ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ୧୪ ଲକ୍ଷରୁ ଅଧିକ ସନ୍ଦେହଜନକ କାରବାର ହୋଇଥିଲା। ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଏହି କାରବାରଗୁଡ଼ିକ ବିଷୟରେ ସୂଚନା ଆର୍ଥିକ ଗୁଇନ୍ଦା ୟୁନିଟ୍ (ଏଫ୍‌ଆଇୟୁ)କୁ ପ୍ରଦାନ କରିଥିଲେ।ଏଫ୍‌ଆଇୟୁ ହେଉଛି ଦେଶର ସର୍ବୋଚ୍ଚ ଆର୍ଥିକ ଗୁଇନ୍ଦା ସଂସ୍ଥା। ଏହା ସନ୍ଦେହଜନକ କାରବାର, ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ପାଣ୍ଠି ଉପରେ ନଜର ରଖିଥାଏ। ଏଫ୍‌ଆଇୟୁ ତରଫରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ବିମୁଦ୍ରୀକରଣ ପରେ ସନ୍ଦେହଜନକ କାରବାର ପରିମାଣ ବହୁତ ବଢ଼ିଯାଇଥିଲା। ଚଉଦ ଲକ୍ଷରୁ ଅଧିକ କାରବାର ଉପରେ ବ୍ୟାଙ୍କଗୁଡ଼ିକର ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ସଂଖ୍ୟା ପୂର୍ବବର୍ଷ ତୁଳନାରେ ୧୪୦୦% ଅଧିକ ଥିଲା। ଏହି ରିପୋର୍ଟକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୩-୧୪ରେ ସନ୍ଦେହଜନକ କାରବାର ପରିମାଣ ୬୧,୯୫୩ ଥିଲା। ୨୦୧୪-୧୫ରେ ତାହା ୫୮,୬୪୬, ୨୦୧୫-୧୬ରେ ୧,୦୫,୯୭୩ ସ୍ତରରେ ପହଞ୍ଚିଥିଲା। ୨୦୧୭-୧୮ରେ ସନ୍ଦେହଜନକ କାରବାରରେ ତିନି ଗୁଣା ବୃଦ୍ଧି ହୋଇ ୪,୭୩,୦୦୬ରେ ପହଞ୍ଚିଥିଲା। ବିମୁଦ୍ରୀକରଣ ପରେ ତାହା ୧୪ ଲକ୍ଷ ସ୍ତର ଅତିକ୍ରମ କରିଯାଇଥିଲା।