ଡିଜିଟାଲ କରେନ୍ସିର ସୁବିଧା ଓ ଅସୁବିଧା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍‌ରେ ଡିଜିଟାଲ କରେନ୍ସି ପ୍ରଚଳନ ନେଇ ଘୋଷଣା କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ଜାରି କରାଯିବ। ଟଙ୍କା ଭଳି ଏହାକୁ ଆଇନଗତ ମାନ୍ୟତା ମିଳିବ। ରିଜର୍ଭ ବ୍ୟାଙ୍କର ବାଲାନ୍ସସିଟ୍ ବା ଆୟବ୍ୟୟ ହିସାବଫର୍ଦ୍ଦରେ ଏହାକୁ ଲାଏବିଲିଟି ଭାବେ ଦର୍ଶାଯିବ। ଏହା ମୁଦ୍ରାଭଳି ପ୍ରଚଳନ ହେଲେ ମଧ୍ୟ କାଗଜ କିମ୍ବା ଧାତବ ଆକାରରେ ଆସିବ ନାହିଁ। ଇଲେକ୍ଟ୍ରୋନିକ୍ସ ରୂପରେ ଉକ୍ତମୁଦ୍ରା ଆସିବ। ବ୍ଲକଚେନ୍ ପ୍ରଯୁକ୍ତିରେ ଏହାର ପରିଚାଳନା କରାଯିବ।

ଦେଶରେ ଅନେକ ପ୍ରକାର କ୍ରିପ୍ଟୋକରେନ୍ସିରେ ଲୋକମାନେ ନିବେଶ କରୁଛନ୍ତି। ଲୋକମାନେ ଏଥିରେ ନିବେଶ କରୁଥିଲେ ମଧ୍ୟ ସରକାରଙ୍କର ଏହା ଉପରେ ନିୟନ୍ତ୍ରଣ ରହୁନାହିଁ। ଏହାବ୍ୟତୀତ ସରକାର ଏହାକୁ ମୁଦ୍ରା ଭାବେ ମଧ୍ୟ ବିଚାର କରୁନାହାନ୍ତି। କାରଣ କେବଳ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହୋଇଥିବା ଅର୍ଥକୁ ହିଁ ମୁଦ୍ରା ବୋଲି କୁହାଯାଉଛି। ସେଥିପାଇଁ ବଜେଟରେ ଅର୍ଥମନ୍ତ୍ରୀ ଏସବୁ କ୍ରିପ୍ଟୋକରେନ୍ସିକୁ ଡିଜିଟାଲ ଆସେଟ୍ ଆଖ୍ୟା ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା (ସିବିଡିସି) ଜାରି କରାଗଲେ ଏହା ଦେଶର ଡିଜିଟାଲ ଅର୍ଥନୀତିକୁ ଆଗକୁ ନେବ। ଏଥିସହିତ ଦେଶର ମୁଦ୍ରା ପରିଚାଳନା ଅଧିକ ଦକ୍ଷ ଏବଂ କମ୍ ବ୍ୟୟସାପେକ୍ଷ ରହିବ। ଡିଜିଟାଲ କରେନ୍ସି କାଗଜ ଟଙ୍କା ଭଳି ନଷ୍ଟ ହେବନାହିଁ। ତେଣୁ ଥରେ ଏହାକୁ ପ୍ରଚଳନ କରାଗଲେ ତାହା ସବୁଦିନ ପରି ରହିବ। ଉକ୍ତ ମୁଦ୍ରା ପ୍ରଚଳନ ପାଇଁ ସରକାର ଆଇନ ଆଣିବା ପରେ ଅନେକ କିଛି ସ୍ପଷ୍ଟ ହେବ। କିନ୍ତୁ ଅନ୍ୟପକ୍ଷରେ ଗୋଟିଏ ସ୍ଥାନରେ ଅସୁବିଧା ଦେଖାଦେଲେ ଏହା ପୂରା ଶୃଙ୍ଖଳାକୁ ଅଚଳ କରିଦେବା ଆଶଙ୍କା ରହିଛି। ସାଇବର ଆକ୍ରମଣକାରୀମାନେ ଏହାକୁ ଅନେକ ସମୟରେ ନିଜ କବ୍‌ଜାକୁ ନେଇଯାଇପାରନ୍ତି।

ସମ୍ବନ୍ଧିତ ଖବର