ହିନ୍ଦୁସ୍ତାନ ୟୁନିଲିଭରକୁ ଟପିଲା ଆଦାନି ୱିଲ୍‌ମାର୍‌, ଦେଶର ବୃହତ୍ତମ ଏଫ୍‌ଏମ୍‌ସିଜି କମ୍ପାନିରେ ପରିଣତ

ନୂଆଦିଲ୍ଲୀ: ଭାରତର ଫାଷ୍ଟ୍‌ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ (ଏଫ୍‌ଏମ୍‌ସିଜି) କମ୍ପାନିଗୁଡ଼ିକ ମଧ୍ୟରେ ବହୁବର୍ଷ ହେଲା ହିନ୍ଦୁସ୍ତାନ ୟୁନିଲିଭର ରାଜ୍‌ କରି ଆସୁଥିଲାବେଳେ ଏବେ ଏହାକୁ ଆଦାନି ୱିଲ୍‌ମାର୍‌ ଲିମିଟେଡ ଟପିଯାଇଛି। ହିନ୍ଦୁସ୍ତାନ ୟୁନିଲିଭରକୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇ ଆଦାନି ୱିଲ୍‌ମାର୍‌ ଭାରତର ବଡ଼ ଏଫ୍‌ଏମ୍‌ସିଜି କମ୍ପାନିରେ ପରିଣତ ହୋଇଛି। ସୂଚନା ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ଆଦାନି ୱିଲ୍‌ମାର୍‌ ୫୪,୨୧୪ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହା ୪୬.୨ ପ୍ରତିଶତ ଅଧିକ। ଅନ୍ୟପକ୍ଷରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ୨୦୨୧-୨୨ ଆର୍ଥିକ ବର୍ଷରେ ୫୧,୪୬୮ କୋଟି ଟଙ୍କାର ବ୍ୟବସାୟ କରିଛି।
ଆଦାନି ୱିଲ୍‌ମାର୍‌ର ମୋଟ ବ୍ୟବସାୟରେ ଖାଇବା ତେଲର ଯୋଗଦାନ ପାଖାପାଖି ୮୪ ପ୍ରତିଶତ ରହିଛି। ଆଦାନି ୱିଲ୍‌ମାର୍‌ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୪୫,୪୦୧ କୋଟି ଟଙ୍କାର ଖାଇବା ତେଲ ବିକ୍ରି କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହା ୪୭.୩ ପ୍ରତିଶତ ଅଧିକ।

ଆଦାନି ୱିଲ୍‌ମାର୍‌ର ସିଇଓ ତଥା ଏମ୍‌ଡି ଏ ମଲ୍ଲିକଙ୍କ କହିବାନୁଯାୟୀ, କମ୍ପାନି ଖାଇବା ତେଲ ଏବଂ ପ୍ୟାକେଜ୍‌ଡ ଖାଦ୍ୟ ବଜାରରେ ଅଧିକରୁ ଅଧିକ ବଜାରଅଂଶ ହାସଲ କରିବାରେ ଲାଗିଛି। ୨୦୨୧ ଶେଷ ସୁଦ୍ଧା ଖାଇବା ତେଲ ବଜାରରେ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଠାରୁ କମ୍ପାନିର ବଜାରଅଂଶ ଅତିକମ୍‌ରେ ୧୦ ପ୍ରତିଶତରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର