ଏଡିବି ଦେବ ଭାରତ ସରକାରଙ୍କୁ ୧୫୦ କୋଟି ଡଲାରର ସହାୟତା

ନୂଆଦିଲ୍ଲୀ: ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ପକ୍ଷରୁ କରୋନା ମୁକାବିଲା କରୁଥିବା ଭାରତ ସରକାରଙ୍କୁ ୧୫୦ କୋଟି ଡଲାରର ସହାୟତା ଦିଆଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଏବଂ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଦିଗରେ ଭାରତ ଏହି ଋଣ ଅର୍ଥକୁ ବ୍ୟୟ କରିବ। ଏହା ବ୍ୟତୀତ କରୋନା ଭୁତାଣୁ ମୁକାବିଲା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଦ୍ବାରା ପ୍ରଭାବିତ ହୋଇଥିବା ଦେଶର ଗରିବ ଓ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସାମାଜିକ ସୁରକ୍ଷା ମଧ୍ୟ ଦିଆଯାଇପାରିବ। ଏଡିବିର ସଭାପତି ମାସାସୁଗୁ ଆସାକାୱା କହିଛନ୍ତି ଯେ, ଏହି ଅଭାବନୀୟ ସମୟରେ ଭାରତ ସରକାରଙ୍କୁ ସହାୟତା ଦେବାକୁ ଆମେ ପ୍ରତିବଦ୍ଧ। ଭାରତକୁ ବଡ଼ ଧରଣର ପ୍ୟାକେଜ୍ ଦେବାକୁ ଏଡିବି ପୂର୍ବରୁ ଘୋଷଣା କରିଥିଲା। ସେହି ପ୍ୟାକେଜ୍‌ର ଅଂଶ ଭାବେ ଏହି ସହାୟତା ରାଶି ମଞ୍ଜୁର କରାଯାଇଛି।

ଏହା ପୂର୍ବରୁ ବିଶ୍ବବ୍ୟାଙ୍କ ତରଫରୁ ଭାରତକୁ ୧୦୦ କୋଟି ଡଲାର ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ ୪୦୦ କୋଟି ଡଲାର ଋଣ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଆଗାମୀ ଦିନରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ସହାୟତା ଲାଗି ଏଡିବି ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅର୍ଥନୀତିରେ ସୁଧାର ଆଣିବା, ସରକାର ସେବା ପ୍ରଦାନ କରିବା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସହରାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ବ୍ୟାପକ କରିବା ଲାଗି ସହାୟତା ଦେବା ପାଇଁ ମଧ୍ୟ ସରକାରଙ୍କ ସହିତ ଏଡିବି ଆଲୋଚନା ଜାରି ରଖିଛି। ଏହି ଋଣ ବୁଝାମଣା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ସମୀର କୁମାର ଖାରେ କହିଛନ୍ତି ଯେ, ତୁରନ୍ତ ସହାୟତା ଦେଇଥିବାରୁ ଆମେ ଏଡିବିକୁ ଧନ୍ୟବାଦ ଦେଉଛୁ। ଏହି ସହାୟତା ରାଶି ଜରିଆରେ ଆସନ୍ତା ତିନି ମାସ ଭିତରେ ୮୦ ନିୟୁତରୁ ଅଧିକ ଗରିବ, ଉପେକ୍ଷୀତ ବର୍ଗର ଲୋକ ଏବଂ ମହିଳାମାନଙ୍କୁ ସହାୟତା ଯୋଗାଇ ଦିଅଯେିବ। କରୋନା ମୁକାବିଲା ଲାଗି କିଛି ସପ୍ତାହ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ, ଏଲ୍‌ପିଜି ଗ୍ୟାସ୍‌ ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଟଙ୍କା ପଠାଇବା ଲାଗି ଏହି ପ୍ୟାକେଜ୍ ଘୋଷଣା କରାଯାଇଥିଲା। ସରକାରଙ୍କ ସେହି ପ୍ୟାକେଜ୍‌କୁ ଏଡିବି ସହାୟତା ଦେବାକୁ ଆଗେଇ ଆସିଛି।

ସମ୍ବନ୍ଧିତ ଖବର