ରିଜର୍ଭ ବ୍ୟାଙ୍କ ପରେ ‘ସେବି’ ପାଣ୍ଠି ଉପରେ କେନ୍ଦ୍ରର ନଜର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ବଳକା ପାଣ୍ଠି ହାତେଇବାକୁ ଉଦ୍ୟମ କରୁଥିବା କେନ୍ଦ୍ର ସରକାର ଏବେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପାଣ୍ଠି ଉପରେ ନଜର ପକାଇଛନ୍ତି। ସେବି ଭଣ୍ଡାରରେ ଥିବା ବଳକା ପାଣ୍ଠି ହାସଲ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସେଥିପାଇଁ ଅର୍ଥ ବିଲ୍‌ରେ ସଂ‌ଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ ସେବି ବିରୋଧ କରୁଛି।
ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀ ଅର୍ଥ ମନ୍ତ୍ରଣାଳୟକୁ ପତ୍ର ଲେଖିଛନ୍ତି। ସେବି ନିୟମ ୧୯୯୨ରେ ସଂଶୋଧନ ଆଣି ତାହାକୁ ପାଣ୍ଠିର ଏକ ଭଣ୍ଡାର ପ୍ରସ୍ତୁତ କରିବା ପାଇଁ ସରକାର ନିର୍ଦେଶ ଦେବାକୁ ଚାହୁଛନ୍ତି। ସେବି ପାଖରେ ଥିବା ସାଧାରଣ ପାଣ୍ଠିର ଏକ ପଞ୍ଚାମାଂଶ ଅର୍ଥ ପ୍ରତି ବର୍ଷ ନୂଆ ପାଣ୍ଠିରେ ଜମା ହେବ। ପ୍ରତି ଦୁଇ ବର୍ଷରେ ସେବି ଯେତିକି ଟଙ୍କା ଖର୍ଚ କରୁଛି ତା’ଠାରୁ ନୂଆ ଭଣ୍ଡାର ପାଣ୍ଠିର ପରିମାଣ କେବେବି ଅଧିକ ହୋଇପାରିବ ନାହିଁ। ଏକଥା ସରକାର ସ୍ପଷ୍ଟ କରିଦେଇଛନ୍ତି। ପ୍ରତିବର୍ଷ ସେବି ପକ୍ଷରୁ ଏହାର ସଦସ୍ୟ, କର୍ମଚାରୀ ଓ ଅଧିକାରୀଙ୍କୁ ଦରମା ଏବଂ ଭତ୍ତା ପ୍ରଦାନ କରାଯାଉଛି। ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଏହା ଟଙ୍କା ଖର୍ଚ କରୁଛି। ଏବେ ସେବି ପାଖରେ ଯେଉଁ ସାଧାରଣ ପାଣ୍ଠି ରହିଛି ତାହା ଉପରେ ଅନ୍ୟ କାହାର ଅଧିକାର ନାହିଁ। ମାତ୍ର ଅର୍ଥ ବିଲ୍‌ରେ ସଂଶୋଧନ ହୋଇଯିବା ପରେ ସାଧାରଣ ପାଣ୍ଠିର ପ୍ରତିଟି ବଳକା ଟଙ୍କାକୁ ସେବି ଅନ୍ୟ ପାଣ୍ଠିରେ ଜମା କରିବ। ଦୁଇଟି ଆର୍ଥିକ ବର୍ଷର ଖର୍ଚ ଠାରୁ ଯେତେ ଅଧିକ ଟଙ୍କା ସେହି ପାଣ୍ଠିରେ ଥିବ ତାହାକୁ ସରକାରଙ୍କୁ ଏହା ହସ୍ତାନ୍ତର କରିବାକୁ ବାଧ୍ୟ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେବିର ମୁଖ୍ୟ ଶ୍ରୀ ତ୍ୟାଗୀ ପତ୍ର ଲେଖି ଜଣାଇଛନ୍ତି ଯେ, ବଳକା ପାଣ୍ଠି ହସ୍ତାନ୍ତରକୁ ନେଇ ବଜେଟ୍‌ରେ ଯେଉଁ ପ୍ରସ୍ତାବ ରହିଛି ତାହା ସେବିର ସ୍ବାୟତ୍ତତା ପ୍ରତି ଆଞ୍ଚ ଆଣିବ। ସେବିର କର୍ମଚାରୀ ସଂଘ ତରଫରୁ ମଧ୍ୟ ସମାନ ଆଶଙ୍କା ପ୍ରକଟ କରି ଅର୍ଥମନ୍ତ୍ରୀଙ୍କୁ ଏକ ପତ୍ର ଲେଖାଯାଇଛି। ସେବି ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ପୁଞ୍ଜି ବଜାର କାରବାର ଭାଗ ନେଉଥିବା ସଂସ୍ଥା ଓ ନିବେଶକଙ୍କ ଉପରେ ଲାଗୁ କରାଯାଉଥିବା ଫି’। ସେହି ଫି’ ଜରିଆରେ ଯେତିକି ଆୟ ହେଉଛି ତାହା ସେବିର ଖର୍ଚ ତୁଲାଇବା ପାଇଁ ଯଥେଷ୍ଟ ହେଉଛି। ନିଜ ପରିଚାଳନା ପାଇଁ ସେବି କେବେବି ସରକାରଙ୍କୁ ଟଙ୍କା ମାଗିନାହିଁ। ମାତ୍ର ଏହା ପାଖରେ ଯେଉଁ ପାଣ୍ଠିର ଭଣ୍ଡାର ରହିଛି ସେଥିରୁ ଟଙ୍କା ଯଦି ସରକାରଙ୍କୁ ପ୍ରଦାନ କରାଯିବ ତେବେ ନିବେଶକ ଓ ବ୍ୟବସାୟୀଙ୍କ ଉପରେ ତାହା ଅତିରିକ୍ତ ଟିକସ ସଦୃଶ ହେବ ବୋଲି ସେବି କହିଛି। ସରକାରଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବା ଉପରେ ମନୋନିବେଶ କଲେ ଏଭଳି ଫି’ ଲଗାଇବାରେ ସେବିର ଯେଉଁ ସ୍ବାଧୀନତା ରହିଛି ତାହା ମଧ୍ୟ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର