ଭୁବନେଶ୍ବର: ଟାଟା ପାୱାର୍ର ସହାୟକ କମ୍ପାନି ଟାଟା ପାୱାର ରିନୁଏବଲ୍ ଏନର୍ଜି ଲିମିଟେଡ୍ (ଟିପିଆର୍ଇଏଲ୍) ପକ୍ଷରୁ ଓଡ଼ିଶାରୁ ସୁଲଭ ରୁଫଟପ୍ ସୋଲାର୍ ଯୋଜନା ଆରମ୍ଭ କରାଯାଇଛି। ଟାଟା ପାୱାର୍ର ଏମ୍ଡି ଓ ସିଇଓ ଡ. ପ୍ରବୀର ସିହ୍ନା ଓ ଟାଟା ପାୱାର ରିନୁଏବଲ୍ ଏନର୍ଜିର ସିଇଓ ସଞ୍ଜୟ ବାଙ୍ଗା ନୂଆ ସମାଧାନ ଉନ୍ମୋଚନ କରିଛନ୍ତି। କମ୍ପାନି ପକ୍ଷରୁ ୩-୫ ବର୍ଷ ମଧ୍ୟରେ ରାଜ୍ୟର ୩ ଲକ୍ଷ ପରିବାର ନିକଟରେ ସୌର ଶକ୍ତି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ଦୃଷ୍ଟିରେ ରଖି କମ୍ପାନି ଏହାର ‘ଘର ଘର ସୋଲାର’ ଅଭିଯାନ ଅଧୀନରେ ତିନିଟି ବିକଳ୍ପ ଆରମ୍ଭ କରିଛି।
ସେଥିରେ ୧ କେଡବ୍ଲ୍ୟୁ ବ୍ୟବସ୍ଥା ପାଇଁ ପ୍ରାରମ୍ଭିକ ଅପ୍ଫ୍ରଣ୍ଟ ମୂଲ୍ୟ ୨୪୯୯ ଟଙ୍କା, ୨ କେଡବବ୍ଲ୍ୟୁ ପାଇଁ ୪୯୯୯ ଟଙ୍କା ଓ ୩ କେଡବ୍ଲୁ ପାଇଁ ଦାମ୍ ୭୯୯୯ ଟଙ୍କା ରଖାଯାଇଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ରୁଫ୍ଟପ୍ ସୋଲାରର ଏକ ତୃତୀୟାଂଶ ରାଶି ଦେଇ ନିଜ ଘରେ ସୌର ଶକ୍ତି ବ୍ୟବସ୍ଥା ଲଗାଇପାରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ ଗ୍ରାହକମାନେ କେନ୍ଦ୍ର ସରକାରଙ୍କଠାରୁ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ଓ ରାଜ୍ୟ ସରକାରଙ୍କଠାରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇପାରିବେ। ରାଜ୍ୟରେ କମ୍ପାନିର ଆବାସିକ ଗ୍ରାହକ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇ ୪୩୦ରୁ ବଢ଼ି ୧୭୫୯ରେ ପହଞ୍ଚିଛି। ୨୦୨୪-୨୫ରେ କମ୍ପାନି ୧୦୩୩ ନୂଆ ରୁଫ୍ଟପ୍ ସୋଲାର ଗ୍ରାହକ ହାସଲ କରିଥିଲା। ଏହି ବର୍ଷ କମ୍ପାନି ବାଣିଜ୍ୟ ଓ ଶିଳ୍ପ ବର୍ଗରେ ୭୬ ଗ୍ରାହକ ହାସଲ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ୫୬ ଗ୍ରାହକ ତୁଳନାରେ ଅଧିକ।