ରାଜ୍ୟରେ ମୋବାଇଲ୍ ସେବା ଯୋଡ଼ିହେଲେ ୧, ୭୭,୮୮୮ ନୂଆ ଗ୍ରାହକ

ଜିଓ, ଭୋଡାଫୋନ୍ ଆଇଡ଼ିଆ ‌ଯୋଡ଼ିଲେ, ଏୟାର‌ଟେଲ୍‌, ବିଏସ୍‌ଏନ୍‌ଏଲ୍‌ ହରାଇଲେ

ଭୁବନେଶ୍ବର: ଟେଲିକମ୍ ସେବା ଉପରୁ ଲକ୍‌ଡାଉନ୍‌ ଜନିତ ଚାପ ପ୍ରାୟ ହଟିଯାଇଛି। ମୋବାଇଲ୍‌ ନେଟ୍‌ୱର୍କରେ ଲକ୍ଷାଧିକ ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟରେ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧,୭୭, ୮୮୮ ବଢ଼ିଛି। ଏହି ମାସରେ ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌ ଓ ବିଏସ୍‌ଏନ୍‌ଏଲ୍‌ ପୁରୁଣା ଗ୍ରାହକ ହରାଇଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୨ ଲକ୍ଷ ୭୪ ହଜାର ୪୨୮ରେ ପହଞ୍ଚିଛି। ଓଡ଼ିଶାର ଟେଲି ସାନ୍ଧ୍ରତା ୭୬.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ରାଜ୍ୟରେ ହାରାହାରି ଭାବେ ପ୍ରତି ୧୦୦ ଜଣରେ ୭୬ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। ଏହି କ୍ଷେତ୍ରରେ ଓଡ଼ିଶା ଏବେବି ଜାତୀୟ ହାର ୮୬.୨୩ ପ୍ରତିଶତ ଠାରୁ ତଳେ ରହିଛି। କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ହିମାଚଳ ପ୍ରଦେଶ ଓ ଦିଲ୍ଲୀରେ ଜନସଂଖ୍ୟା ଠାରୁ ଅଧିକ ମୋବାଇଲ୍ ସଂଯୋଗ ରହିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ୨୦୨୦ ଅଗଷ୍ଟରେ ଜିଓ ସର୍ବାଧିକ ୧,୯୦,୧୧୭ ନୂଆ ଗ୍ରାହକ ଯୋଡ଼ିଛି। ଫଳରେ ରାଜ୍ୟରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୩୪ ଲକ୍ଷ ୨ ହଜାର ୪୫ରେ ପହଞ୍ଚିଛି। ଜିଓ ପାଖରେ ରାଜ୍ୟର ସର୍ବାଧିକ ମୋବାଇଲ୍‌ ଗ୍ରାହକ ଅଛନ୍ତି। ଭୋଡାଫୋନ୍ ଆଇଡିଆ ଏହି ମାସରେ ୨୭,୬୮୦ ନୂଆ ଗ୍ରାହକ ହାସଲ କରିଛି। ଫଳରେ କଂପାନିର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୭ ଲକ୍ଷ ୮୮ ହଜାର ୬୭୨ରେ ପହଞ୍ଚିଛି। ଏୟାରଟେଲ୍‌ ୯୭୧୧ ଓ ବିଏସ୍‌ଏନ୍‌ଏଲ୍‌ ୩୦,୧୩୦ ଜଣ ଗ୍ରାହକଙ୍କୁ ହରାଇଛି। ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏୟାରଟେଲ୍‌ର ମୋଟ ଗ୍ରାହକ ସଂଖ୍ୟା ୧,୦୭,୧୮,୧୮୮କୁ ହ୍ରାସ ପାଇଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ସଂଖ୍ୟା ୬୩,୬୫,୨୦୭ରେ ପହଞ୍ଚିଛି।

ସର୍ବଭାରତୀୟ ସ୍ତରରେ ୩୭,୪୪, ୪୮୨ ନୂଆ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରେ ସାମିଲ ହୋଇଛନ୍ତି। ଜିଓ ୧୮ ଲକ୍ଷ ୬୪ ହଜାର ୪୭୮ ଜଣ, ଏୟାରଟେଲ୍‌ ୨୮ ଲକ୍ଷ ୯୯ ହଜାର ୭୯୭ ଜଣ ଓ ବିଏସ୍‌ଏନ୍‌ଏଲ୍‌ ୨ ଲକ୍ଷ ୧୪ ହଜାର ୮୦୬ ଜଣ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଭୋଡାଫୋନ୍ ଆଇଡିଆ ଏହି ମାସରେ ସାରା ଦେଶରେ ୧୨ ଲକ୍ଷ ୨୮ ହଜାର ୩୩୪ ଜଣ ପୁରୁଣା ଗ୍ରାହକ ହରାଇଛି। ସାରା ଦେଶରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧୧୪ କୋଟି ୭୯ ଲକ୍ଷ ୨୨ ହଜାର ୫୭୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର