ରିବକ୍‌କୁ ବିକିବ ଆଡିଡାସ୍‌!

ନୂଆଦିଲ୍ଲୀ: ରିବକ୍‌ ବ୍ରାଣ୍ଡ୍‌କୁ ବିକ୍ରି କରିବା ଉପରେ ଆଡିଡାସ୍‌ ବିଚାର କରୁଥିବା ସମ୍ପର୍କିତ ଏକ ରିପୋର୍ଟ ଜର୍ମାନିର ପତ୍ରିକା ‘ମ୍ୟାନେଜର ମାଗାଜିନ୍‌’ରେ ପ୍ରକାଶ ପାଇଛି। ରିବକ୍‌ ବ୍ରାଣ୍ଡ୍‌କୁ ଏହା ୨୦୦୫ରେ ୩୮୦ କୋଟି ଡଲାରରେ କିଣିଥିଲା। ମାତ୍ର ଏହାର ପୁନରୁଦ୍ଧାର କରିବାରେ କଂପାନି ସଫଳ ହୋଇନାହିଁ। କରୋନା ବ୍ୟାପିବା ପରେ ଆଡିଡାସ୍‌ର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ ରିବକ୍‌ର ବୋଝକୁ ଏହା ଅଧିକ ଦିନ ମୁଣ୍ଡାଇବାକୁ ଚାହୁନାହିଁ। ତେଣୁ ଏହି ବ୍ରାଣ୍ଡ୍‌କୁ ବିକ୍ରି କରିବା ଉପରେ କଂପାନି କର୍ତ୍ତୃପକ୍ଷ ବିଚାର କରୁଛନ୍ତି।

ଚୀନ୍‌ର ଆଣ୍ଟା ଇଣ୍ଟରନ୍ୟାସନାଲ୍ ଗ୍ରୁପ୍ ହୋଲ୍‌ଡିଂସ୍‌ ଓ ଭିପି କର୍ପୋରେସନ୍ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ୨୦୧୬ରେ କାସ୍‌ପର୍‌ ରୋରଷ୍ଟେଡ୍‌ ଆଡିଡାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହେବା ପର ଠାରୁ ସେ ବାରମ୍ବାର ସ୍ପଷ୍ଟ କରୁଛନ୍ତି ଯେ ରିବକ୍‌କୁ ବିକ୍ରି କରିବାକୁ ‌ସେ ଚାହୁନାହାନ୍ତି। ମାତ୍ର ତାଙ୍କ ଅଧୀନରେ କଂପାନି ପରିଚାଳିତ ହେଉଥିବା ବେଳେ ରିବକ୍‌ର ଅନେକ ଷ୍ଟୋର୍‌ ବନ୍ଦ ହୋଇଛି। କେତେକ ଲାଇସେନ୍ସ ବୁଝାମଣାର ଅବଧି ମଧ୍ୟ ଶେଷ ହେବାକୁ ଯାଉଛି। ମହାମାରୀ ସମୟରେ ଆଡିଡାସ୍‌ର ରାଜସ୍ବ ୩୩% କମିଥିବା ବେଳେ ରିବକ୍‌ ରାଜସ୍ବ ୪୨ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର