ଆଦାନିଙ୍କ ବ୍ୟବସାୟିକ ସାମ୍ରାଜ୍ୟ: ଉତ୍‌ଥାନ ଓ ପତନ

ଭାରତର ବିଶିଷ୍ଟ ଉଦ୍ୟୋଗପତି ଗୌତମ ଶାନ୍ତିଲାଲ ଆଦାନି ୧୯୬୨ ଜୁନ ୨୪ରେ ଜନ୍ମ ହୋଇଥିଲେ। ଖୁବ୍ କମ୍‌ ଦିନ ଭିତରେ ସେ ଆଦାନି ଗ୍ରୁପକୁ ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟରେ ପରିଣତ କରିଥିଲେ। ବିଶେଷକରି ଗତ କିଛିବର୍ଷ ହେଲା ଆଦାନି ଗ୍ରୁପ କମ୍ପାନିଗୁଡ଼ିକ ଅତି ଦ୍ରୁତଗତିରେ ଆଗକୁ ବଢ଼ୁଥିଲେ। କିନ୍ତୁ ଚଳିତବର୍ଷ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ଆଦାନି ଗ୍ରୁପକୁ ବଜାରରେ ତଳିତଳାନ୍ତ କରିଦେଇଛି। କମ୍ପାନି ବିରୋଧରେ ଏହି ସଂସ୍ଥା ସେୟାର ଏବଂ ଆକାଉଣ୍ଟିଂ ଜାଲିଆତି ସହିତ ମନି ଲଣ୍ଡରିଂ ଅଭିଯୋଗ ଆଣିଛି। ଫଳରେ ୧୦ ଦିନରୁ କମ୍ ସମୟ ମଧ୍ୟରେ ଆଦାନିଙ୍କର ବ୍ୟକ୍ତିଗତ ସଂପତ୍ତି ୫୦ ବିଲିଅନ ଡଲାରରୁ ଅଧିକ ହ୍ରାସ ଘଟିଛି। କିଛିଦିନ ତଳେ ବିଶ୍ବର ତୃତୀୟ ଧନୀ ତାଲିକାକୁ ଯାଇଥିବା ଆଦାନି ଏବେ ୨୨ତମ ସ୍ଥାନକୁ ଖସିଆସିଛନ୍ତି। ତାଙ୍କ ଉତ୍‌ଥାନ ଓ ପତନ ସଂପର୍କରେ ଏକ ରିପୋର୍ଟ…

ପିଲାଦିନ
ଗୁଜରାଟର ଅହମଦାବାଦରେ ଏକ ଗୁଜରାଟୀ ଜୈନ ପରିବାରରେ ଗୌତମ ଆଦାନିଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କ ନାମ ଶାନ୍ତିଲାଲ ଆଦାନି ଏବଂ ମା’ଙ୍କ ନାମ ଶାନ୍ତାବେନ ଆଦାନି। ଗୌତମଙ୍କ ବାପାମା’ ଉତ୍ତର ଗୁଜରାଟରର ଥରାଡରୁ ଅହମଦାବାଦକୁ ଆସି ବସବାସ କରୁଥିଲେ। ଗୌତମ ଆଦାନି ଗୁଜରାଟ ବିଶ୍ବବିଦ୍ୟାଳୟରେ ବିକମ୍‌ ପାଠ ପଢ଼ିବା ପାଇଁ ନାମ ଲେଖାଇଥିଲେ। କିନ୍ତୁ ଦ୍ବିତୀୟ ବର୍ଷ ପରେ ସେ ପାଠ ଛାଡ଼ିଦେଇଥିଲେ। ଆଦାନିଙ୍କର ବ୍ୟବସାୟ ପ୍ରତି ଆଗ୍ରହ ଥିଲା। କିନ୍ତୁ ତାଙ୍କ ବାପା କରୁଥିବା କପଡ଼ା ବ୍ୟବସାୟ ପ୍ରତି ରୁଚି ନଥିଲା।

ଚାକିରି ଓ ଉଦ୍ୟୋଗୀ ଜୀବନ
୧୯୭୮ ମସିହାରେ ଆଦାନି ମୁମ୍ବାଇ ପଳାଇ ଆସିଥିଲେ। ସେଠାରେ ଏକ ସଂସ୍ଥାରେ ହୀରା ସର୍ଟର ବା ହୀରା ବାଛିବା କାର୍ଯ୍ୟ କରିଥିଲେ। ୧୯୮୧ ମସିହାରେ ତାଙ୍କ ବଡ଼ ଭାଇ ମନସୁଖଭାଇ ଆଦାନି ଅହମଦାବାଦରେ ଏକ ପ୍ଲାଷ୍ଟିକ ୟୁନିଟ ସ୍ଥାପନ କରିଥିଲେ। କମ୍ପାନି ବୁଝାବୁଝି କରିବା ପାଇଁ ସେ ଗୌତମ ଆଦାନିଙ୍କୁ ଡାକିଥିଲେ। ଏହି କମ୍ପାନି ଜରିଆରେ ଆଦାନି ପିଭିସି ପାଇପ ଆମଦାନୀ ଦୁନିଆରେ ପ୍ରବେଶ କରିଥିଲେ। ୧୯୮୫ରେ ସେ କ୍ଷୁଦ୍ର ଶିଳ୍ପ ପାଇଁ ପ୍ରାଇମେରି ପଲିମର ଆମଦାନି କରିଥିଲେ। ୧୯୮୮ରେ ସେ ଆଦାନି ଏକ୍ସପୋର୍ଟସ ସ୍ଥାପନ କରିଥିଲେ। ବର୍ତ୍ତମାନ ଏହା ଆଦାନି ଏଣ୍ଟରପ୍ରାଇଜ୍ ଭାବେ ପରିଚିତ। ପ୍ରଥମେ ଉକ୍ତ କମ୍ପାନି କୃଷି ଏବଂ ଶକ୍ତି ସାମଗ୍ରୀର ବ୍ୟବସାୟ କରିଲା। ୧୯୯୧ ମସିହାରେ ଭାରତୀୟ ଅର୍ଥନୀତିରେ ଉଦାରୀକରଣ ନୀତି କାର୍ଯ୍ୟକାରୀ ହେବା ଫଳରେ ଆଦାନି ଧାତବ, କପଡ଼ା ଏବଂ କୃଷିଜାତ ସାମଗ୍ରୀ ରପ୍ତାନି କରି ବ୍ୟବସାୟ ଆଗକୁ ନେଇଥିଲେ।

୧୯୯୪ ମସିହାରେ ମୁନ୍ଦ୍ରା ପୋର୍ଟ ପକ୍ଷରୁ ଏହାର ପରିଚାଳନା କାର୍ଯ୍ୟ ଆଉଟସୋର୍ସିଂ ପାଇଁ ଟେଣ୍ଡର ହୋଇଥିଲା। ୧୯୯୫ ମସିହାରେ ଏହି କାର୍ଯ୍ୟ ଆଦାନିଙ୍କୁ ମିଳିଥିଲା। ୧୯୯୫ରେ ସେ ଏଠା‌ରେ ପ୍ରଥମ ଜେଟି ନିର୍ମାଣ କରିଥିଲେ। ପ୍ରଥମେ ମୁନ୍ଦ୍ରା ପୋର୍ଟ ଆଣ୍ଡ ଏସଇଜେଡ୍ ଦ୍ବାରା ଉକ୍ତ ବନ୍ଦର ପରିଚାଳିତ ହେଉଥିଲା। କିନ୍ତୁ ପରେ ଉକ୍ତ କାର୍ଯ୍ୟ ଆଦାନି ପୋର୍ଟସ ଆଣ୍ଡ ଏସ‌ଇଜେଡକୁ ହସ୍ତାନ୍ତର କରାଯାଇଥିଲା। ଏବେ ଆଦାନି ମୁନ୍ଦ୍ରା ସହିତ ଧାମରା ଭଳି ବନ୍ଦର ପରିଚାଳନା କରୁଛନ୍ତି। ନିକଟରେ ଇସ୍ରାଏଲର ଏକ ବନ୍ଦରକୁ ମଧ୍ୟ ସେ ଅଧିଗ୍ରହଣ କରିବାର ବିରଳ ସଫଳତା ପାଇଛନ୍ତି। ୧୯୯୬ରେ ଆଦାନି ଶକ୍ତି ବ୍ୟବସାୟରେ ପ୍ରବେଶ କରିଥିଲେ। ଆଦାନି ପାୱାର ନାମରେ କମ୍ପାନି ସ୍ଥାପନ କରିଥିଲେ। ଏହି କମ୍ପାନିର ବାର୍ଷିକ ଶକ୍ତି ଉତ୍ପାଦନ କ୍ଷମତା ୪୬୨୦ ମେଗାୱାଟ ରହିଛି।

ଏମ୍‌ଏସ୍‌ ସୁଜ୍‌ ନାମକ ଏକ କମ୍ପାନି ଆଦାନିଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲା। ଏହାପରେ ତାଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି ହେବାରୁ ଦିଲ୍ଲୀ ପୁଲିସ ତାଙ୍କୁ ୨୦୦୨ ମସିହାରେ ଦିନକ ପାଇଁ ଗିରଫ କରିଥିଲା। ଦୁଇପକ୍ଷ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବୋଲି ଅଦାଲତଙ୍କୁ ସୂଚନା ଦିଆଯିବା ପରେ ‌ଗିରଫ ପରୱାନାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ୨୦୧୨ ମସିହାରେ ଆଦାନିଙ୍କ କମ୍ପାନି ଅଷ୍ଟ୍ରେଲିଆରେ ଆବଟ୍‌ ପଏଣ୍ଟ ପୋର୍ଟ ଏବଂ କାର୍ମିକେଲ କୋଇଲା ଖଣିକୁ ଅଧିଗ୍ରହଣ କରିଥିଲା। ୨୦୧୨ ମସିହାରେ ମଧ୍ୟ ଆଦାନିଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଗୁରୁତର ଜାଲିଆତି ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ପକ୍ଷରୁ ଠକେଇ ଓ ଅପରାଧିକ ଷଡ଼୍‌ଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏ ନେଇ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା। କିନ୍ତୁ ୨୦୧୪ ମେ’ ମାସରେ ଆଦାନିଙ୍କ ସମେତ ଅନ୍ୟମାନଙ୍କୁ ଦୋଷମୁକ୍ତ କରାଯାଇଥିଲା। ତେବେ ଆଦାନିଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ମୁମ୍ବାଇ ସେସନ୍ସ ଅଦାଲତ ଓଲଟାଇ ଦେଇଥିଲେ। ୨୦୨୦ ସେପ୍ଟେମ୍ବରରେ ଆଦାନି ଗ୍ରୁପ୍ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ୭୪ ପ୍ରତିଶତ ଅଂଶଧନ କିଣିଥିଲେ। ଏହାପରେ ସେ ଗତବର୍ଷ ସୌର ବା ସବୁଜ ଶକ୍ତି ପ୍ରକଳ୍ପ ସଂପର୍କରେ ବଡ଼ ଧରଣର ଘୋଷଣା କରିଥିଲେ।

୨୦୨୨ ସମ୍ଭବତଃ ଆଦାନିଙ୍କ ପାଇଁ ସବୁଠୁ ଭଲ ବର୍ଷ ଥିଲା। ଏହି ବର୍ଷ ସେ ମୁକେଶ ଅମ୍ବାନିଙ୍କୁ ଟପି ଏସିଆର ଶୀର୍ଷ ଧନୀ ବ୍ୟକ୍ତି ହୋଇଥିଲେ। ୨୦୨୨ ଅଗଷ୍ଟରେ ସେ ବିଶ୍ବର ତୃତୀୟ ବଡ଼ ଧନୀବ୍ୟକ୍ତି ବୋଲି ଫର୍ଚ୍ୟୁନ ମାଗାଜିନ ପକ୍ଷରୁ ଘୋଷଣା କରାଯାଇଥିଲା। ୨୦୨୨ ମେ’ ମାସରେ ଆଦାନି ଅମ୍ବୁଜା ସିମେଣ୍ଟ ଏବଂ ଏସିସିକୁ ୧୦.୫ ବିଲିଅନ ଡଲାରରେ କରିଥିଲେ। ସେହିଭଳି ୨୦୨୨ ଅଗଷ୍ଟରେ ସେ ଏନଡିଟିଭିର ମାଲିକାନା ମଧ୍ୟ କିଣିବାରେ ସକ୍ଷମ ହୋଇଥିଲେ।

ରାଜନୈତିକ ଅନୁଗ୍ରହ!
ଆଦାନି ଗୁଜରାଟର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁଜରାଟର। ତେଣୁ ଆଦାନିଙ୍କୁ ମୋଦୀ ସରକାର ଅନୁଗ୍ରହ କରୁଛନ୍ତି ବୋଲି ବିରୋଧୀମାନେ ସବୁବେଳେ ଅଭିଯୋଗ କରିଥା’ନ୍ତି। ମୋଦୀ ସରକାରଙ୍କ ନିକଟତର ହୋଇପାରିଥିବାରୁ ସରକାରୀ ପ୍ରକଳ୍ପମାନ ଅନାୟାସରେ ସେ ହାସଲ କରିବା ନେଇ ଅଭିଯୋଗ ସାଧାରଣରେ ହୋଇଥାଏ।

ଆଦାନିଙ୍କ ପରିବାର
ଗୌତମ ଆଦାନିଙ୍କ ପତ୍ନୀଙ୍କ ନାମ ପ୍ରୀତି ଆଦାନି। ଆଦାନି ଦମ୍ପତିଙ୍କର ଦୁଇଜଣ ପିଲା ଅଛନ୍ତି। ସେମାନେ ହେଲେ କରନ ଆଦାନି ଏବଂ ଜିତ୍‌ ଆଦାନି। ୧୯୯୮ ମସିହାରେ ଗୌତମ ଆଦାନି ଓ ତାଙ୍କର ଅନ୍ୟଜଣେ ସହଯୋଗୀ ଶାନ୍ତିଲାଲ ପଟେଲଙ୍କୁ ଅର୍ଥ ପାଇଁ ମୁଣ୍ଡଜାମିନ ରଖାଯାଇଥିଲା। କିନ୍ତୁ ଅପରାଧୀମାନେ ପରେ ସେମାନଙ୍କୁ ଛାଡ଼ି ଦେଇଥିଲେ। ପୂର୍ବର ଗ୍ୟାଙ୍ଗଷ୍ଟର ଫଜଲ ଉର ରହମାନ ଏବଂ ଭୋଗିଲାଲ ଦରଜି ଏହି ମାମଲାରେ ଅଭିଯୁକ୍ତ ଥିଲେ। କିନ୍ତୁ ଆଦାନି ଓ ତାଙ୍କ ସହଯୋଗୀ ଅଦାଲତରେ ହାଜର ନହେବା କାରଣରୁ ଅଭିଯୁକ୍ତଙ୍କୁ ଅଦାଲତ ୨୦୧୮ ମସିହାରେ ଦୋଷମୁକ୍ତ କରିଥିଲେ। ଆଦାନିଙ୍କ ଜୀବନର ଅନ୍ୟ ଏକ ବଡ଼ ଘଟଣା ହେଲା ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଆତଙ୍କବାଦୀମାନେ ଆକ୍ରମଣ କରିବା ବେଳେ ସେ ତାଜ୍ ହୋଟେଲରେ ହିଁ ଥିଲେ।

୬୦ ହଜାର କୋଟି ଦାନ
ଆଦାନିଙ୍କ ୬୦ତମ ଜନ୍ମଦିନ ଗତ ଜୁନରେ ପାଳନ ହୋଇଥିଲା। ସେହିଦିନ ତାଙ୍କ ପକ୍ଷରୁ ଦେଶରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦକ୍ଷତା ବିକାଶ ଆଦି କାର୍ଯ୍ୟ ପାଇଁ ୬୦ ହଜାର କୋଟି ଟଙ୍କା ଦାନ ସଂପର୍କରେ ଘୋଷଣା କରାଯାଇଥିଲା। ଏହାବ୍ୟତୀତ କରୋନା ମହାମାରୀ ସମୟରେ ସେ ପିଏମ୍‌ ‌କେୟାର୍ସ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରିଥିଲେ। ଏହାଛଡ଼ା ଅନ୍ୟାନ୍ୟ ଦାତବ୍ୟ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି। ଆଦାନି ଫାଉଣ୍ଡେସନ ଜରିଆରେ ଏସବୁ କାର୍ଯ୍ୟ ସଂପାଦିତ ହେଉଛି।

ହିଣ୍ଡେନବର୍ଗ ଚଡ଼କ
ତେବେ ୨୦୨୩ ମସିହା ଜାନୁଆରି ୨୪ ତାରିଖ ଥିଲା ଆଦାନିଙ୍କ ପାଇଁ ସବୁଠୁ ଖରାପ ଦିନ। ହିଣ୍ଡେନବର୍ଗ ରିସର୍ଚ୍ଚ ନାମକ ଆମେରିକାର ଏକ ସର୍ଟ ସେଲିଂ ଫାର୍ମ ତାହାର ରିପୋର୍ଟରେ ଆଦାନି ବିରୋଧରେ ଆକାଉଣ୍ଟିଂ ଏବଂ ଷ୍ଟକ ଜାଲିଆତି ଅଭିଯୋଗ ଆଣିଛି। ହିଣ୍ଡେନବର୍ଗ ପ୍ରାୟ ୧୦୦ ପୃଷ୍ଠାର ଅଭିଯୋଗ ଆଣିଛି। ଏହା ଉପରେ ଆଦାନି ଗ୍ରୁପ୍ ୪୧୩ ପୃଷ୍ଠାର ଜବାବ ମଧ୍ୟ ଦେଇ ସାରିଲାଣି। ଏହା ସତ୍ତ୍ବେ ଆଦାନି ଗ୍ରୁପ୍‌ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ଏଥିପାଇଁ ଷ୍ଟକମାର୍କେଟରେ ଆଦାନିର ସେୟାର କିଣିଥିବା ନିବେଶକମାନେ ସପ୍ତାହକ ଭିତରେ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି। ଗତ ସାତଟି କାରବାର ଦିନରେ ଆଦାନି ଗ୍ରୁପ୍‌ର ବଜାର ପୁଞ୍ଜି ପରିମାଣ ୫୧%ରୁ ଅଧିକ ହ୍ରାସ ପାଇଛି। ଆଦାନିର ବିଭିନ୍ନ କଂପାନି ଭିତରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କଂପାନି ହେଉଛି ଆଦାନି ଏଣ୍ଟରପ୍ରାଇଜେସ୍‌। ଏହାର ସେୟାର ମୂଲ୍ୟ ୧୦୯୫.୩୦ ଟଙ୍କାକୁ ଖସିଆସିଛି। ସପ୍ତାହକ ପୂର୍ବରୁ କଂପାନିର ସେୟାର ଦାମ୍ ୩୧୧୨-୩୨୭୬ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ଆଦାନି ଏଣ୍ଟରପ୍ରାଇଜେସ୍‌ ନିଜର ୨୦ ହଜାର କୋଟି ଟଙ୍କାର ଫଲୋଅନ୍‌ ପବ୍ଲିକ୍ ଅଫର (ଏଫ୍‌ପିଓ)କୁ ମଧ୍ୟ ବାତିଲ କରିଛି।

ସମ୍ବନ୍ଧିତ ଖବର