ମୁକେଶଙ୍କ ରାସ୍ତାରେ ଆଦାନି, ପେଟ୍ରୋଲିୟମ୍ ବ୍ୟବସାୟ ଆରମ୍ଭ କରି‌ବେ

ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଯେଉଁ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି ସେହି ସବୁ କ୍ଷେତ୍ରରେ‌ ‌ଆଦାନି ପ୍ରବେଶ କରୁଛନ୍ତି। ପେଟ୍ରୋଲିୟମ୍ କ୍ଷେତ୍ରରେ ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବହୁ ଦିନ ଧରି ବ୍ୟବସାୟ କରୁଥିବା ବେଳେ ଆଦାନି ସେହି କ୍ଷେତ୍ରରେ ପ୍ରବେଶ କରିବା ଲାଗି ଏକ ନୂଆ ସଂସ୍ଥା ଗଠନ କରିଛନ୍ତି। ତାଙ୍କର ପ୍ରମୁଖ ସଂସ୍ଥା ଆଦାନି ଏଣ୍ଟରପ୍ରାଇଜେସ୍‌ ତରଫରୁ ଆଦାନି ପେଟ୍ରୋକେମିକାଲ୍ସ ଲିମିଟେଡ୍ ନାମରେ ଏକ ନୂଆ ସଂସ୍ଥା ଗଠନ କରାଯାଇଛି। ଆଦାନି ପେଟ୍ରୋଲିୟମ୍ କ୍ଷେତ୍ରରେ ରିଫାଇନାରି, ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଓ ସ୍ବତନ୍ତ୍ର ରସ‌ାୟନ ୟୁନିଟ୍ ସ୍ଥାପନ କରିବାକୁ ଚାହୁଛନ୍ତି। ଆଦାନିଙ୍କ ପେଟ୍ରୋଲିୟମ୍ କଂପାନିକୁ ଭାରତରେ ଗଠନ କରାଯାଇଛି ଏବଂ ତାହାକୁ ଅମ୍ମଦାବାଦର ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍ (ଆର୍‌ଓସି)ରେ ପଞ୍ଜୀକରଣ କରାଯାଇଛି। ଏହାର ପେଡ୍-ଅପ୍ ପୁଞ୍ଜି ପରିମାଣ ଏକ ଲକ୍ଷ ଟଙ୍କା ରହିଛି।

ଏହା ପୂର୍ବରୁ ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଆଦାନି ଏଣ୍ଟରପ୍ରାଇଜେସ୍‌ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଆଦାନି ଏହି କ୍ଷେତ୍ରର ଏକ ବଡ଼ ସଂସ୍ଥା ଭାବେ ପରିଗଣିତ ହେଉଥିବା ବେଳେ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିବା ଲାଗି ମୁକେଶ ଅମ୍ବାନି ସବୁଜ ‌ଶକ୍ତି କ୍ଷେତ୍ରରେ ୭୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି। ଦେଶର ଦୁଇ ପ୍ରମୁଖ ଧନୀ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୦ ଲାଗି ଧାର୍ଯ୍ୟ କରିଥିବା ୪୫୦ ଗିଗାୱାଟ୍ ସବୁଜ ଶକ୍ତି ଉତ୍ପାଦନରେ ନିଜର ଭାଗ ବସାଇବା ଲାଗି ଦୌଡ଼ ଆରମ୍ଭ କରିଛନ୍ତି।

ପୂର୍ବରୁ ମୁକେଶ ଓ ଅଦାନି ନିଜ ନିଜ ବ୍ୟବସାୟ ଉପରେ ଧ୍ୟାନ ଦେଉଥିଲେ। ଉଭୟଙ୍କ ବ୍ୟବସାୟ କ୍ଷେତ୍ର ଅଲଗା ଥିଲା। ମାତ୍ର ସବୁଜ ଶକ୍ତି କ୍ଷେତ୍ରରୁ ଏହି ଦୁଇ ଧନୀ ପ୍ରଥମ ଥର ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ଅଣ୍ଟା ଭିଡ଼ିଥିଲେ। ଏବେ ପେଟ୍ରୋଲିୟମ୍ ବ୍ୟବସାୟରେ ପ୍ରବେଶ କରି ଆଦାନି ଲଢ଼େଇକୁ ଜୋରଦାର କରିଛନ୍ତି। ମୁକେଶ ଅମ୍ବାନିଙ୍କ ଅଧୀନରେ ପେଟ୍ରୋଲିୟମ୍, ବସ୍ତ୍ର, ରିଟେଲ୍‌ ଓ ଟେଲିକମ୍‌ର ଏକ ବିଶାଳ ବ୍ୟବସାୟ ସାମ୍ରାଜ୍ୟ ରହିଛି। ନିଜ ଉଦ୍ୟମରେ କୋଟିପତି ଆଖ୍ୟା ପାଇଥିବା ଆଦାନି ବିଦ୍ୟୁତ ଉତ୍ପାଦନ, ବନ୍ଦର, ବିମାନବନ୍ଦର ଆଦି ‌କ୍ଷେତ୍ରରେ କାରବାର କରୁଛନ୍ତି। ଏବେ ସେ ନିଜ ବ୍ୟବସାୟ ସାମ୍ରାଜ୍ୟକୁ ଅନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର