ନୂଆଦିଲ୍ଲୀ: ତେଲେଙ୍ଗାନା ସରକାର କୃଷି ଋଣ ଛାଡ଼ କରିବା ପରେ ବିଭିନ୍ନ ରାଜ୍ୟରେ ଋଣ ଛାଡ଼ ଦାବି ଜୋର ଧରିଛି। ତେଲେଙ୍ଗାନାରେ ୩୧,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରାଯାଇଛି। ଚାଷୀମାନଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ହୋଇଛି। ଏବେ ପଞ୍ଜାବ ଓ ଝାଡ଼ଖଣ୍ଡରେ ଋଣ ଛାଡ଼ ଲାଗି ଦାବି ଉଠିଛି। ଝାଡ଼ଖଣ୍ଡ ସରକାର ଚାଷୀମାନଙ୍କ ୪୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରିବା ଉପରେ ବିଚାର କରୁଛନ୍ତି। ଋଣ ଛାଡ଼ ଘୋଷଣା ହେବା ପରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକର ସେୟାର ପ୍ରଭାବିତ ହୋଇଛି। ତେଲେଙ୍ଗାନାରେ ମାଇକ୍ରୋଫାଇନାନ୍ସ ଦେଇଥିବା ଋଣ ପରିମାଣ ସେମାନଙ୍କ ବକେୟାର ମାତ୍ର ୦.୭ ପ୍ରତିଶତ ଥିବା ବେଳେ ଝାଡ଼ଖଣ୍ଡରେ ସେହି ହାର ୩ ପ୍ରତିଶତ ରହିଛି। କିନ୍ତୁ ମହାରାଷ୍ଟ୍ରରେ ଏହି ହାର ୮-୧୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଯଦି କୃଷି ଋଣ ଛାଡ଼ ନିର୍ବାଚନ ପ୍ରତିଶ୍ରୁତିରେ ପରିଣତ ହେବ ତେବେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଆହୁରି ପ୍ରଭାବିତ ହେବା ଆଶଙ୍କା ରହିଛି।
ତେଲେଙ୍ଗାନା ସରକାର କୃଷି ଋଣ ଛାଡ଼ କରିବା ପରେ ପ୍ରାୟ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ ଏହା ଏକ ଦୀର୍ଘସ୍ଥାୟୀ ସମାଧାନ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ୨୦୧୮ରେ ପଞ୍ଜାବରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ସରକାର ୪୬୧୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ଫଳରେ ୫.୬୩ ଲକ୍ଷ ଚାଷୀ ଉପକୃତ ହୋଇଥିଲେ। ପଞ୍ଜାବର ଚାଷୀମାନେ କହିଛନ୍ତି ଯେ ପିଏମ୍-କିସାନ ଯୋଜନାରେ କେନ୍ଦ୍ର ସରକାର ଦେଉଥିବା ବାର୍ଷିକ ୬୦୦୦ ଟଙ୍କା ଚାଷୀଙ୍କ ଦୁର୍ଦ୍ଦଶା ଦୂର କରିବା ଲାଗି ଯଥେଷ୍ଟ ନୁହେଁ। ତେଣୁ କେନ୍ଦ୍ର ସରକାର କୃଷି ଋଣ ଛାଡ଼ ଘୋଷଣା କରନ୍ତୁ।