ନୂଆଦିଲ୍ଲୀ: ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆର୍ଥିକ ସେବା ନିମନ୍ତେ ଆଧାର ନମ୍ବର ଲିଙ୍କ୍ କରିବା ସମୟ ସୀମାକୁ କେନ୍ଦ୍ର ସରକାର ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପୂର୍ବରୁ ସରକାର କହିଥିଲେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆର୍ଥିକ ସେବା ଖାତା ସହିତ ଆଧାର ଲିଙ୍କ୍ କରିବାକୁ ପଡ଼ିବ। ବ୍ୟାଙ୍କ ଖାତା, କ୍ରେଡିଟ୍ କାର୍ଡ, ବୀମା ପଲିସି, ଇକ୍ୱିଟି ଫଣ୍ଡ୍, ମ୍ୟୁଚୁଆଲ୍ ଫଣ୍ଡ୍, ନିବେଶ ଖାତା, ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଖାତା, କିସାନ ବିକାଶ ପତ୍ର, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଖାତା ସହିତ ଆଧାର ଲିଙ୍କ୍ କରିବାକୁ ସରକାର କହିଛନ୍ତି। ଅଣ ବ୍ୟାଙ୍କିଙ୍ଗ ସଂସ୍ଥାଠାରୁ ଗୃହ ଋଣ ନେଇଥିବା ବ୍ୟକ୍ତିମାନେ ମଧ୍ୟ ସେହି ସଂସ୍ଥାରେ ଥିବା ଖାତା ସହିତ ଆଧାର ଲିଙ୍କ୍ କରିବେ। କିଛି ଦିନ ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କ୍ କରିବା ସମୟ ସୀମାକୁ ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମାତ୍ର ମୋବାଇଲ୍ ନମ୍ବର ସହିତ ଆଧାର ଲିଙ୍କ୍ କରିବା ସମୟ ସୀମା ୨୦୧୮ ଫେବ୍ରୁଆରି ୬ରେ ଅପରିବର୍ତ୍ତିତ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମରେ ପ୍ରକାଶ ପାଇଥିବା ଅନ୍ୟ କେତେକ ଖବରରେ କୁହାଯାଇଛି ଯେ ପାନ୍ ଓ ଆର୍ଥିକ ଖାତା ସହିତ ଆଧାର ଲିଙ୍କ୍ର ସମୟ ସୀମାକୁ ସରକାର ସମ୍ପୂର୍ଣ୍ଣ ହଟାଇ ଦେଇଛନ୍ତି। ଏହାର କୌଣସି ନିର୍ଦିଷ୍ଟ ସମୟ ସୀମା ସରକାର ଧାର୍ଯ୍ୟ କରିନାହାନ୍ତି। କିଛି ଦିନ ତଳେ ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଆମେ ଆଧାର ଲିଙ୍କ ସମୟ ସୀମା ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଁଛୁ। ସରକାର ମନି ଲଣ୍ଡରିଂ ନିରୋଧ ନିୟମ (ପିଏମ୍ଏଲ୍ଏ)ରେ ସଂଶୋଧନ କରିଛନ୍ତି। ଡିସେମ୍ବର ୩୧ ସୁଦ୍ଧା ଆଧାର ଲିଙ୍କ୍ କରିବାକୁ ଏହି ନିୟମର ଏକ ଧାରାରେ ଲେଖାଯାଇଥିଲା। ସେହି ଲେଖାକୁ ହଟାଇ ଦିଆଯାଇଛି। ସେହି ସ୍ଥାନରେ ନୂତନ ଭାବେ ଲେଖାଯାଇଛି ଯେ କେନ୍ଦ୍ର ସରକାର ଯେଉଁ ତାରିଖ ଘୋଷଣା କରିବେ ସେହି ସମୟ ଭିତରେ ଆଧାର ନମ୍ବର, ପାନ୍ କିମ୍ବା ଫର୍ମ ୬୦ ଦାଖଲ କରନ୍ତୁ।
ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ସାମାଜିକ କଲ୍ୟାଣମୂଳକ ଯୋଜନା ସହ ଆଧାର ଲିଙ୍କ୍ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଗତ ହୋଇଥିବା ମାମଲାର ଶୁଣାଣି ଆସନ୍ତାକାଲିଠାରୁ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠରେ ଆରମ୍ଭ ହେବ। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ୨ଟାରେ ସମ୍ବିଧାନ ପୀଠରେ ଏହି ମାମଲାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍ ଖାନ୍ଓ୍ଵିଲକର୍ ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।