ଧାରା ୩୭୦ ଉଚ୍ଛେଦ ପରେ, ଶିଳ୍ପ ଜଗତରେ ଉତ୍ସାହ

ହେଲ୍‌ମେଟ୍ କାରଖାନା ବସାଇବ ଷ୍ଟିଲ୍‌ବାର୍ଡ, ସରକାରଙ୍କୁ ୭ କୋଟି ବ୍ୟବସାୟୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଜମ୍ମୁ ଓ କଶ୍ମୀରର ଅର୍ଥନୀତି ବାହାର ଦୁନିଆ ପାଇଁ ଉନ୍ମୁକ୍ତ ହେବାର ବାଟ ଫିଟିଛି। ‌ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁନାହିଁ ଦେଶର ଶିଳ୍ପ ଜଗତ। ପର୍ଯ୍ୟଟନ ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କାରବାର କରୁଥିବା କଂପାନିଗୁଡ଼ିକ ଜମ୍ମୁ ଓ କଶ୍ମୀରକୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି।ପ୍ରଥମ କଂପାନି ଭାବେ ଷ୍ଟିଲ୍‌ବାର୍ଡ ପକ୍ଷରୁ ଜମ୍ମୁ ଓ କଶ୍ମୀରରେ ଏକ ହେଲ୍‌ମେଟ୍ କାରଖାନା ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଛି। କଂପାନିର ଅଧ୍ୟକ୍ଷ ସୁଭାଷ କପୁର ଏହି ସୂଚନା ଦେଇଛନ୍ତି। ‌ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ମଧ୍ୟ ଧାରା ୩୭୦ ଉଚ୍ଛେଦ ପଦକ୍ଷେପକୁ ସ୍ବାଗତ କରିଛି। ମହାସଂଘ କହିଛି ଯେ, ଏହା ଦ୍ବାରା ଜମ୍ମୁ ଓ କଶ୍ମୀରର ପ୍ରଗତି ହେବ। ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ। ସେଠାରେ ପୂର୍ବରୁ ଲଗାଯାଇଥିବା ସବୁ ପ୍ରକାର ଟୋଲ୍‌ ଟିକସ ହଟିଯିବ। ଏହି ଟିକସ ହଟାଇବାକୁ ଆମେ ବହୁ ଦିନରୁ ଦାବି କରୁଥିଲୁ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ଲାଗି କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ମହାସଂଘ ଅଧୀନରେ ଥିବା ୭ କୋଟି ବ୍ୟବସାୟୀ ସ୍ବାଗତ କରିଛନ୍ତି।

ଅକ୍ଟୋବରରେ ନିବେଶକ ସମ୍ମିଳନୀ
ଜମ୍ମୁ ଓ କଶ୍ମୀର ପ୍ରତି ଘରୋଇ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଚଳିତ ବର୍ଷ ଅକ୍ଟୋବରରେ‌ ସେଠାରେ ଏକ ବିଶ୍ବ ସ୍ତରୀୟ ନିବେଶକ ସମ୍ମିଳନୀ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ଉଦ୍‌ଘାଟନ କରିବେ। ଦେଶବିଦେଶର ପ୍ରମୁଖ ନିବେଶକମାନଙ୍କୁ ସେହି ସମ୍ମିଳନୀକୁ ଆମନ୍ତ୍ରଣ କରାଯିବ। ସମ୍ମିଳନୀରେ ସେଠାକାର ଅର୍ଥନୀତିରେ ଥିବା ସୁଯୋଗକୁ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ବିପୁଳ ସମ୍ଭାବନାର କ୍ଷେତ୍ର
ରିଅଲ ଇଷ୍ଟେଟ୍‌, ପର୍ଯ୍ୟଟନ, ହୋଟେଲ ଓ ଆତିଥେୟତା, ଖୁଚୁରା ବ୍ୟବସାୟ, ମନୋରଞ୍ଜନ, ଶିକ୍ଷା, ଔଷଧ କାରଖାନା, ଏଗ୍ରୋ ପ୍ରୋସେସିଂଳ, ଉଦ୍ୟାନ କୃଷି ଓ ସ୍ବାସ୍ଥ୍ୟ ସେବା।

ଅର୍ଥ ଆୟୋଗଙ୍କ ସୁପାରିସ ଲାଗୁ ହେବନି
ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରାଯାଇଥିବାରୁ ସେଠାରେ ଆଉ ଅର୍ଥ ଆୟୋଗଙ୍କ ସୁପାରିସ ଲାଗୁ ହେବ ନାହିଁ। ନିୟମ ଅନୁସା‌‌ରେ, କେନ୍ଦ୍ର ଶାସିତ ଅଞ୍ଚଳକୁ ଅର୍ଥ ମନ୍ତ୍ରଣାଳୟରୁ ସିଧାସଳଖ ପାଣ୍ଠି ମିଳିଥାଏ। କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ ଓ କାଶ୍ମୀର ଓ ଲାଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଟର୍ମ ଅଫ୍ ରେଫରେନ୍ସ କହୁଛି, ଏହାର ସୁପାରିସ କେବଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗୁ କରାଯିବ।

ଜମ୍ମୁ ଓ କଶ୍ମୀର ଅର୍ଥନୀତି ଏମିତି
କଶ୍ମୀର ଅର୍ଥନୀତି ବିଶେଷ କରି ପର୍ଯ୍ୟଟନ ଓ ଆନୁଷଙ୍ଗିକ ଶିଳ୍ପ ଉପରେ ନିର୍ଭରଶୀଳ। ରାଜ୍ୟର କିଛି ଭାଗରେ ଫଳ ଓ କୃ‌ଷିଜାତ ସାମଗ୍ରୀ କାରବାର ହେଉଛି। ଉଦ୍ଧମପୁର ଓ କଠୁଆ ଅଞ୍ଚଳରେ କାଚ, ପ୍ଲାଷ୍ଟିକ ଓ ଘର ତିଆରିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଉତ୍ପାଦନ କରିବାର କାରଖାନା ରହିଛି। ଜମ୍ମୁ ଓ କଶ୍ମୀର ଅର୍ଥନୀତି ପ୍ରତି ସେବା କ୍ଷେତ୍ରର ଅବଦାନ ସର୍ବାଧିକ ୫୬% ରହିଛି। ଶିଳ୍ପର ଅବଦାନ ୨୭.୮% ଥିବା ବେଳେ କୃଷି କ୍ଷେତ୍ରର ଅବଦାନ ୧୬% ରହିଛି। ପର୍ଯ୍ୟଟନ କ୍ଷେତ୍ରର ଅବଦାନ ୬.୯୮% ରହିଛି। ଏହା ବ୍ୟତୀତ ହସ୍ତତନ୍ତ, ହସ୍ତକଳା ଓ ପରିବହନ କ୍ଷେତ୍ରର ମଧ୍ୟ ରାଜ୍ୟ ଅର୍ଥନୀତି ପ୍ରତି ବିଶେଷ ଅବଦାନ ରହିଛି। ପାଖାପାଖି ୧ କୋଟି ୨୦ ଲକ୍ଷ ଲୋକ ବାସ କରୁଥିବା ଜମ୍ମୁ ଓ କାଶ୍ମୀରର ମୁଣ୍ଡପିଛା ଆୟ ୨୦୧୭-୧୮ରେ ୬୫,୬୧୫ ଟଙ୍କା ଥିଲା ଯାହା ଜାତୀୟ ମୁଣ୍ଡପିଛା ଆୟ ୯୮ ହଜାର ଟଙ୍କା ଠାରୁ ଯଥେଷ୍ଟ କମ୍। ଦାରିଦ୍ର୍ୟ ହାର କିନ୍ତୁ ରାଜ୍ୟରେ ବହୁତ କମ୍ ୧୦.୩୫% ରହିଛି ଯାହା ଜାତୀୟ ଦାରିଦ୍ର୍ୟ ହାର ୨୧%ର ପାଖାପାଖଇ ଅଧା। ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୨୨୫ ଟଙ୍କା ରହିଛି। ୨୦୧୧ ଜନ ଗଣନା ଅନୁସାରେ ସାକ୍ଷରତା ହାର ହେଉଛି ୬୭.୧୬%। ସହରାଞ୍ଚଳରେ ବେକାରୀ ହାର ୭୦% ଭଳି ଉଚ୍ଚ ସ୍ତରରେ ରହିଛି ଯାହା ଜାତୀୟ ହାର ୩୪%ର ଦୁଇ ଗୁଣାରୁ ଅଧିକ। ବିଗତ ପାଞ୍ଚ ବର୍ଷରେ ଜମ୍ମୁ ଓ କଶ୍ମୀରର ନିଜସ୍ବ ଟିକସ ୭୮% ବୃଦ୍ଧି ପାଇ ୧୧,୧୯୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଅଣ-ଟିକସ ରାଜସ୍ବ ୫୭୦୦ କୋଟି ଟଙ୍କାରେ ହୋଇଛି। ଏହା ସତ୍ତ୍ବେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣ ୭୭୨୦ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି। ୨୦୦୪-୦୫ ପୂର୍ବରୁ କଶ୍ମୀରବାସୀଙ୍କ ହାରାହାରି ମାସିକ ଆୟ ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟ ଠାରୁ ଅଧିକ ଥିଲା।

ସମ୍ବନ୍ଧିତ ଖବର