ଗୃହ ନିର୍ମାଣ ଅଗ୍ରୀମ ସୀମା ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଗୃହ ନିର୍ମାଣ ଅଗ୍ରିମ ସୀମାକୁ ବୃଦ୍ଧି କରାଯାଇଛି। ସପ୍ତମ ବେତନ ଆୟୋଗର ସୁପାରିସ ଆଧାରରେ ଏହି ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସୀମା ୭ ଲକ୍ଷ ୫୦ ହଜାର ଟଙ୍କା ରହିଥିଲାବେଳେ ସରକାର ଏହାକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ୩୪ ମାସର ମୂଳ ବେତନ (ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ), ବା ଘର/ଫ୍ଲାଟର ମୂଲ୍ୟ, ବା ପରିଶୋଧ କ୍ଷମତା ଅନୁଯାୟୀ ଅଗ୍ରିମ ନେଇପାରିବେ। କିନ୍ତୁ ନୂଆ ଘର/ଫ୍ଲାଟ ନିର୍ମାଣ/କ୍ରୟ ପାଇଁ ଯେଉଁଟି କମ୍‌ ତାହା ହିଁ ନେଇପାରିବେ।

ସେହିଭଳି ଘରର ସମ୍ପ୍ରସାରଣ ପାଇଁ ପୂର୍ବରୁ ୧ ଲକ୍ଷ ୮୦ ହଜାର ଟଙ୍କା କର୍ମଚାରୀଙ୍କୁ ଅଗ୍ରିମ ପ୍ରଦାନର ନିୟମ ଥିବାବେଳେ ଏବେ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ କ୍ଷେତ୍ରରେ ମଧ୍ୟ ଘର ନିର୍ମାଣ ପାଇଁ ପ୍ରଯୁଜ୍ୟ ଉପରୋକ୍ତ ନିୟମ କାର୍ଯ୍ୟକାରୀ ହେବ। କର୍ମଚାରୀମାନେ ଯେଉଁ ଘର ନିର୍ମାଣ କରିବେ/କ୍ରୟ କରିବେ ତାହାର ସର୍ବୋଚ୍ଚ ସୀମା ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସୀମା ୩୦ ଲକ୍ଷ ଟଙ୍କା ରହିଥିଲା। ସେହିଭଳି ଯଦି ସ୍ୱାମୀ ଓ ସ୍ତ୍ରୀ ଉଭୟ କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥାନ୍ତି ତାହେଲେ ସେମାନେ ମିଳିତଭାବେ ବା ପୃଥକ୍‌ ଭାବେ ଋଣ ନେଇପାରିବେ। ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ଜଣେ ହିଁ ଗୃହ ଋଣ ନେଇପାରୁଥିଲେ। ଆର୍ଥିକ ପ୍ରତିଷ୍ଠାନ/ବ୍ୟାଙ୍କ ଆଦିରୁ ଋଣ ନେଇଥିବା କର୍ମଚାରୀ ଚାହିଲେ ସେମାନଙ୍କ ଋଣକୁ ଗୃହ ଋଣ ଅଗ୍ରିମରେ ପରିଣତ କରିପାରିବେ। ସରକାର ଦେଉଥିବା ଅଗ୍ରିମ ବାଦ୍‌ ଯଦି ଜଣେ କର୍ମଚାରୀ ବ୍ୟାଙ୍କରୁ ଅଧିକ ଋଣ ନେବେ ତାହେଲେ ସେ କ୍ଷେତ୍ରରେ ମଧ୍ୟ ନିୟମକୁ ସରଳ କରାଯାଇଛି। ଏଥିପାଇଁ କର୍ମଚାରୀମାନଙ୍କୁ ଏନ୍‌ଓସି ବା ଆପତ୍ତି ବିହୀନ ପ୍ରମାଣପତ୍ର ମଧ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି।

ଏତଦ୍‌ବ୍ୟତୀତ ଗୃହ ନିର୍ମାଣ ଅଗ୍ରିମ ଉପରେ ସରକାର ୮.୫ ପ୍ରତିଶତ ସରଳ ସୁଧ ଆଦାୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ସୁଧହାର ୪ଟି ସ୍ତର ( ୬ ପ୍ରତିଶତରୁ ୯.୫୦ ପ୍ରତିଶତ) ବିଶିଷ୍ଟ ଥିଲା। ପ୍ରତି ୩ ବର୍ଷରେ ଥରେ ସୁଧ ହାରର ସମୀକ୍ଷା କରାଯିବ। ଗୃହ ନିର୍ମାଣ ଅଗ୍ରିମ ଅର୍ଥରେ କ୍ରୟ କରାଯାଉଥିବା ଘରକୁ ଆଇଆର୍‌ଡିଏ ଅଧୀନରେ ଥିବା ଘରୋଇ ବୀମା କମ୍ପାନି ଅଧୀନରେ ମଧ୍ୟ ବୀମା କରାଯାଇପାରିବ। ଏତଦ୍‌ବ୍ୟତୀତ ଗୃହ ନିର୍ମାଣ ଅଗ୍ରିମ ପ୍ରଦାନରେ କର୍ମଚାରୀଙ୍କ ପାଇଁ ଅନ୍ୟ କେତୋଟି ସୁବିଧା ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର