ଗରିବ ହେଲେ ପ୍ରାପ୍ତବୟସ୍କ, କେଉଁ ଅଞ୍ଚଳର ସ୍ଥିତି କ’ଣ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଭାରତର ପ୍ରାପ୍ତବୟସ୍କ ବର୍ଗ ଆହୁରି ଗରିବ ହୋଇପଡ଼ିଛନ୍ତି। ସେମାନେ ୬.୧ ପ୍ରତିଶତ ଗରିବ ହୋଇଥିବା କ୍ରେଡିଟ୍ ସୁଇସ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି। ମହାମାରୀ ପୂର୍ବ ସମୟ ତୁଳନାରେ ଭାରତୀୟ ବୟସ୍କ ଲୋକଙ୍କ ମୁଣ୍ଡପିଛା ସମ୍ପତ୍ତି ୧୪,୨୫୨ ଡଲାରକୁ ହ୍ରାସ ପାଇଛି। ମୋଟ ଉପରେ ସେମାନେ ୫୯,୪୦୦ କୋଟି ଡଲାରର ସମ୍ପତ୍ତି ହରାଇଛନ୍ତି। ୨୦୨୦ରେ ହାରାହାରି ଭାବେ ଭାରତୀୟ ପ୍ରାପ୍ତବୟସ୍କ ଜନସଂଖ୍ୟାର ସମ୍ପତ୍ତି ପରିମାଣ ଏତେ ତଳକୁ ଖସିଯାଇଛି ଯାହା ୭୦ ବର୍ଷ ପୂର୍ବେ ଆମେରିକାରେ ଦେଖିବାକୁ ମିଳିଥିଲା। ତେବେ ଆସନ୍ତା ପାଞ୍ଚ ବର୍ଷ ଭିତରେ ସେମାନଙ୍କ ସମ୍ପତ୍ତି ୪୦ ପ୍ରତିଶତ ବୃଦ୍ଧି ପାଇ ୨୦,୦୦୦ ଡଲାରରେ ପହଞ୍ଚିବ ବୋଲି କ୍ରେଡିଟ୍‌ ସୁଇସ୍‌ର ଏହି ରିପୋର୍ଟରେ ଆକଳନ କରାଯାଇଛି।

ମୁଦ୍ରାର ଅବମୂଲ୍ୟାୟନ ଯୋଗୁଁ ଭାରତୀୟ ପ୍ରାପ୍ତବୟସ୍କମାନେ ୬.୧% ଗରିବ ହୋଇଥିବା ହିସାବ କରାଯାଇଛି। ମୁଦ୍ରା ମୂଲ୍ୟ ଯଦି ସ୍ଥିର ରହିଥାନ୍ତା ତେବେ ସେମାନେ ୨.୧ ପ୍ରତିଶତ ଗରିବ ହୋଇଥାନ୍ତେ। ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ହେଉଛି ଲାଟିନ୍ ଆମେରିକା। ସେଠାରେ ପ୍ରାପ୍ତବୟସ୍କଙ୍କ ସମ୍ପତ୍ତି ୧୧.୪% ହ୍ରାସ ପାଇଛି। ସାରା ବିଶ୍ବର ୨୦୦ଟି ଦେଶର ୫୨୦ କୋଟି ପ୍ରାପ୍ତବୟସ୍କ ଜନସଂଖ୍ୟା ବିଚାରକୁ ନେଇ କ୍ରେଡିଟ୍ ସୁଇସ୍ ତରଫରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଭାରତରେ ସମ୍ପତ୍ତିରେ ରହିଥିବା ବୈଷମ୍ୟ ଚୀନ୍ ତୁଳନାରେ ଧୀମା ଗତିରେ ବୃଦ୍ଧି ପାଉଛି। ମାତ୍ର ୨୦୨୦ ସୁଦ୍ଧା ଏହା ଯଥେଷ୍ଟ ଉପରେ ପହଞ୍ଚିଗଲାଣି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର