ସପ୍ତାହକୁ ଆଦାନିଙ୍କ କ୍ଷତି ୩୦୦୦ କୋଟି: ବର୍ଷକରେ ସମ୍ପତ୍ତି ୬୦% କମିଲା
ଭାରତର ଏକ ନମ୍ବର, ଏସିଆର ଦୁଇ ନମ୍ବର ଧନୀ ମୁକୁଟ ହରାଇଲେ, ମୁକେଶ ପୁଣି ଏକ ନମ୍ବର
ନୂଆଦିଲ୍ଲୀ: ବର୍ଷେ ହେଲାଣି ଶିଳ୍ପପତି ଗୌତମ ଆଦାନିଙ୍କ ଖରାପ ବେଳା ଚାଲିଛି। ଏହି ସମୟରେ ତାଙ୍କ କଂପାନି ବିରୋଧରେ ସଙ୍ଗିନ ଅଭିଯୋଗ ଆସିଥିବା ବେଳେ ସେ ବିପୁଳ ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି। ଗତ ଏକ ବର୍ଷ ଭିତରେ ପ୍ରତି ସପ୍ତାହରେ ଆଦାନି ୩୦୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ବର୍ଷକ ଭିତରେ ତାଙ୍କ ସମ୍ପତ୍ତି ୬୦ ପ୍ରତିଶତ ହ୍ରାସ ପାଇ ୫୩୦୦ କୋଟି ଡଲାରରେ ପହଞ୍ଚିଛି।
ଆମେରିକାର ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚ ତାଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିବା ପରେ ଆଦାନିଙ୍କ ସମ୍ପତ୍ତିରେ ଦ୍ରୁତ ହ୍ରାସ ହୋଇଛି। ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ସେ ବିଶ୍ବ ଧନୀ ତାଲିକାର ତୃତୀୟ ସ୍ଥାନରେ ଥିଲେ। ସଦ୍ୟ ପ୍ରକାଶିତ ଏମ୍୩ଏମ୍ ହୁରୁନ୍ ବିଶ୍ବ ଧନୀ ତାଲିକା ୨୦୨୩ରେ ସେ ୨୩ତମ ସ୍ଥାନକୁ ଖସିଆସିଛନ୍ତି। ସେ ୨୮୦୦ କୋଟି ଡଲାରର ସମ୍ପତ୍ତି ହରାଇବା ଯୋଗୁଁ ଭାରତର ସବୁଠୁ ବଡ଼ ଧନୀ ମୁକୁଟ ମଧ୍ୟ ହରାଇଛନ୍ତି। ସେ ଏସିଆର ଦ୍ବିତୀୟ ବଡ଼ ଧନୀ ମାନ୍ୟତା ମଧ୍ୟ ହରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ୮୨୦୦ କୋଟି ଡଲାର ସମ୍ପତ୍ତି ସହ ପୁଣି ଥରେ ଭାରତର ଏକ ନମ୍ବର ଧନୀ ଭାବେ ଉଭା ହୋଇଛନ୍ତି।
ଏମିତି ଦେଖିଲେ କେବଳ ଆଦାନି ନୁହେଁ, ୨୮ ଜଣ ଭାରତୀୟ ଧନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ବିଶ୍ବ ଧନୀ ତାଲିକାର ନବମ ସ୍ଥାନରେ ଥିବା ମୁକେଶଙ୍କ ସମ୍ପତ୍ତି ୨୦% କମିଥିବା ବେଳେ ଡି-ମାର୍ଟର ରାଧାକ୍ରିଷ୍ଣ ଦମାନିଙ୍କ ୩୦% ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଉଦୟ କୋଟାକ୍ଙ୍କ ସମ୍ପତ୍ତି ୧୩ ପ୍ରତିଶତ ହ୍ରାସ ପାଇଛି। ଆର୍ସେଲର ମିତ୍ତଲର ଲକ୍ଷ୍ମୀ ଏନ୍ ମିତ୍ତଲ, ଏଚ୍ସିଏଲ୍ର ଶିବ ନାଦାର, ହିନ୍ଦୁଜା ଭ୍ରାତା, ସନ୍ ଫାର୍ମାର ଦିଲ୍ଲୀପ ସାଂଘଭି ଓ ବିର୍ଲା ଗ୍ରୁପ୍ର କୁମାର ମଙ୍ଗଳମ୍ ବିର୍ଲାଙ୍କ ସମ୍ପତ୍ତି ମଧ୍ୟ କମିଛି। ବିଶ୍ବ ସ୍ତରରେ ଆମାଜନ ମୁଖ୍ୟ ଜେଫ୍ ବେଜୋସ୍ ସର୍ବାଧିକ ୭୦୦୦ କୋଟି ଡଲାର ହରାଇଥିବା ବେଳେ ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ୪୮୦୦ କୋଟି ଡଲାର ହରାଇଛନ୍ତି। ବିଲିଓନେୟାର (୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତିର ମାଲିକ) ସଂଖ୍ୟା ଦୃଷ୍ଟିରୁ ଆମେରିକା ଓ ଚୀନ୍ ପରେ ଭାରତ ତୃତୀୟ ସ୍ଥାନରେ ରହିଛି।
ବିଶ୍ବବ୍ୟାପୀ ବିଲିଓନେୟାରମାନଙ୍କ ସଂଖ୍ୟା ୮% କମିଥିବା ବେଳେ ସେମାନଙ୍କ ସମ୍ପତ୍ତି ୧୦% ହ୍ରାସ ପାଇଛି। ୧୭୬ ଜଣ ନୂଆ ବିଲିଓନେୟାର ତାଲିକାରେ ସାମିଲ ହୋଇଥିବା ବେଳେ ୪୪୫ ଜଣ ତାଲିକାରୁ ବିଦା ହୋଇଛନ୍ତି। ୨୪୭୯ ଜଣ ଧନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଭାରତର ୧୮୭ ଜଣ ବିଲିଓନେୟାରଙ୍କ ମଧ୍ୟରୁ ୫ ଜଣ ବିଶ୍ବର ଶ୍ରେଷ୍ଠ ୧୦୦ ଜଣ ଧନୀଙ୍କ ମଧ୍ୟରେ ରହିଛନ୍ତି। ୩୦ ଜଣ ବିଦେଶରେ ବାସ କରୁଥିବା ବେଳେ ୧୫ ଜଣ ନୂଆ ଚେହେରା ଓ ୧୦ ଜଣ ହେଉଛନ୍ତି ମହିଳା। ଭାରତରୁ ୧୧୪ ଜଣ ବିଲିଓନେୟାର ଦେଶ ଛାଡ଼ିଛନ୍ତି। କିନ୍ତୁ ଜଣେ ବି ବିଲିଓନେୟାର ବସବାସ କରିବା ଲାଗି ଭାରତ ଆସିନାହାନ୍ତି। ଭାରତର ଅଧିକାଂଶ ବିଲିଓନେୟାର ମୁମ୍ବାଇ (୬୬), ଦିଲ୍ଲୀ (୩୯) ଓ ବାଙ୍ଗାଲୋର (୨୨) ସହରରେ ରହୁଛନ୍ତି। ଗତ ପାଞ୍ଚ ବର୍ଷରେ ଭାରତୀୟ ଧନୀମାନେ ଯେତିକି ସମ୍ପତ୍ତି ସୃଷ୍ଟି କରିଛନ୍ତି ତାହା ହଂକଂ ଅର୍ଥନୀତିଠାରୁ ଅଧିକ।