ଅତ୍ୟଧିକ ଋଣ ରିପୋର୍ଟକୁ ଆଦାନିଙ୍କ ଖଣ୍ଡନ: ବ୍ୟାଙ୍କ ଋଣ ହ୍ରାସ ପାଇଛି

ମିଶ୍ରଣ, ଅଧିଗ୍ରହଣ ଦେଖାଶୁଣା ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ ଋଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିବା ନେଇ କ୍ରେଡିଟ୍‌ସାଇଟ୍‌ସ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ କଂପାନିର ମୁଖ୍ୟ ତଥା ବିଶ୍ବର ତୃତୀୟ ବଡ଼ ଧନୀ ଗୌତମ ଆଦାନି ଖଣ୍ଡନ କରିଛନ୍ତି। କ୍ରେଡିଟ୍‌ସାଇଟ୍‌ସକୁ ଲେଖିଥିବା ଏକ ୧୫ ପୃଷ୍ଠାର ଜବାବରେ ଆଦାନି ଜଣାଇଛନ୍ତି ଯେ ଆମ ଉପରେ ଅତ୍ୟଧିକ ଋଣ ନାହିଁ। ୨୦୨୨ ମାର୍ଚ୍ଚ ସୁଦ୍ଧା କଂପାନି ଉପରେ ୧.୮୮ ଲକ୍ଷ କୋଟି ଟଙ୍କାର ଋଣ ଥିଲା। ମାତ୍ର କଂପାନି ପାଖରେ ଥିବା ନଗଦ ରାଶିକୁ ବିଚାରକୁ ନେବା ପରେ ‌ସେହି ଋଣ ୧.୬୧ ଲକ୍ଷ କୋଟି ଟଙ୍କା ସ୍ତରକୁ ହ୍ରାସ ପାଇଥିଲା। ୨୦୧୫-୧୬ ବେଳକୁ କଂପାନିର ମୋଟ ଋଣରେ ସରକାରୀ ବ୍ୟାଙ୍କରୁ ମିଳିଥିବା ଋଣର ଭାଗ ୫୫ ପ୍ରତିଶତ ଥିଲା। ୨୦୨୧-୨୨ରେ ସେହି ହାର ୨୧ ପ୍ରତିଶତକୁ ଖସିଛି। ସରକାରୀ ବ୍ୟାଙ୍କ ଋଣ ହ୍ରାସ ପାଇଛି। ୨୦୧୫-୧୬ରେ ମୋଟ ଋଣରେ ଘରୋଇ ବ୍ୟାଙ୍କ ଋଣର ଅବଦାନ ୩୧ ପ୍ରତିଶତ ଥିଲା ଯାହା ଏବେ ୧୧ ପ୍ରତିଶତକୁ ହ୍ରାସ ପାଇଛି। କଂପାନି ଋଣ ପରିଚାଳନାକୁ ବେଶ ଗୁରୁତ୍ବ ଦେଉଛି।

ରେଟିଂ ଏଜେନ୍ସି ଫିଚ୍‌ ଗ୍ରୁପ୍‌ର ଏକ ସଂସ୍ଥା ହେଉଛି କ୍ରେଡିଟ୍‌ସାଇଟ୍‌ସ। କିଛି ଦିନ ପୂର୍ବେ ଏହା ଆଦାନି ଗ୍ରୁପ୍ ଉପରେ ଏକ ରିପୋର୍ଟ ଜାରି କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ କଂପାନି ଅତ୍ୟଧିକ ଋଣ ନେଇଛି। ଯେହେତୁ ବହୁ ମହତ୍ବକାଂକ୍ଷୀ ପ୍ରକଳ୍ପ ପାଇଁ ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରାଯାଇଛି ତେଣୁ ଏକ ଖରାପ ସମୟରେ ତାହା ବଡ଼ ଧରଣର ଋଣ ଜାଲରେ ପରିଣତ ହେବ ଓ ଆଦାନି ‌ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ସଂସ୍ଥା ଋଣ ଖିଲାପ କରିବେ। ଅନ୍ୟ ପକ୍ଷରେ, ନିଜ ସଂସ୍ଥାକୁ ଆହୁରି ଆଗକୁ ବଢ଼ାଇବା ଲାଗି ଆଦାନି ଗ୍ରୁପ୍ ଅଧିଗ୍ରହଣ ଓ ମିଶ୍ରଣକୁ ନେଇ ବଡ଼ ଯୋଜନା ରଖିଛି। ତାହାର ଦେଖାଶୁଣା କରିବାର ଲାଗି ଯୋଗ୍ୟ ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଦାୟିତ୍ବରେ ଥିବା ବିନୋଦ ବହେଟିଙ୍କୁ କଂପାନି ନୂଆ ଦାୟିତ୍ବ ଦେବ। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରାଯିବ। ନିକଟରେ ଆଦାନି ସିମେଣ୍ଟ୍‌ କଂପାନି ହୋଲ୍‌ସିମ୍ ଏଜିର ଭାରତୀୟ ବ୍ୟବସାୟକୁ କିଣିଥିଲେ।

ସମ୍ବନ୍ଧିତ ଖବର