ବଜାରରେ ଯଥେଷ୍ଟ ପରିମାଣରେ ୨ ହଜାର ଟଙ୍କିଆ ନୋଟ ମହଜୁଦ ଅଛି: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ :  ୨ ହଜାର ଟଙ୍କିଆ ନୋଟ ଛାପା ବନ୍ଦ କରିବାର କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏକ ଟ୍ଵିଟ୍‌ କରି କହିଛନ୍ତି ଯେ  ଆବଶ୍ୟକତା ଅନୁସାରେ  କେତେ ପରିମାଣର ନୋଟ ଛପାଯିବ ସେ ନେଇ ନିଷ୍ପତ୍ତି ନିଆଯାଇଥାଏ । ଏବେ ଆବଶ୍ୟକତା ଅନୁରୂପ ୨୦୦୦ ଟଙ୍କିଆ ନୋଟ ଅର୍ଥ ବ୍ୟବସ୍ଥାରେ ମହଜୁଦ ଅଛି । ପ୍ରଚଳନ ଥିବା ସବୁ ନୋଟ ମଧ୍ୟରୁ ୩୫ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ରହିଛି । କିନ୍ତୁ ନିକଟରେ ଏହି ନୋଟ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ  ବୋଲି ସେ କହିଛନ୍ତି ।

ଗତ ତାଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ଛାପିବା କମାଇଦେଇଛନ୍ତି । ଏବେ ଏହାର ମୁଦ୍ରଣ ସର୍ବନିମ୍ନ ସ୍ତରରେ ରହିଛି ବୋଲି ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଥିଲେ । ଗତ ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରିକରଣ ଘୋଷଣା କରିବା ପରେ ନୂଆକରି ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କରିଥିଲେ ।  ସେତେବେଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଗାଁ ଗହଳିରେ ଏହି ନୋଟକୁ ଭଙ୍ଗାଇବା ନେଇ ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଥିଲା ।

ସମ୍ବନ୍ଧିତ ଖବର