ଓଡ଼ିଶାରେ ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ଋଣ ସହାୟତା ଦେବ ଏସୀୟ ବିକାଶ ବ୍ୟାଙ୍କ

ଓଡ଼ିଶା ସମେତ ୫ ରାଜ୍ୟ ପାଇବେ ଟ. ୩୨୦୦ କୋଟି

ଭୁବନେଶ୍ୱର : ଓଡ଼ିଶା ସମେତ ଦେଶର ୫ ଟି ରାଜ୍ୟରେ ଗ୍ରାମାଞ୍ଚଳ ସଡ଼କ ନିର୍ମାଣ ପାଇଁ ୫୦୦ ନିୟୁତ ଡଲାରର ଋଣ ସହାୟତା ଦେବ ଏସୀୟ ବିକାଶ ବ୍ୟାଙ୍କ ବା ଏଡିବି । ଏହି ତାଲିକାରେ ଥିବା ଅନ୍ୟ ରାଜ୍ୟମାନେ ହେଲେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆସାମ ।
ଦୁଇଟି କିସ୍ତିରେ ମିଳିବାକୁ ଥିବା ଏହି ଅର୍ଥରେ ଏସବୁ ରାଜ୍ୟରେ ମୋଟ ପ୍ରାୟ ୧୨ ହଜାର କିଲୋମିଟର ଗ୍ରାମ୍ୟ ସଡ଼କ ତିଆରି କରାଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ୨୫୦ ନିୟୁତ ଡଲାର ( ପ୍ରାୟ ୧୬୦୦ କୋଟି ଟଙ୍କା) ର ପ୍ରଥମ କିସ୍ତି ମିଳିବ ଓ ଏହି ଅର୍ଥରେ ଏହି ୫ଟି ରାଜ୍ୟରେ ପ୍ରାୟ ୬୨୫୪ କିଲୋମିଟର ଗ୍ରାମୀଣ ସବୁଦିନିଆ ପକ୍କା ସଡ଼କ ନିର୍ମାଣ ହେବ । ଏହାର ୨ୟ କିସ୍ତି ଅର୍ଥ ୨୦୧୯ ବର୍ଷର ୩ୟ ତିନିମାସରେ ମିଳିବ ବୋଲି ଏଡିବି ପକ୍ଷରୁ ସୂଚନା ଦିଆଯାଇଛି ।

ଏଡିବିର ଗ୍ରାମାଞ୍ଚଳ ସଂଯୋଗ ନିବେଶ କାର୍ଯ୍ୟକ୍ରମ ଅଧିନରେ ଏହି ଆର୍ଥକ ସହାୟତା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଗତ ୨୦୧୨ରେ ଆରମ୍ଭ ହୋଇଥିଲା । ସେହି ବର୍ଷ ଏହି କାର୍ଯ୍ୟକ୍ରମରେ ଏଡିବି ପକ୍ଷରୁ ପ୍ରାୟ ୮୦୦ ନିୟୁତ ଡଲାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅର୍ଥରେ ଓଡ଼ିଶା ଓ ଅନ୍ୟ ୪ଟି ରାଜ୍ୟରେ ପ୍ରାୟ ୯ହଜାର କିମି ଗ୍ରାମ୍ୟ ସଡକ ନିର୍ମାଣ କରାଯାଇଥିଲା ।

ଏ ସଂପର୍କରେ ଏଡିବିର ପରିବହନ ବିଶେଷଜ୍ଞ ଆଣ୍ଡ୍ରି ହେରିଆଓ୍ଵାନ କହିଛନ୍ତି ଯେ ଆର୍ଥିକ ବିକାଶ ପାଇଁ ଗ୍ରାମାଞ୍ଚଳ ସହ ସଡକ ସଂଯୋଗ ବେଶ ଜରୁରୀ । ୨୦୧୨ରେ ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା । ଏଥିରେ ଉତ୍ସାହିତ ହୋଇ ଏଡିବି ଭାରତ ସରକାରଙ୍କ ସହ ମିଶି ଗ୍ରାମାଞ୍ଚଳ ସଡ଼କ ସଂଯୋଗ କ୍ଷେତ୍ରରେ କାମ କରିଚାଲିବ ।

ସମ୍ବନ୍ଧିତ ଖବର