ଟ୍ବିଟର୍‌ ପରେ ଫେସ୍‌ବୁକ୍‌ରେ ହେବ ଛଟେଇ: ମସ୍କଙ୍କୁ ନିନ୍ଦା କଲେ ମନ୍ତ୍ରୀ ବୈଷ୍ଣବ

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ଟ୍ବିଟରକୁ କିଣିବା ପରେ କଂପାନିର ପ୍ରାୟ ୩୭୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ବିଶ୍ବର ଆଉ ଏକ ବୃହତ ସୋସିଆଲ ମିଡିଆ ସଂସ୍ଥା ମେଟା ଯାହା ଅଧୀନରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍‌ଆପ୍ ପରିଚାଳିତ ହେଉଛି ତାହା ଚଳିତ ସପ୍ତାହରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ବିଚାର କରୁଥିବା ଜଣାପଡ଼ିଛି।

୨୦୦୪ରେ ଫେସବୁକ୍‌ ନାମରେ କଂପାନିର ପ୍ରତି‌ଷ୍ଠା ହୋଇଥିଲା। ଏହା ପରେ ପ୍ରଥମ ଥର ଲାଗି କଂପାନିରେ ବ୍ୟାପକ ଛଟେଇ ହେବାକୁ ଯାଉଛି। ମେଟା ପାଇଁ ୮୭,୩୧୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସଂଖ୍ୟା କେତେ ହ୍ରାସ ପାଇବ ତାହା ଜଣାପଡ଼ିନାହିଁ। କିନ୍ତୁ ହଜାର ହଜାର କର୍ମଚାରୀ ଚାକିରି ହରାଇବେ ବୋଲି କୁହାଯାଉଛି। ମାର୍କ ଜୁକରବର୍ଗଙ୍କ ଦ୍ବାରା ପରିଚାଳିତ ମେଟା ଗତ କିଛି ମାସ ହେଲାଣି ଭଲ ପ୍ରଦର୍ଶନ କରୁନାହିଁ। ସେଥିପାଇଁ କଂପାନିର ପରିଚାଳନା କର୍ତ୍ତୃପକ୍ଷଙ୍କ ଉପରେ ନିବେଶକଙ୍କ ତରଫରୁ ଚାପ ରହିଛି। କଂପାନିର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଛଟେଇକୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ, ଟ୍ବିଟର ଭାରତରେ ଏହାର ୯୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି।

ଏଠାରେ କଂପାନିର ହାତଗଣତି ଡଜନେ କର୍ମଚାରୀ ରହିଛନ୍ତି। ଏଭଳି ବଡ଼ ଧରଣର ଛଟେଇ ପାଇଁ କଂପାନିର ନୂଆ ମାଲିକ ଏଲନ୍ ମସ୍କଙ୍କୁ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିନ୍ଦା କରିଛନ୍ତି। ଟ୍ବିଟର ପାଇଁ ଭାରତରେ ୨୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ। ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ବିକଳ୍ପ ବ୍ୟବସ୍ଥା କରିବା ଲାଗି କଂପାନି ଯଥେଷ୍ଟ ସମୟ ଦେବାର ଥିଲା ବୋଲି ବୈଷ୍ଣବ କହିଛନ୍ତି। ଆଉ ଏକ ଖବର ମିଳିଛି ଯେ ଟ୍ବିଟର ବିଦା କରିଥିବା କିଛି କର୍ମଚାରୀଙ୍କୁ ପୁଣି ଥରେ କର୍ମ କ୍ଷେତ୍ରକୁ ଫେରିବା ଲାଗି ଡାକିଛି। କେତେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅସୁବିଧା ଦେଖାଦେବା ପରେ କଂପାନି କିଛି କର୍ମଚାରୀଙ୍କୁ ଫେରିବାକୁ କହିଛି।

ଟ୍ବିଟରକୁ କିଣିବା ପରେ ସେଥିରେ ମସ୍କ ଯେଉଁ ପରିବର୍ତ୍ତନ କରୁଛନ୍ତି ତାହାକୁ ନେଇ କଂପାନିର ସହ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ଖୁସି ନାହାନ୍ତି। ପୂର୍ବରୁ ବାର୍ଡୱାଚ୍‌ ନାମରେ କଂପାନିର ଯେଉଁ ସୁବିଧା ଥିଲା ତାହାର ନାମକୁ ‘କମ୍ୟୁନିଟି ନୋଟସ୍‌’କୁ ପରିବର୍ତ୍ତନ କରିଛନ୍ତି ମସ୍କ। ‌ସେହି ନାମ ପରିବର୍ତ୍ତନକୁ ନେଇ ମସ୍କ ଏବଂ ଡୋର୍ଜିଙ୍କ ଭିତରେ ବଚସା ହୋଇଛି। ଟ୍ବିଟରରେ ହୋଇଥିବା ବ୍ୟାପକ ଛଟେଇ ପାଇଁ ଡୋର୍ଜି ପୂର୍ବରୁ କ୍ଷମା ମାଗିସାରିଛନ୍ତି।

ସମ୍ବନ୍ଧିତ ଖବର