ବଢ଼ିଲା ଆଦାନି ଅଡ଼ୁଆ: ବ୍ୟାଙ୍କକୁ ତଥ୍ୟ ମାଗିଲା ରିଜର୍ଭ ବ୍ୟାଙ୍କ
ଆଦାନି ବଣ୍ଡ୍, ପ୍ରତିଭୂତି ଗ୍ରହଣ କରିବାକୁ ମନାକଲେ କ୍ରେଡିଟ୍ ସ୍ବିସ୍, ସିଟି ଗ୍ରୁପ୍, ୭୦୦୦ କୋଟି ଦେଇଛି ଷ୍ଟେଟ୍ ବ୍ୟାଙ୍କ
ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନି ଗ୍ରୁପ୍ର ଅଡ଼ୁଆ ଗେବଢ଼ିବାରେ ଲାଗିଛି। ଆଦାନି କଂପାନିଗୁଡ଼ିକର ସେୟାର ମୂଲ୍ୟରେ ହେଉଥିବା ହ୍ରାସକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଚିନ୍ତିତ ହୋଇପଡ଼ିଛି। ଆଦାନିର ବିଭିନ୍ନ କଂପାନିକୁ ଦିଆଯାଇଥିବା ଋଣ ବିଷୟରେ ଜଣାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଅନ୍ୟ ପକ୍ଷରେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ ପକ୍ଷରୁ ଆଦାନି ଗ୍ରୁପ୍ର ତିନିଟି ସଂସ୍ଥା ଆଦାନି ପୋର୍ଟସ୍, ଆଦାନି ଏଣ୍ଟରପ୍ରାଇଜେସ୍ ଓ ଅମ୍ବୁଜା ସିମେଣ୍ଟ୍ ସେୟାର ମୂଲ୍ୟ ଉପରେ କଡ଼ା ନଜର ରଖାଯାଇଛି। କିଛି ଦିନ ହେଲାଣି ଆଦାନିର ବିଭିନ୍ନ କଂପାନି ସେୟାର ମୂଲ୍ୟରେ ଲଗାତାର ହ୍ରାସ ଜାରି ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଦାନି ଏଣ୍ଟରପ୍ରାଇଜେସ୍ ହଠାତ୍ ଏହାର ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ୍ ଅଫର (ଏଫ୍ପିଓ)କୁ ବାତିଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଅଫରରେ ଯେତିକି ସେୟାର ଉପଲବ୍ଧ ଥିଲା। ତଥାପି କଂପାନି ଏହାର ଅଫରକୁ ବାତିଲ କରିଛି। ନିବେଶକମାନଙ୍କ ପାଣ୍ଠି ଫେରାଇ ଦିଆଯିବ ବୋଲି ମଧ୍ୟ ଏହା ଜଣାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଋଣ ଉଠାଇବା ଆଦାନିର ବିଭିନ୍ନ କଂପାନିଗୁଡ଼ିକ ଲାଗି କଷ୍ଟକର ହୋଇପଡ଼ିଛି। ସ୍ବିସ୍ ବ୍ୟାଙ୍କ କ୍ରେଡିଟ୍ ସ୍ବିସ୍ ଆଦାନିର ବଣ୍ଡ୍କୁ ବନ୍ଧକ ଭାବେ ଗ୍ରହଣ କରିବାକୁ ମନା କରିଦେଇଛି। ସେହିପରି ସିଟି ଗ୍ରୁପ୍ର ସମ୍ପତ୍ତି ପରିଚାଳନା କରୁଥିବା ସଂସ୍ଥା ମଧ୍ୟ ଆଦାନି ଗ୍ରୁପ୍ର ପ୍ରତିଭୂତିକୁ ଗ୍ରହଣ କରିବାକୁ ମନା କରିଦେଇଛି। ସାଧାରଣତଃ ପ୍ରତିଭୂତିକୁ ବନ୍ଧକ ରଖି କର୍ପୋରେଟ୍ ସଂସ୍ଥା ଋଣ ନେଇଥାନ୍ତି। ମାତ୍ର ଆଦାନି ଗ୍ରୁପ୍ ଅଧୀନରେ ଥିବା ୧୦ଟି ତାଲିକାଭୁକ୍ତ କଂପାନିର ସେୟାର ମୂଲ୍ୟରେ ଯେଉଁଭଳି ବଡ଼ ଧରଣର ହ୍ରାସ ହୋଇଛି ତାହା ବନ୍ଧକ ଥିବା ପ୍ରତିଭୂତିର ମୂଲ୍ୟକୁ ମଧ୍ୟ କମ୍ କରିଛି। ଆଦାନି ଗ୍ରୁପ୍ ବିଫଳ ହେଲେ ତାହାର ସିଧାସଳଖ ପ୍ରଭାବ ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିବାର ଆଶଙ୍କା ଥିବାରୁ ନିବେଶକମାନେ ବ୍ୟାଙ୍କର ସେୟାରକୁ ମଧ୍ୟ ବିକ୍ରି କରୁଛନ୍ତି। ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଦାନି ଗ୍ରୁପ୍କୁ ୭,୦୦୦ କୋଟି ଟଙ୍କା ଦେଇଛି। ସେହି ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବ୍ୟାଙ୍କ କହିଛି। କାରଣ ଯେଉଁ ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ଦେଇଛି ସେଥିରୁ ଠିକ୍ଠାକ୍ ଆୟ ହେଉଛି। ଆଦାନି ଗ୍ରୁପ୍ରେ ଏଲ୍ଆଇସିର ୩୬,୪୭୪.୭୮ କୋଟି ଟଙ୍କା ରହିଛି।
ମୁହଁ ଖୋଲିଲେ ଆଦାନି
ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ମୁହଁ ଖୋଲିଛନ୍ତି। ଆଦାନି କହିଛନ୍ତି ଯେ ବଜାର ସ୍ଥିର ହେବା ପରେ ପୁଞ୍ଜି ବଜାର ରଣନୀତିର ଆମେ ସମରକ୍ଷା କରିବୁ। ଏହି ନିଷ୍ପତ୍ତି ଆମର କୌଣସି ବ୍ୟବସାୟ ଓ ଭବିଷ୍ୟତ ଯୋଜନାକୁ ପ୍ରଭାବିତ କରିବ ନାହିଁ। ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ଆମେ ଧ୍ୟାନ ଦେବୁ।
ଆଦାନି ବନାମ ହିଣ୍ଡେନ୍ବର୍ଗ
ଆଦାନି କିଏ?
ଗୌତମ ଆଦାନି ହେଉଛନ୍ତି ଆଦାନି ଗ୍ରୁପ୍ର ମୁଖ୍ୟ। ତାଙ୍କ କଂପାନି ବିମାନବନ୍ଦର, ବନ୍ଦର, ବିଦ୍ୟୁତ ଉତ୍ପାଦନ, ଖଣି, ଖାଇବା ତେଲ, ଅକ୍ଷୟ ଶକ୍ତି, ଗଣମାଧ୍ୟମ ଓ ସିମେଣ୍ଟ୍ କାରବାରରେ ସକ୍ରିୟ ରହିଛି। କିଛି ଦିନ ପୂର୍ବେ ସେ ବିଶ୍ବର ତୃତୀୟ ବଡ଼ ଧନୀ ବ୍ୟକ୍ତି ଥିଲେ। ଏବେ କିନ୍ତୁ ଶୀର୍ଷ ୧୦ ତାଲିକାରୁ ବିଦା ହୋଇ ୧୫ତମ ସ୍ଥାନକୁ ଖସିଆସିଛନ୍ତି। କରୋନା ମହାମାରୀ ପରେ ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇବାରେ ସେ ବିଶ୍ବର ଅନ୍ୟ ଧନୀମାନଙ୍କୁ ପଛରେ ପକାଇ ଦେଇଥିଲେ। ତାଙ୍କ ମୁଣ୍ଡରୁ ଏସିଆ ଓ ଭାରତର ବଡ଼ ଧନୀ ମୁକୁଟ ମଧ୍ୟ ହଟିଯାଇଛି।
ହିଣ୍ଡେନ୍ବର୍ଗ କ’ଣ?
ହିଣ୍ଡେନ୍ବର୍ଗ ରିସର୍ଚ୍ଚ ହେଉଛି ଆମେରିକାର ଏକ ଛୋଟ ଫୋରେନ୍ସିକ୍ ଆର୍ଥିକ ଗବେଷଣା ସଂସ୍ଥା। ୨୦୧୭ରେ ଏହାକୁ ଚାର୍ଟାର୍ଡ ଫାଇନାନ୍ସିଆଲ ଆନାଲିଷ୍ଟ୍ ନାଥନ୍ ଆଣ୍ଡରସନ୍ ସ୍ଥାପନ କରିଥିଲେ। କର୍ପୋରେଟ୍ ସଂସ୍ଥା କରୁଥିବା ଜାଲିଆତି ଉପରେ ଏହା ନଜର ରଖି ନିୟମିତ ବ୍ୟବଧାନରେ ରିପୋର୍ଟ ପ୍ରକାଶ କରୁଛି। ବର୍ତ୍ତମାନ ସୁଦ୍ଧା ୧୫ଟି ସଂସ୍ଥାକୁ ନେଇ ଏହା ରିପୋର୍ଟ ଜାରି କଲାଣି। ଏହାର ସଦ୍ୟତମ ରିପୋର୍ଟ ଆଦାନି ଗ୍ରୁପ୍ ସମ୍ପର୍କରେ ଥିଲା। କଂପାନି ଅଭିଯୋଗ କରିଛି ଯେ ଆଦାନି ଗ୍ରୁପ୍ ସେୟାର ମୂଲ୍ୟରେ ହେରଫେର ଓ ଆକାଉଣ୍ଟ୍ ଜାଲିଆତିରେ ଲିପ୍ତ ରହିଛି। ଆଦାନି ଗ୍ରୁପ୍ ଫଲୋ ଅନ୍ ପବ୍ଲିକ୍ ଅଫର ଜାରି କରି ଷ୍ଟକ ବଜାର ଜରିଆରେ ୨୦ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ଯାଉଥିବାର କିଛି ଦିନ ପୂର୍ବରୁ ହିଣ୍ଡେନ୍ବର୍ଗ ଏହି ସଙ୍ଗିନ ଅଭିଯୋଗ କରିଥିଲା।
ଆଦାନି ଗ୍ରୁପ୍ର ଉତ୍ତର କ’ଣ ଥିଲା?
ହିଣ୍ଡେନ୍ବର୍ଗ ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆଦାନି ଗ୍ରୁପ୍ ଖଣ୍ଡନ କରିବା ସହ ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲା। ଏହି ରିପୋର୍ଟ ଭାରତ ଉପରେ ଆକ୍ରମଣ ସଦୃଶ ବୋଲି ଆଦାନି ଗ୍ରୁପ୍ ଏହାର ୪୧୩ ପୃଷ୍ଠାର ଉତ୍ତରରେ ଜଣାଇଥିଲା।
ଆଦାନିକୁ ହିଣ୍ଡେନ୍ବର୍ଗ କ’ଣ ଜବାବ ଦେଇଥିଲା?
ହିଣ୍ଡେନ୍ବର୍ଗ କହିଥିଲା ଯେ ଆମେ ଯେଉଁ ୮୮ଟି ନିର୍ଦିଷ୍ଟ ପ୍ରଶ୍ନ କରିଥିଲୁ ତାହାର ଉତ୍ତର ଦେବା ବଦଳରେ ଆଦାନି ଗ୍ରୁପ୍ ଜାତୀୟତାବାଦ କଥା ଉଲ୍ଲେଖ କରିଛି। ଜାତୀୟତାବାଦ ନାଁରେ ଜାଲିଆତିକୁ ଲୁଚାଇ ହେବନାହିଁ।
ଆଦାନି ଗ୍ରୁପ୍ର କ’ଣ ଅସୁବିଧା ହେଲା?
ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଷ୍ଟକ ବଜାରରେ ଆଦାନି ଗ୍ରୁପ୍ର ତାଲିକାଭୁକ୍ତ ହୋଇଥିବା ୧୦ଟି ସଂସ୍ଥା ମଧ୍ୟରୁ ୭ଟିର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ନିବେଶକମାନେ ଆଦାନି କଂପାନିର ସେୟାର ବିକ୍ରି କରୁଛନ୍ତି। ସେମାନଙ୍କୁ ଶାନ୍ତ କରିବା ଲାଗି ଆଦାନି ଗ୍ରୁପ୍ କରିଥିବା ସବୁ ଉଦ୍ୟମ ବିଫଳ ହୋଇଛି। କଂପାନି ଯେଉଁ ୨୦ ହଜାର କୋଟି ଟଙ୍କାର ଏଫ୍ପିଓ ଜାରି କରିଥିଲା ତାହା ସମ୍ପୂର୍ଣ୍ଣ ସବ୍ସ୍କ୍ରାଇବ୍ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ କଂପାନି ତାହାକୁ ବାତିଲ କରି ନିବେଶକଙ୍କୁ ଟଙ୍କା ଫେରାଇ ବୋଲି କହିଛି। ଆଜି ବି ଆଦାନି ଗ୍ରୁପ୍ର ସଂସ୍ଥା ଯଥା ଆଦାନି ଏଣ୍ଟରପ୍ରାଇଜେସ୍, ଆଦାନି ପାୱାର, ଆଦାନି ଗ୍ରିନ୍ ଏନର୍ଜି, ଆଦାନି ଟ୍ରାନ୍ସମିସନ, ଆଦାନି ଟୋଟାଲ୍ ଗ୍ୟାସ୍, ଏସିସି ଓ ଆଦାନି ପୋର୍ଟସ୍ ସେୟାର ମୂଲ୍ୟ ହ୍ରାସ ପାଇଛି। ସେୟାର ମୂଲ୍ୟରେ ଆରମ୍ଭ ହୋଇଥିବା ଏହି ହ୍ରାସର ଧାରା ବନ୍ଦ ହେଉନାହିଁ। ବହୁ ସଂସ୍ଥାର ସେୟାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିଆଲାଣି। ଭାରତର ଦୁଇ ପ୍ରମୁଖ ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଆଦାନି ଘଟଣାକ୍ରମ ଉପରେ ନଜର ରଖିବା ସହ ନିଜ ଆଡ଼ୁ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି।
କାହିଁକି ଚର୍ଚ୍ଚାରେ ଏଲ୍ଆଇସି, ଷ୍ଟେଟ୍ ବ୍ୟାଙ୍କ?
ଏଲ୍ଆଇସି ଓ ଷ୍ଟେଟ୍ ବ୍ୟାଙ୍କ ହେଉଛି ସରକାରଙ୍କ ଦ୍ବାରା ପରିଚାଳିତ ଦୁଇ ବୃହତ ଆର୍ଥିକ ସଂସ୍ଥା। ଏହି ଦୁଇ ସଂସ୍ଥା ଆଦାନିର ବିଭିନ୍ନ ସଂସ୍ଥାକୁ ଟଙ୍କା ଦେଇଛନ୍ତି। ଏଲ୍ଆଇସି ୩୬,୪୭୪ କୋଟି ଟଙ୍କା ଦେଇଥିବା ବେଳେ ଷ୍ଟେଟ୍ ବ୍ୟାଙ୍କ ୭୦୦୦ କୋଟି ଟଙ୍କା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତମ କୁହାଯାଉଥିବା ଗୌତମ ଆଦାନିଙ୍କ ସଂସ୍ଥାରେ ଏହି ଦୁଇ ପ୍ରମୁଖ ସଂସ୍ଥାର ନିବେଶ ବିରୋଧୀ ଦଳକୁ ପ୍ରତିବାଦ ସ୍ବର ଉଠାଇବାର ସୁଯୋଗ ଦେଇଛି। ଆଦାନି ବିରୋଧରେ ହିଣ୍ଡେନ୍ବର୍ଗ ଯେଉଁ ଜାଲିଆତି ଅଭିଯୋଗ ଆଣିଛି ତାହାକୁ ନେଇ ଗୃହରେ ଆଲୋଚନା କରିବାକୁ ବିରୋଧୀ ଦଳ ଜିଦ୍ ଧରିଛନ୍ତି।