ବିବାଦରେ କଂପାନିଙ୍କ ବିଜ୍ଞାପନ: ସଂସ୍କୃତି, ହିନ୍ଦୁ ବିରୋଧୀ କହି ନିନ୍ଦା କରାଯାଉଛି
ଡାବର୍ ପ୍ରତ୍ୟାହାର କଲା କର୍ୱା ଚୌଥ୍ ବିଜ୍ଞାପନ
ନୂଆଦିଲ୍ଲୀ: ନିଜ ଉତ୍ପାଦ ଓ ସେବା ପ୍ରତି ଗ୍ରାହକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କଂପାନିଗୁଡ଼ିକ ପ୍ରସ୍ତୁତ କରୁଥିବା ଅଭିନବ ବିଜ୍ଞାପନକୁ ଦେଶରେ କିିଛି ଲୋକ ଟାର୍ଗେଟ୍ କରୁଛନ୍ତି। ବିଶେଷ କରି ଭାରତୀୟ ସଂସ୍କୃତିର ବିବିଧତାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବା ଲାଗି ବିଜ୍ଞାପନ ପ୍ରସ୍ତୁତ କରୁଥିବା କଂପାନିଗୁଡ଼ିକ ତୀବ୍ର ସମାଲୋଚନାର ଶିକାର ହେଉଛନ୍ତି। ପ୍ରବଳ ଚାପ ଯୋଗୁଁ ବାଧ୍ୟ ହୋଇ ସେମାନେ ନିଜର ବିଜ୍ଞାପନକୁ ପ୍ରତ୍ୟାହାର କରୁଛନ୍ତି। ଏଭଳି ସମାଲୋଚନାର ସଦ୍ୟତମ ଶିକାର ହୋଇଥିବା କଂପାନି ହେଉଛି ଡାବର୍। ଦୁଇ ଜଣ ଯୁବତୀଙ୍କୁ ନେଇ କର୍ୱା ଚୌଥ୍ ଉପରେ କଂପାନି ପ୍ରସ୍ତୁତ କରିଥିବା ବିଜ୍ଞାପନକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି। ମଧ୍ୟପ୍ରଦେଶର ମନ୍ତ୍ରୀ ତଥା ବିଜେପି ନେତା ନରୋତ୍ତମ ମିଶ୍ର ମଧ୍ୟ କଂପାନିକୁ ଧମକ ଦେଇଛନ୍ତି। ଫଳରେ ବାଧ୍ୟ ହୋଇ କଂପାନି ଏହାର ବିଜ୍ଞାପନକୁ ପ୍ରତ୍ୟାହାର କରିଛି। ଲୋକମାନଙ୍କ ଭାବାବେଗକୁ ଆଘାତ ପହଞ୍ଚିଥିବାରୁ କଂପାନି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।
ଡାବର୍ ପକ୍ଷରୁ ଏହାର ଉତ୍ପାଦ ‘ଫେମ୍’କୁ ନେଇ କର୍ୱା ଚୌଥ୍ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଦୁଇ ଜଣ ଯୁବତୀ ପରସ୍ପର ଆଡ଼କୁ ମୁହଁ କରି କଥାବାର୍ତା ହେଉଥିବା ଦେଖାଯାଇଛି। ଏହି ବିଜ୍ଞାପନକୁ ଏଭଳି ଭାବେ ପ୍ରସ୍ତୁତ କରାଯାଉଛି ଯେଉଁଥିରୁ ଏହି ଧାରଣା ସୃଷ୍ଟି ହେଉଛି ଯେ ସେମାନେ ହେଉଛନ୍ତି ସମଲିଙ୍ଗୀ ସାଥୀ। ସେଥିପାଇଁ ଏହି ବିଜ୍ଞାପନକୁ ନିନ୍ଦା କରାଯାଉଛି। କିନ୍ତୁ ବହୁ ଲୋକ ଏହି ବିଜ୍ଞାପନକୁ ପ୍ରଶଂସା ମଧ୍ୟ କରିଛନ୍ତି। ସମସ୍ତେ ସମାନ ବୋଲି ଜଣାଇବା ଲାଗି ଡାବର୍ର ଏହି ଉଦ୍ୟମ ପ୍ରଶଂସନୀୟ ବୋଲି ସେମାନେ କହିଛନ୍ତି। କିନ୍ତୁ ଅନ୍ୟ ଏକ ବର୍ଗ ବିଜ୍ଞାପନକୁ କଡ଼ା ନିନ୍ଦା କରିଛନ୍ତି। ବଡ଼ଦିନ ଓ ଇଦ୍ କିମ୍ବା ଅନ୍ୟ କୌଣସି ପର୍ବ ସମୟରେ କଂପାନି କାହିଁକି ଏଭଳି ବିଜ୍ଞାପନ ପ୍ରସ୍ତୁତ କରୁନାହାନ୍ତି? ହିନ୍ଦୁ ଉତ୍ସବକୁ କାହିଁକି ଟାର୍ଗେଟ୍ କରାଯାଉଛି ବୋଲି ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ପ୍ରଶ୍ନ କରିଛନ୍ତି।
ଗତବର୍ଷ ଦୀପାବଳି ସମୟରେ ଏକ ବିଜ୍ଞାପନ ଲାଗି ତନିସ୍କ ମଧ୍ୟ ତୀବ୍ର ବିରୋଧ ସାମ୍ନା କରିଥିଲା ଓ ନିଜ ବିଜ୍ଞାପନ ହଟାଇବାକୁ କଂପାନି ବାଧ୍ୟ ହୋଇଥିଲା। ଚଳିତ ବର୍ଷ ମାନ୍ୟବର ଓ ଫ୍ୟାବ୍ଇଣ୍ଡିଆର ବିଜ୍ଞାପନ ସେଭଳି ସମାେଲାଚନାର ଶିକାର ହୋଇଛନ୍ତି। ଫ୍ୟାବ୍ଇଣ୍ଡିଆ ଏହାର ବିଜ୍ଞାପନ ପ୍ରତ୍ୟାହାର କରିଥିଲା। ଫ୍ୟାବ୍ଇଣ୍ଡିଆ ଏହାର ନୂତନ ପୋଷାକ ସମ୍ଭାର ନାମ ‘ଜସ୍ନ ଏ ରିୱାଜ୍’ ରଖିଥିଲା ଯାହାକୁ ସୋସିଆଲ୍ ମିଡିଆରେ ତୀବ୍ର ସମାଲୋଚନା କରାଯାଇଥିଲା। କର୍ଣ୍ଣାଟକର ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ମଧ୍ୟ କଂପାନିକୁ ତୀବ୍ର ସମାଲୋଚନା କରିଥିଲେ। ସବୁଜ ଦୀପାବଳି ପାଳନ କରିବା ଲାଗି ସିଏଟ୍ ଟାୟାର ବିଜ୍ଞାପନରେ ଦିଆଯାଇଥିବା ବାର୍ତାକୁ ମଧ୍ୟ କଡ଼ା ସମାଲୋଚନା କରାଯାଉଛି। ଏହି ବିଜ୍ଞାପନରେ ଅମିର ଖାନ୍ ଅଭିନୟ କରିଛନ୍ତି। କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ କୁମାର ହେଗ୍ଡେ କହିଛନ୍ତି ଯେ ବିଜ୍ଞାପନରେ ଦିଆଯାଇଥିବା ବାର୍ତା ହିନ୍ଦୁ ବିରୋଧୀ। ଗତ ସେପ୍ଟେମ୍ବରରେ ଆଲିୟା ଭଟ୍ଟଙ୍କୁ ନେଇ ମାନ୍ୟବର ତରଫରୁ ପ୍ରସ୍ତୁତ କରାଯାଇଥିବା ‘କନ୍ୟାଦାନ’ ବିଜ୍ଞାପନକୁ ମଧ୍ୟ କଡ଼ା ସମାଲୋଚନା କରାଯାଇଥିଲା।