ପେଟ୍ରୋଲ୍‌ଠାରୁ ଶସ୍ତା ବିମାନ ଇନ୍ଧନ

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିବା ବିମାନର ଇନ୍ଧନ ମୂଲ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଠାରୁ କମ୍ ହୋଇଛି। ବିମାନରେ ବ୍ୟବହାର ହେଉଥିବା ଆଭିଏସନ୍ ଟର୍ବାଇନ୍‌ ଫୁଏଲ୍‌ (ଏଟିଏଫ୍) ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରାଯିବା ପରେ ଏହାର ମୂଲ୍ୟ ୨.୬% ହ୍ରାସ ପାଇଛି। ରାସ୍ତା ଉପରେ ଗଡ଼ୁଥିବା ସାଧାରଣ ଅଟୋରିକ୍ସାରେ ବ୍ୟବହାର ହେଉଥିବା ଡିଜେଲ୍ ମୂଲ୍ୟ ଠାରୁ ବିମାନ ଇନ୍ଧନ ଶସ୍ତା ହୋଇଯାଇଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କିଲୋଲିଟର ଏଟିଏଫ୍‌ର ମୂଲ୍ୟ ହେଉଛି ୭୨,୬୦୫ ଟଙ୍କା। ଏଥିରେ ୧୯୦୬୨ ଟଙ୍କାର ହ୍ରାସ ପାଇଛି। କିଲୋଲିଟରକୁ ଯଦି ଲିଟରରେ ଭାଗ କରାଯିବ ତେବେ ଏକ ଲିଟର ଏଟିଏଫ୍‌ର ମୂଲ୍ୟ ହେଉଛି ୭୨ ଟଙ୍କା ୬୦ ପଇସା। ଏହା ପେଟ୍ରୋଲ୍ ଓ ଡ‌ିଜେଲ୍‌ର ଲିଟର ପିଛା ଦର ଠାରୁ ବହୁତ କମ୍ ବୋଲି କୁହାଯାଇପାରିବ।
ଜାତୀୟ ସ୍ତରରେ ପେଟ୍ରୋଲ୍‌ର ଲଟର ପିଛା ଦର ୮୨ ଟଙ୍କାରୁ ଅଧିକ ଓ ଡିଜେଲ୍ ଦର ୭୪ ଟଙ୍କାରୁ ଅଧିକ ସ୍ତରରେ ରହିଛି। ଗତକାଲି କେନ୍ଦ୍ର ସରକାର ଏଟିଏଫ୍ ଉପରେ ଲଗାଯାଇଥିବା ଉତ୍ପାଦନ ଶୁଳ୍କକୁ ୧୪%ରୁ ହ୍ରାସ କରି ୧୧% କରିଥିଲେ। ଇନ୍ଧନ ମୂଲ୍ୟରେ ହୋଇଯିବା ବୃଦ୍ଧିରୁ ବିମାନ କଂପାନିଗୁଡ଼ିକୁ କିଛିଟା ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କିଛି ଦିନ ତଳେ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ମଧ୍ୟ କେନ୍ଦ୍ର ସରକାର ଅଢ଼େଇ ଟଙ୍କାର ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ।

ଲିଟର ପ୍ରତି ଦର
ଇନ୍ଧନ ଦାମ୍(ଟ.)
ଏଟିଏଫ୍ ୭୨.୬୦
ପେଟ୍ରୋଲ୍‌ ୮୨.୩୬
ଡିଜେଲ୍ ୭୪.୬୨

ସମ୍ବନ୍ଧିତ ଖବର