ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଭଳି ସ୍ଥିତିରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଭାରତର ଅର୍ଥନୀତି ସଂପର୍କରେ ସାଂଘାତିକ ଆକଳନ କରିଛି। ୨୦୭୦ ମସିହା ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ୨୪.୭ ପ୍ରତିଶତ ସଂକୁଚିତ କରିଦେଇ ପାରେ ବୋଲି କହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ରର ଜଳସ୍ତର ବଢ଼ିବ ଏବଂ ଅଂଶୁଘାତ କାରଣରୁ ଶ୍ରମିକମାନଙ୍କ ଉତ୍ପାଦକତା ମଧ୍ୟ କମିବ। ଜଳବାୟୁ ପରିବର୍ତ୍ତନ ଦ୍ବାରା ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ବୋଲି ଆକଳନ କରାଯାଇଛି।
ଏଡିବି ରିପୋର୍ଟରେ ଦର୍ଶାଯାଇଛି ଯେ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର ବିକାଶଶୀଳ ଦେଶଗୁଡ଼ିକର ଜିଡିପି ୨୦୭୦ ମସିହା ସୁଦ୍ଧା ୧୭.୯ ପ୍ରତିଶତ କମିଯାଇପାରେ। ୨୧୦୦ ମସିହା ସୁଦ୍ଧା ଏହା ୪୧ ପ୍ରତିଶତ ହୋଇପାରେ। ବାଂଲାଦେଶର ଅର୍ଥନୀତି ସବୁଠୁ ଅଧିକ ପ୍ରଭାବିତ ହେବ। ଏହି ଦେଶର ଜିଡିପି ୩୦.୫ ପ୍ରତିଶତ କମିଯାଇପାରେ। ଅଧିକ ପ୍ରଭାବିତ ହେବାକୁ ଥିବା ଅନ୍ୟ ଦେଶଗୁଡ଼ିକ ହେଲେ ଭିଏତ୍ନାମ୍ ଓ ଇଣ୍ଡୋନେସିଆ। ଭିଏତ୍ନାମ୍ର ଜିଡିପି ୩୦.୨ ପ୍ରତିଶତ ଏବଂ ଇଣ୍ଡୋନେସିଆର ଜିଡିପି ୨୬.୮ ପ୍ରତିଶତ କମିଯାଇପାରେ। ରିପୋର୍ଟରେ ଏହା ଦର୍ଶାଯାଇଛି ଯେ ଅବଶିଷ୍ଟ ଦକ୍ଷିଣ ପୂର୍ବ ଏସିଆର ସମ୍ଭାବ୍ୟ ଅର୍ଥନୈତିକ କ୍ଷତି ୨୩.୪ ପ୍ରତିଶତ, ଦକ୍ଷିଣ ପୂର୍ବ ଏସିଆର ୨୨ ପ୍ରତିଶତ, ପାକିସ୍ତାନର ୨୧.୧ ପ୍ରତିଶତ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୮.୬ ପ୍ରତିଶତ ଏବଂ ଫିଲିପାଇନ୍ସର ୧୮.୧ ପ୍ରତିଶତ ରହିବ।
ଜରୁରୀ ପଦକ୍ଷେପ ନେବାପାଇଁ ପରାମର୍ଶ
ଯଦି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ବୃଦ୍ଧି ପାଏ ତାହେଲେ ସମୁଦ୍ର ଦ୍ବାରା ସ୍ଥଳଭାଗ ବୁଡ଼ିବ। ଏହାଦ୍ବାରା ୩୦ କୋଟି ଲୋକ ପ୍ରଭାବିତ ହେବେ। ଫଳରେ ଉପକୂଳ ଅଞ୍ଚଳର ଧନସଂପତ୍ତିରେ ଲକ୍ଷ ଲକ୍ଷ କୋଟି ଡଲାରର କ୍ଷତି ହେବ। ଅର୍ଥନୀତିକୁ ସର୍ବାଧିକ କ୍ଷତି ହେବ, ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଶ୍ରମିକଙ୍କ ଉତ୍ପାଦକତା ହ୍ରାସ କାରଣରୁ । ନିମ୍ନ ଆୟବର୍ଗର ଲୋକ ଅଧିକ ସଂଖ୍ୟାରେ ରହୁଥିବା ଅଞ୍ଚଳ, ଦୁର୍ବଳ ଅର୍ଥନୀତି ଏବଂ ଉପକୂଳ ଅଞ୍ଚଳରେ ଅଧିକ ଲୋକ ବାସ କରୁଥିବା ଦେଶଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୨୧ ମସିହାରେ ବିଶ୍ବରେ ଯେତିକି ସବୁଜ ଗୃହ ବାଷ୍ପ ବାୟୁମଣ୍ଡଳକୁ ଛଡ଼ାଯାଇଛି ସେଥିରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଯୋଗଦାନ ପ୍ରାୟ ଅଧାଅଧି।
ଏଡିବି ସଭାପତି ମାସାସୁଗୁ ଆସାକାୱା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼, ଅଂଶୁଘାତ ଏବଂ ବନ୍ୟା ଆଦି ଦେଖାଦେଉଛି। ଏଥିଯୋଗୁ କେବଳ ଲୋକମାନେ ନୁହନ୍ତି ଅର୍ଥନୀତି ମଧ୍ୟ ଅପ୍ରତ୍ୟାଶିତ ମାତ୍ରାରେ ସମସ୍ୟାରେ ପଡ଼ୁଛି। ରିପୋର୍ଟରେ ଭାରତ-ଚୀନ ସୀମାନ୍ତ ଅଞ୍ଚଳରେ ଅଧିକ ଭୂସ୍ଖଳନ ଏବଂ ବନ୍ୟା ନେଇ ଆକଳନ କରାଯାଇଛି। ବାତ୍ୟାର ପ୍ରକୋପ ଅଧିକ ହେବ। ଜଳବାୟୁ ଉପରେ ଅଧିକ ନିର୍ଭରଶୀଳ କୃଷି ଭଳି କ୍ଷେତ୍ରର ଉତ୍ପାଦନ ହ୍ରାସ ପାଇବ। ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବର ପ୍ରଶମନ ପାଇଁ ଅକ୍ଷୟ ଶକ୍ତିର ବ୍ୟବହାର ବୃଦ୍ଧି ସମେତ କାର୍ବନ ବଜାରର ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବର ମୁକାବିଲା କରିବା ପାଇଁ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଥିପାଇଁ ବାର୍ଷିକ ୧୦୨ ବିଲିଅନ ଡଲାରରୁ ୪୩୧ ବିଲିଅନ ଡଲାର ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।