ପ୍ରତି ୧୦ ବର୍ଷରେ ଆଧାର ଅପ୍‌ଡେଟ୍‌ କରିହେବ

ନୂଆଦିଲ୍ଲୀ: ଆଧାର କାର୍ଡ ତଥ୍ୟକୁ ଲୋକମାନେ ପ୍ରତି ୧୦ ବର୍ଷରେ ଥରେ ଅପ୍‌ଡେଟ୍ କରିପାରିବେ। ସେମାନେ ନିଜର ବାୟୋମେଟ୍ରିକ୍, ଠିକଣା ଓ ଅନ୍ୟାନ୍ୟ ତଥ୍ୟକୁ ବଦଳାଇବା ସୁଯୋଗ ପାଇବେ। ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଲୋକମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ଉପରେ ବିଚାର କରୁଛି। ଏଥିପାଇଁ ନିଜ ନୀତିରେ ଏହା ପରିବର୍ତ୍ତନ କରିବାକୁ ଯାଉଛି। ବର୍ତ୍ତମାନ କେବଳ ୫ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଆଧାରର ବାୟୋମେଟ୍ରିକ୍ ତଥ୍ୟ ଅପ୍‌ଡେଟ୍‌ କରିବା ବାଧ୍ୟତାମୂଳକ କରାଯାଇଛି। ଆଗାମୀ ଦିନରେ ଅନ୍ୟ ବୟସ ବର୍ଗର ଲୋକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ‌ତେବେ କୌଣସି ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହୋଇଯିବା ପରେ ସେମାନେ ଆଉ ଆଧାରକୁ ଅପ୍‌ଡେଟ୍‌ କରିପାରିବେ ନାହିଁ। ପାଞ୍ଚ ବର୍ଷରୁ କମ୍ ବୟସର ଛୋଟ ପିଲାମାନଙ୍କ ଲାଗି ‘ବାଲ୍‌ ଆଧାର’ ଜାରି କରାଯାଉଛି।

ଶିଶୁଙ୍କ ଫଟୋଗ୍ରାଫ୍ ସହିତ ପିତାମାତା କିମ୍ବା ଅଭିଭାବକଙ୍କ ବାୟୋମେଟ୍ରିକ୍ ତଥ୍ୟ ଆଧାରରେ ତାହା ଜାରି କରାଯାଉଛି। ବାଲ୍ ଆଧାର ପଞ୍ଜୀକରଣ ସମୟରେ ଜନ୍ମ ପ୍ରମାଣାପତ୍ର ସଂଗ୍ରହ କରାଯାଉଛି। ବାଲ୍‌ ଆଧାରକୁ ନୀଳ ରଙ୍ଗରେ ଜାରି କରାଯାଉଛି। ଶିଶୁଙ୍କୁ ପାଞ୍ଚ ବର୍ଷ ହୋଇଯିବା ପରେ ଆଧାରକୁ ପୁଣି ଥରେ ଅପ୍‌ଡେଟ୍‌ କରିବାକୁ ପଡ଼ୁଛି। ସେହିପରି ୧୫ ବର୍ଷରୁ କମ୍ ବୟସ ପିଲାମାନଙ୍କ ବୟସ ୧୫ ହୋଇଯିବା ପରେ ସେମାନଙ୍କ ଆଧାର ଅପ୍‌ଡେଟ୍ କରିବାକୁ ପଡ଼ୁଛି। ୧୫ ବ‌ର୍ଷରୁ ଅଧିକ ବୟସର ପିଲାମାନଙ୍କୁ ପ୍ରତି ୧୦ ବର୍ଷରେ ଥରେ ଆଧାର ଅପ୍‌ଡେଟ୍ କରିବା ଲାଗି ୟୁଆଇଡିଏଆଇ ଉତ୍ସାହିତ କରୁଛି।

ସମ୍ବନ୍ଧିତ ଖବର