କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହନିର୍ମାଣ ଅଗ୍ରୀମ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବାର ୧ ବର୍ଷ ପରେ କେନ୍ଦ୍ର ସରକାର ଏବେ ଚାକିରିଆଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଦେବାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ୮.୫୦ ପ୍ରତିଶତ ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ କରିପାରିବେ। ସପ୍ତମ ବେତନ ଆୟୋଗ ଲାଗୁ କରି କର୍ମଚାରୀମାନଙ୍କର ବେତନ ବଢ଼ାଇବା ପରେ ସରକାର ଏବେ କର୍ମଚାରୀମାନଙ୍କୁ ହାଉସ୍‌ ବିଲଡିଂ ଆଡଭାନ୍ସ(ଏସ୍‌ବିଏ) କ୍ଷେତ୍ରରେ ଏପରି ସାହାଯ୍ୟ କରିବାର ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସର୍ବାଧିକ ଋଣ ପରିମାଣ ଥିଲା ୭.୫୦ ଲକ୍ଷ। ସେଥିପାଇଁ ଦେବାକୁ ପଡୁଥିଲା ୬ରୁ ୯.୫୦ ପ୍ରତିଶତ ସୁଧ। ନୂତନ ଏସ୍‌ବିଏ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାରୀ ଚାକିରିଆମାନେ ଏବେ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇ ପାରିବେ ବୋଲି ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।

ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ଯେ ଯଦି ଜଣେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ରୁ ୨୫ ଲକ୍ଷ ଟଙ୍କାର ଋଣ ୨୦ ବର୍ଷ ପର୍ଯ୍ୟନ୍ତ ୮.୩୫(କମ୍ପୋନେଣ୍ଟ୍‌ ଇଣ୍ଟରେଷ୍ଟ୍‍) ପ୍ରତିଶତ ସୁଧ ହାରରେ ନେଉଛନ୍ତି ତେବେ ଏହାର କିସ୍ତି ୨୧,୪୫୯ରୁ ଆରମ୍ଭ ହୋଇଥାଏ। ୨୦ ବର୍ଷ ପରେ ସମୁଦାୟ ତାଙ୍କୁ ୫୧.୫୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଏଥିସହିତ କମ୍ପୋନେଣ୍ଟ୍‌ ସୁଧ ଦେବାକୁ ହୋଇଥାଏ ୨୬.୫୦ ଲକ୍ଷ।

ମାତ୍ର ସମାନ ପରିମାଣର ଋଣ ସରାକାରଙ୍କ ଏସ୍‌ବିଏ ଯୋଜନା ଅନୁସାରେ ନେଲେ, ୨୦ ବର୍ଷ ପର୍ଯ୍ୟନ୍ତ ସୁଧ ଦେବାକୁ ହେବ ୮.୫୦(ସିମ୍ପଲ୍‌ ଇଣ୍ଟରେଷ୍ଟ୍‍) ପ୍ରତିଶତ। ୨୦ ବର୍ଷ ପରେ ୧୫ ବର୍ଷ ପର୍ଯ୍ୟନ୍ତ ମାସକ କିସ୍ତି ଦେବାକୁ ହେବ ୧୩, ୮୯୦ ଏବଂ ଶେଷରେ ୨୬,୪୧୧ ବାକି ସମୟ ପାଇଁ ଦେବାକୁ ହେବ। ସମୁଦାୟ ୪୦.୮୪ ଲକ୍ଷ ଟଙ୍କା ଦେବା ସହ କମ୍ପୋନେଣ୍ଟ ସୁଧ ଦେବାକୁ ହେବ ୧୫.୮୪ ଲକ୍ଷ।

 

ସମ୍ବନ୍ଧିତ ଖବର