ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

ଭୁବନେଶ୍ବର: ଆସନ୍ତା ଏକ ବର୍ଷ ଭିତରେ ରାଜ୍ୟର ଦୁଇଟି ଜିଲ୍ଲା କଟକ ଓ ବଲାଙ୍ଗୀରକୁ ଶତ ପ୍ରତିଶତ ଡିଜିଟାଲ୍ ଜିଲ୍ଲାରେ ପରିଣତ କରାଯିବ। ଏହି ଦୁଇ ଜିଲ୍ଲାରେ ସବୁ ଲୋକ ଏବଂ ବ୍ୟବସାୟୀଙ୍କ ପାଖରେ ଡିଜିଟାଲ୍ କାରବାର କରିବା ଲାଗି ସବୁ ପ୍ରକାର ସାଧନ ଉପଲବ୍ଧ ହେବ। ସବୁ ଲୋକଙ୍କ ପାଖରେ ଡିଜିଟାଲ୍ କାରବାର ଲାଗି ଏଟିଏମ୍ କାର୍ଡ ଠାରୁ ଆରମ୍ଭ କରି ମୋବାଇଲ୍ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ କିଛି ନା କିଛି ସାଧନ ରହିବ। ଏହା ବ୍ୟତୀତ ବ୍ୟବସାୟୀ ଓ ଦୋକାନୀ ସମେତ ପେମେଣ୍ଟ୍‌ ଗ୍ରହଣ କରାଯାଉଥିବା ସଂସ୍ଥାଗୁଡ଼ିକୁ ପଏଣ୍ଟ୍‌ ଅଫ୍‌ ସେଲ୍ (ପିଓଏସ୍‌) ମେସିନ୍ ପ୍ରଦାନ କରାଯିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ବଲାଙ୍ଗୀରକୁ ଶତ ପ୍ରତିଶତ ଡିଜିଟାଲ୍ ଜିଲ୍ଲାରେ ପରିଣତ କରାଯିବ। ସେହିପରି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ତରଫରୁ କଟକକୁ ଡିଜିଟାଲ୍ ଜିଲ୍ଲା‌ରେ ପରିଣତ କରାଯିବ ବୋଲି ୟୁକୋ ବ୍ୟାଙ୍କର ଡିଜିଏମ୍ ତଥା ଏସ୍‌ଏଲ୍‌ବିସିର ସଂଯୋଜକ ଦେବାଶିଷ ପଟ୍ଟନାୟକ କହିଛନ୍ତି।

ସେହି ସମୟରେ, ଆଜି ଆହ୍ଲାବାଦ ବ୍ୟାଙ୍କ ତରଫରୁ ଘୋଷଣା କରାଯାଇଛି ଯେ, ଆସନ୍ତା ୨୩ ଓ ୨୪ ତାରିଖରେ ଯାଜପୁରରେ ବ୍ୟାଙ୍କ ତରଫରୁ ଗ୍ରାହକ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେତେ ସମ୍ଭବ ସେତେ ଗ୍ରାହକଙ୍କୁ ସେଠାରେ ଋଣ ମଞ୍ଜୁର କରିବା ଲାଗି ଉଦ୍ୟମ କରାଯିବ ବୋଲି ବ୍ୟାଙ୍କର ଜୋନାଲ୍ ମୁଖ୍ୟ ସନ୍ଦୀପ କୁମାର ଘୋଷାଲ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ବ୍ୟାଙ୍କର କାରବାର ୯୦୦୦ କୋଟି ଟଙ୍କା ରହିଛି ଯେଉଁଥିରୁ ଜମା ପରିମାଣ ୪୫୦୦ କୋଟି ଟଙ୍କା ରହିଥିବା ବେଳେ ଅଗ୍ରୀମ ଭାଗ ୫୦୦୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର