହା ଉତ୍ପାଦନ ହେବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗ୍ଲାସଗୋଠାରେ ନିକଟରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ୨୦୭୦ ମସିହା ସୁଦ୍ଧା ଭାରତ ‌ନିଟ୍ ଜିରୋ କାର୍ବନ ନିର୍ଗମନ ରା‌ଷ୍ଟ୍ରରେ ପରିଣତ ହେବାର ପ୍ରତିଶ୍ରୁତି ଦେଇଛନ୍ତି। ସେହି ଦୃଷ୍ଟିରୁ ‌ଆଦାନିଙ୍କ ନିବେଶ ଗୁରୁତ୍ବପୂର୍ଣ୍ଣ ମନେହୁଏ।

ସମ୍ବନ୍ଧିତ ଖବର