ମିଥ୍ୟା ଖବରରୁ ଦୂରେଇ ରହିବା ଲାଗି ପରାମର୍ଶ

କୋଲକାତା: ସାରା ଦୁନିଆ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଲଢ଼ୁଥିବା ବେଳେ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ମିଥ୍ୟା ଖବର ସରକାରଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି। ଏହି ସମୟରେ ପ୍ରଚାରିତ ହେଉଥିବା ମିଥ୍ୟା ଖବରକୁ ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି ଓ ତାହାକୁ ‘ଇନ୍‌ଫୋଡେମିକ୍’ କୁହାଯାଇଛି। ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ପ୍ରଚାରକୁ ରୋକିବା ଲାଗି ଭାରତ ସରକାରଙ୍କ ତରଫରୁ ଫେସବୁକ୍, ୟୁଟ୍ୟୁବ୍, ଟିକ୍‌ଟକ୍, ସେୟାରଚାଟ୍‌ ଓ ଟ୍ବିଟର୍‌ ଭଳି ସଂସ୍ଥା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ତୁରିୟା କମ୍ୟୁନିକେସନ୍ସର ସହ ପ୍ରତିଷ୍ଠାତ୍ରୀ ସନ୍ଧ୍ୟା ସୁତୋଦିଆ କହିଛନ୍ତି, ଅଧିକାଂଶ ଲୋକ କୌତୁକ ପାଇଁ ମିଥ୍ୟା ଖବର ପ୍ରଚାର କରନ୍ତି। ସୋସିଆଲ ମିଡିଆରେ କେଉଁଟି ମିଥ୍ୟା ଖବର ତାହା ଜାଣିବା ପାଇଁ ସେ କେତେକ ପରାମର୍ଶ ଦେଇଛନ୍ତି। ସୂଚନା ପାଇବା ମାତ୍ରେ ତାହାର ଉତ୍ସକୁ ନେଇ ପ୍ରଶ୍ନ କରିବା, ସଂସ୍ଥାର ଲୋଗୋ ଦେଖିବା, ବ୍ୟାକରଣ ଅଶୁଦ୍ଧି ଦେଖିବା ଆଦି ଦ୍ବାରା ମିଥ୍ୟା ଖବର ଚିହ୍ନଟ କରାଯାଇପାରିବ। ତଥ୍ୟ ଯାଞ୍ଚ ବେଳେ ଉପଯୁକ୍ତ ୱେବସାଇଟ୍‌କୁ ବ୍ୟବହାର କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। କୋଭିଡ୍‌-୧୯ ବିଷୟରେ ଠିକ୍ ସୂଚନା ପାଇବାକୁ ହେଲେ ସରକାରୀ ୱେବସାଇଟ୍‌, ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ସେହିଭଳି ଗୁରୁତ୍ବପୂର୍ଣ ଲୋକପ୍ରିୟ ଜାତୀୟ ଓ ଅନ୍ତର୍ଜାତୀୟ ୱେବସାଇଟ୍‌ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି। ତୁରିୟା କମ୍ୟୁନିକେସନ ଜରିଆରେ ମଧ୍ୟ କୋଭିଡ୍‌-୧୯ ସମ୍ପର୍କିତ ବିଶ୍ବାସଯୋଗ୍ୟ ତଥ୍ୟ ପ୍ରଦାନ କରାଯାଉଛି। ଆଗ୍ରହୀ ବ୍ୟକ୍ତି କିମ୍ବା ସଂସ୍ଥା turiyacommunications.com ପରିଦର୍ଶନ କରିପାରିବେ।

ସମ୍ବନ୍ଧିତ ଖବର