ନୂଆଦିଲ୍ଲୀ: ବିଶ୍ବର ଦୁଇ ପ୍ରମୁଖ ଅନୁଷ୍ଠାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଆଇଏମ୍) ଓ ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ବଢ଼ିବ ବୋଲି କହିଛନ୍ତି। ଆଇଏମ୍ଏଫ୍‌ କହିଥିଲା ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୭ ପ୍ରତିଶତ ହାରରେ ଆଗକୁ ବଢ଼ିବ ଯାହା ଏହାର ପୂର୍ବ ଆକଳନ ୬.୮ ପ୍ରତିଶତ ତୁଳନାରେ ଅଧିକ। ଏବେ ବିଶ୍ବବ୍ୟାଙ୍କ ମଧ୍ୟ ସମାନ ଆକଳନ କରିଛି। ଭାରତର ଅଭିବୃଦ୍ଧି ୭ ପ୍ରତିଶତ ହେବ ବୋଲି ବିଶ୍ବବ୍ୟାଙ୍କ କହିଛି। ପୂର୍ବରୁ ଏହା କହିଥିଲା ଯେ ଭାରତର ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ। 

Advertisment

ଭାରତରେ ଘରୋଇ ଉପଯୋଗିତା ଓ ପୁଞ୍ଜିନିବେଶ ବଢ଼ୁଥିବାରୁ ଅଭିବୃଦ୍ଧି ଆହୁରି ବଢ଼ିବ ବୋଲି ବିଶ୍ବବ୍ୟାଙ୍କ ପୂର୍ବାନୁମାନ କରିଛି। ୨୦୩୦ ସୁଦ୍ଧା ୧ ଟ୍ରିଲିଅନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ଆଇଟି, ବ୍ୟବସାୟ ସେବା ଓ ଫାର୍ମା ସହିତ ବୟନ, ପୋଷାକ, ଜୋତା, ଇଲେକ୍ଟ୍ରୋନିକ୍ସ ଓ ସବୁଜ ପ୍ରଯୁକ୍ତି ଉତ୍ପାଦ ଉପ‌ରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିଶ୍ବବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଟାନୋ କୌମେ କହିଛନ୍ତି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ।