ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧତାକୁ ନେଇ ଚାଲିଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ ଶେଷ ହୋଇଛି। କୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ଆଧାର ସମ୍ପର୍କିତ ବିଭିନ୍ନ ମାମଲାର ଶୁଣାଣି ଚାଲିଥିଲା। ଚାରି ମାସ ଭିତରେ ୩୮ ଦିନ ଆଧାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ହୋଇଥିଲା। ଏହା ଥିଲା ଦେଶର ଦ୍ୱିତୀୟ ଲମ୍ବା ଶୁଣାଣି ପ୍ରକ୍ରିୟା। ପୂର୍ବରୁ କେଶବାନନ୍ଦ ଭାରତୀ ବନାମ କେରଳ ସରକାର ମାମଲାର ଶୁଣାଣି ୬୮ ଦିନ ହୋଇଥିଲା ଯାହା ହେଉଛି ଦେଶର ସବୁଠୁ ଲମ୍ବା ସମୟ ଚାଲିଥିବା ଶୁଣାଣି। ଆଧାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି କାରଣ ଯୋଗୁଁ ଆଧାର ସ୍ୱୀକୃତି (ଅଥେଣ୍ଟିକେସନ୍୍) ବିଫଳ ହେଲେ ହିତାଧିକାରୀମାନେ ଅସୁବିଧା ଭୋଗିବେ। ଏହା ଏକ ବଡ଼ ସମସ୍ୟା। ଏହି ସମସ୍ୟାର ସମାଧାନ ହେବା ଦରକାର। ଆଧାର ସ୍କିମ୍ର ସାମ୍ବିଧାନିକ ବୈଧତାକୁ ନେଇ ଦାୟର ହୋଇଥିବା ମାମଲା ଓ କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ବିଚାରପତି କେ ଏସ୍ ପୁଟ୍ଟୁସ୍ୱାମୀ, ମାଗାସେସ୍ ବିଜେତା ଶାନ୍ତା ସିହ୍ନା ଓ ଗବେଷକ କଲ୍ୟାଣୀ ସେନନ୍ ମେନନ୍ ଓ ଆହୁରି ଅନେକ ଲୋକଙ୍କ ଦ୍ୱାରା ‘ଆଧାର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ’ ବୋଲି ଅଭିଯୋଗ କରି ମାମଲା ଦାୟର କରାଯାଇଥିଲା। ସେହି ସବୁ ମାମଲାଗୁଡ଼ିକର ଶୁଣାଣି ଏହି ସମ୍ବିଧାନ ପୀଠରେ ହୋଇଥିଲା। ନିଜ ମାମଲା ବିଷୟରେ ଲିଖିତ ଭାବେ ଚୂଡ଼ାନ୍ତ ମତ ରଖିବାକୁ ସମ୍ବିଧାନ ପୀଠ ମାମଲାର ସମସ୍ତ ପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସମ୍ବିଧାନ ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଏ କେ ସିକ୍ରି, ଏ ଏମ୍ ଖାନ୍ଓ୍ଵିଲ୍କର୍, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଅଶୋକ ଭୂଷଣ। ଅନେକ ଆଇନଜୀବୀ ଆଧାର ମାମଲା ପରିଚାଳନା କରୁଥିଲେ। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ ଯୁକ୍ତି ଉପସ୍ଥାପନ କରୁଥିଲେ। ଅନ୍ୟ ବିଭିନ୍ନ ପକ୍ଷଙ୍କ ପାଇଁ କପିଲ ଶିବଲ୍, ପି ଚିଦମ୍ବରମ୍, ରାକେଶ ଦ୍ୱିବେଦୀ, ଶ୍ୟାମ ଦିଓ୍ଵାନ୍ ଓ ଅରବିନ୍ଦ ଦାତ୍ତାରଙ୍କ ଭଳି ବରିଷ୍ଠ ଆଇନଜୀବୀ ମାମଲା ପରିଚାଳନା କରିଥିଲେ। ଦୀର୍ଘ ଚାରି ମାସ ଧରି ଆଧାର ମାମଲାର ଶୁଣାଣି ଚାଲିଥିଲା। ଆଧାର ସପକ୍ଷରେ ସରକାର ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଧାରକୁ ଲୋକସଭା ବାଚସ୍ପତି ଅର୍ଥ ବିଲ୍ ଭାବେ ବିଚାର କରିବା ବିଷୟକୁ କୋର୍ଟ ସହଜରେ ଗ୍ରହଣ କରିପାରିନାହାନ୍ତି। ସବ୍ସିଡି ପାଇଁ କନ୍ସୋଲିଡେଟେଡ୍ ଫଣ୍ଡ୍ରୁ ପାଣ୍ଠି ଆସୁଥିବାରୁ କୋର୍ଟ ଆଧାର ବିଲ୍କୁ ଅର୍ଥ ବିଲ୍ ବୋଲି ସ୍ୱୀକାର କରିବାକୁ ଚାହୁଁନାହାନ୍ତି। ଶୁଣାଣି ବେଳେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଥିଲା ଯେ ଆଧାର ତଥ୍ୟକୁ କାହାରି ସହ ସେୟାର କରାଯାଏ ନାହିଁ। କାର୍ଡଧାରୀଙ୍କ ବିନା ଅନୁମତିରେ କାହାରିକୁ ତଥ୍ୟ ଦିଆଯାଏ ନାହିଁ। କିନ୍ତୁ ଏହା ସ୍ପଷ୍ଟ କରିଛନ୍ତି ଯେ, ଆଧାର ତଥ୍ୟ କେବେ ଲିକ୍ ନହେବାର ଗ୍ୟାରେଣ୍ଟି ଦେଇହେବ ନାହିଁ। ବିଚାରପତିମାନେ ମଧ୍ୟ ଆଧାରକୁ ନେଇ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ। ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଲଜାଇମର୍ ରୋଗରେ ପୀଡ଼ିତ ଥିବା ତାଙ୍କ ମା’ଙ୍କୁ ପେନ୍ସନ୍ ପାଇଁ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ସେ କହିଛନ୍ତି, ମୋ ମା’ ପୂର୍ବ ବିଚାରପତିଙ୍କ ପତ୍ନୀ ହୋଇଥିବାରୁ ବ୍ୟାଙ୍କର ଅଧିକାରୀମାନେ ଆମ ଘରକୁ ପ୍ରତି ମାସରେ ଆସି କେତେକ କାଗଜପତ୍ରରେ ତାଙ୍କ ଆଙ୍ଗୁଠି ଚିହ୍ନ ନେଉଥିଲେ ଓ ତାଙ୍କୁ ପେନ୍ସନ୍ ମିଳୁଥିଲା। ଉଲ୍ଲେଖଯୋଗ୍ୟ, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନ ବିଚାରପତି ଓ୍ଵାଇ ବି ଚନ୍ଦ୍ରଚୂଡ଼ଙ୍କ ପୁଅ।