ନୂଆଦିଲ୍ଲୀ: ବିଜ୍ଞାପନ ଜଗତର କିଂବଦନ୍ତି ଭାବେ ପରିଚିତ ପୀୟୂଷ ପାଣ୍ଡେଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଛି। ଲୋକପ୍ରିୟ ଫେଭିକଲ୍‌, କ୍ୟାଡ୍‌ବରି ଚକୋଲେଟ୍‌ ଓ ଏସିଆନ୍ ପେଣ୍ଟ୍‌ସର ବିଜ୍ଞାପନ ଲାଗି ସେ ପରିଚିତ ଥିଲେ। ସେହି ବିଜ୍ଞାପନଗୁଡ଼ିକ ଲୋକମାନଙ୍କୁ ବେଶ୍‌ ଛୁଇଁଥିଲା। ଦୀର୍ଘ ଚାରି ଦଶନ୍ଧି ଧରି ସେ ଏହି ଦୁନିଆରେ ଜଡ଼ିତ ଥିଲେ। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିଳ୍ପ ଦୁନିଆର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Advertisment

ଚର୍ଚ୍ଚିତ କ୍ୟାଡ୍‌ବରି, ଫେଭିକଲ୍ ବିଜ୍ଞାପନର ସ୍ରଷ୍ଟା
‘ଅବ୍‌ କି ବାର୍‌ ମୋଦୀ ସରକାର’ ସ୍ଲୋଗାନ୍‌ ଲେଖିଥିଲେ

ମୋଦୀ ଶୋକ ବାର୍ତ୍ତାରେ ଲେଖିଛନ୍ତି ଯେ ସୃଜନଶୀଳତା ପାଇଁ ପୀୟୂଷ ପାଣ୍ଡେ ପରିଚିତ ଥିଲେ। ବିଜ୍ଞାପନ ଓ ଯୋଗାଯୋଗ ଦୁନିଆ ପ୍ରତି ତାଙ୍କର ଗଭୀର ଯୋଗଦାନ ରହିଛି। ତାଙ୍କ ସହ ହୋଇଥିବା କଥାବାର୍ତ୍ତା ମନେ ପଡ଼ୁଛି। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ ବୋଲି ସେ ଲେଖିଛନ୍ତି। ୧୯୮୨ରେ ସେ ‘ଓଗିଲ୍‌ଭି’ ନାମକ ସଂସ୍ଥାରେ ଯୋଗ ଦେଇ ସନ୍‌ଲାଇଟ୍‌ ଡିଟରଜେଣ୍ଟ୍‌ ପାଇଁ ପ୍ରଥମ ବିଜ୍ଞାପନ ଲେଖିଥିଲେ। ଏହା ପରେ ତାଙ୍କୁ କ୍ରିଏଟିଭ୍ ବିଭାଗକୁ ପଦୋନ୍ନତି ମିଳିଥିଲା। କ୍ୟାଡ୍‌ବରି ବିଜ୍ଞାପନର ‘କୁଛ୍‌ ଖାସ୍‌ ହୈ’, ଫେଭିକଲ୍‌ର ଅଣ୍ଡାକୁ ନେଇ ପ୍ରସ୍ତୁତ ଲୋକପ୍ରିୟ ବିଜ୍ଞାପନ ଓ କ୍ୟାଚ୍‌ଲାଇନ୍ ‘ଫେଭିକଲ୍‌ କି ଯୋଡ଼୍‌, ଟୁଟେଗା ନେହିଁ’, ଏସିଆନ୍ ପେଣ୍ଟ୍‌ସ ‘ହର୍‌ ଖୁସି ମେଁ ରଙ୍ଗ ଲାଏ’ ତାଙ୍କର କିଛି ଅନନ୍ୟ କୃତି ଯାହା ତାଙ୍କୁ ବିଜ୍ଞାପନ ଦୁନିଆରେ ଅମର କରିଥିଲା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମଧ୍ୟ ସେ କାମ କରିଥିଲେ। ୨୦୧୪ ନିର୍ବାଚନ ସମୟରେ ଲୋକପ୍ରିୟ ‘ଅବ୍‌ କି ବାର୍, ମୋଦୀ ସରକାର’ ସ୍ଲୋଗାନ ମଧ୍ୟ ପୀୟୂଷ ଲେଖିଥିଲେ। ପ୍ରଥମେ ସେ ଏଥିପାଇଁ କାମ କରିବାକୁ ରାଜି ହୋଇନଥିଲେ। କିନ୍ତୁ ମୋଦୀଙ୍କ ସହ କଥା ହେବା ପରେ କାମ କରିବାକୁ ସେ ସହମତ ହୋଇଥିଲେ। ବିଜ୍ଞାପନ ଦୁନିଆ ବ୍ୟତୀତ ଅଳ୍ପ କିଛି ସମୟ ପାଇଁ ସେ ସିନେମା ଦୁନିଆ ସହ ଯୋଡ଼ିହୋଇଥିଲେ। ୨୦୧୩ରେ ଜନ୍ ଆବ୍ରାହମଙ୍କ ‘ମାଡ୍ରାସ୍‌ କାଫେ’ ସିନେମାରେ ସେ ଅଭିନୟ କରିଥିଲେ। ଚର୍ଚ୍ଚିତ ଦେଶାତ୍ମବୋଧକ ସଙ୍ଗୀତ ‘ମିଲେ ସୁର ମେରା ତୁମ୍ଭାରା’ର ସେ ଥିଲେ ଗୀତିକାର। ବିଜ୍ଞାପନ ଦୁନିଆ ପ୍ରତି ‌ଉଲ୍ଲେଖନୀୟ ଯୋଗଦାନ ପାଇ ଶ୍ରୀ ପାଣ୍ଡେଙ୍କୁ ୨୦୧୬ରେ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ।