ଆଧାର ଲିଙ୍କ୍‌ ମହଲତ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ିବ

ନୂଆଦିଲ୍ଲୀ: ବିଭିନ୍ନ ସେବା ଏବଂ ସରକାରୀ ସୁବିଧା ପାଇବା ପାଇଁ ଆଧାର ସଂଯୋଗର ଶେଷ ତାରିଖ ଆସନ୍ତାବର୍ଷ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସମ୍ଭାବନା ରହିଛି। ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ ଆଜି ଏଭଳି ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ସରକାର ଏ ପ୍ରକାର ବିବୃତି ଦେଇଛନ୍ତି। ତେବେ ସିମ୍‌କାର୍ଡ ସହିତ ଆଧାର ସଂଯୋଗର ଶେଷ ତାରିଖକୁ ଫେବ୍ରୁଆରି ୬, ୨୦୧୮ ରଖିବା ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିବାରୁ ଏଥିପାଇଁ ଆଧାର ସଂଯୋଗର ତାରିଖରେ କୌଣସି ପରିବର୍ତନ ହେବନାହିଁ ବୋଲି ସରକାର କୋର୍ଟକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯିବା ଉପରେ ଅନ୍ତରୀଣ ରହିତାଦେଶ ପାଇଁ କରାଯାଇଥିବା ଆବେଦନ ଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହ ସୁଦ୍ଧା ୫ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ କରିପାରନ୍ତି ବୋଲି ଆଜିର ଖଣ୍ଡପୀଠ ସୂଚନା ଦେଇଛନ୍ତି।

ବର୍ତମାନ ଚାଲିଥିବା ଆଧାର ସଂଯୋଗ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଆଜି ମାମଲାର ଶୁଣାଣି ହୋଇଥିଲା। ଆଧାର ସଂଯୋଗକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ୍‌ଙ୍କ ଯୁକ୍ତିକୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଦୃଢ଼ଭାବେ ବିରୋଧ କରିଥିଲେ। ଦୀର୍ଘବର୍ଷ ଧରି ଚାଲି ଆସିଥିବା ଆଧାର ସ୍କିମ୍‌ ଉପରେ ରହିତାଦେଶ ଦିଆଯାଇ ପାରିବ ନାହିଁ ବୋଲି ବେଣୁଗୋପାଳ କହିଥିଲେ। ତେବେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆଧାର ସଂଯୋଗର ଯେଉଁ ଶେଷ ତାରିଖ ରହିଛି ତାହାକୁ ବଢ଼ାଇ ଦିଆଯିବ। ଏ ନେଇ କେନ୍ଦ୍ର ସରକାର ଆସନ୍ତାକାଲି ବିଜ୍ଞପ୍ତି ଜାରି କରିପାରନ୍ତି ବୋଲି ସେ ଖଣ୍ଡପୀଠକୁ ଜଣାଇଛନ୍ତି। ଆଧାର ସଂଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତରୀଣ ରହିତାଦେଶ ନଦେବାକୁ ସେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ତେବେ ଆଧାର ସଂଯୋଗ ଉପରେ ରହିତାଦେଶ ଏକ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବ ବୋଲି ଆଜିର ଖଣ୍ଡପୀଠ କହିଛନ୍ତି। ଆଜିର ଖଣ୍ଡପୀଠରେ ବିଚାରପତି ଏ. ଏମ୍‌. ଖାନ୍‌ଓ୍ଵିଲକର୍‌ ଓ ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ରହିଥିଲେ। ଆଧାର ମାମଲାର ଚୂଡ଼ାନ୍ତ ଶୁଣାଣି କେବେ ହେବ ତାହା ମଧ୍ୟ ସମ୍ବିଧାନ ଖଣ୍ଡପୀଠ ସ୍ଥିର କରିବ ବୋଲି ଆଜିର ଖଣ୍ଡପୀଠ କହିଛନ୍ତି।

ପୂର୍ବରୁ ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତକୁ ଜଣାଇଥିଲେ ଯେ ଯେଉଁମାନଙ୍କର ଆଧାର ନାହିଁ କିନ୍ତୁ ସେମାନେ ଏହାର ପଞ୍ଜୀକରଣ ପାଇଁ ରାଜି ଅଛନ୍ତି ସେମାନଙ୍କ ବିରୋଧରେ କୌଣସି ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ, ଆଧାରକାର୍ଡ ନଥିବା ଏହି ବର୍ଗର ବ୍ୟକ୍ତିଙ୍କୁ ସରକାରଙ୍କ ସାମାଜିକ ମଙ୍ଗଳ ଯୋଜନାର ବଭିନ୍ନ ସୁବିଧା ସୁଯୋଗରୁ ଆସନ୍ତା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ମନା କରାଯିବ ନାହିଁ। ତେବେ ଯେଉଁମାନଙ୍କର ଆଧାରକାର୍ଡ ରହିଛି ସେମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ, ସିମ୍‌କାର୍ଡ, ପ୍ୟାନ୍‌କାର୍ଡ ଏବଂ ସରକାରଙ୍କ ଅନ୍ୟ ସ୍କିମ୍‌ (ଯେଉଁଗୁଡ଼ିକ ଆଧାର ଆଇନ-୨୦୧୬ର ଆଧାର ୭ ଅଧୀନରେ ବିଜ୍ଞପ୍ତି ଜାରି ହୋଇଛି) ସହିତ ଏହାକୁ ସଂଯୋଗ କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଯେ ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର ସହିତ ଯୋଡ଼ିବା ବେଆଇନ ଓ ଅସାମ୍ବିଧାନିକ ବୋଲି କେତେକ ଆବଦେନକାରୀ ଦର୍ଶାଇବା ସହିତ ଏ ନେଇ ସର୍ବୋଚ୍ଚ ଅଦାଲତରେ ବିଚାର ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର