ମତଦାନ ପରେ ଶିଳ୍ପପତିଙ୍କ ମତ:ମେଣ୍ଟ ସରକାର ମନ୍ଦ ନୁହେଁ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମୁମ୍ବାଇରେ ଭୋଟ ଦେଲେ

ମୁମ୍ବାଇ: ଦେଶରେ ମେଣ୍ଟ ସରକାର ଗଠନ ହେଲେ ଅର୍ଥନୀତି ପ୍ରଭାବିତ ହେବ। ଏ ନେଇ ସାଧାରଣରେ ଯେଉଁ ଧାରଣା ରହିଛି ତାହା ସହିତ ଦେଶର ପ୍ରମୁଖ ଶିଳ୍ପପତିମାନେ ସହମତ ନାହାନ୍ତି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଭୋଟ ଦେବା ପରେ ଏକାଧିକ ଶିଳ୍ପପତି କହିଛନ୍ତି, ଅର୍ଥନୀତି ପାଇଁ ମେଣ୍ଟ ସରକାର କିଛି ମନ୍ଦ ନୁହେଁ। ଅତୀତରେ ମେଣ୍ଟ ସରକାର ଦେଶକୁ ଉତ୍ତମ ଶାସନ ପ୍ରଦାନ କରିଛି। ତେଣୁ ମେଣ୍ଟ ସରକାର ଏହାକୁ ନେଇ ଭୟ କରିବାର କିଛି ନାହିଁ ବୋଲି ଶିଳ୍ପପତିମାନେ ମତ ଦେଇଛନ୍ତି।
ଦେଶରେ ଆଜି ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମୁମ୍ବାଇର ୬ଟି ଯାକ ଲୋକସଭା ଆସନରେ ମଧ୍ୟ ଭୋଟ ଗ୍ରହଣ ହୋଇଛି। ‌ମୁମ୍ବାଇ ମହାନଗର ଦ୍ବାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟରେ ଖୋଲିଥିବା ଭୋଟଦାନ କେନ୍ଦ୍ରରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କଠାରୁ ଆରମ୍ଭ କରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଜେଏସଡବ୍ଲ୍ୟୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ଭଳି ବ୍ୟକ୍ତି ମତଦାନ କରିଛନ୍ତି।
ଦକ୍ଷିଣ ମୁମ୍ବାଇରେ ଏକ ଭୋଟଦାନ କେନ୍ଦ୍ରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଭୋଟଦାନ କରିସାରିବା ପରେ ଏହା କହିଛନ୍ତି ଯେ ମେଣ୍ଟ ସରକାରଙ୍କୁ ନେଇ କୌଣସି ଭୟ ରହିବା ଉଚିତ ନୁହେଁ।
ଆମେ ସମସ୍ତେ ଅଭିବୃଦ୍ଧି ଓ ପ୍ରଗତିର ଭୂତାଣୁରେ ସଂକ୍ରମିତ ହୋଇ ସାରିଛୁ। ତେଣୁ ଯଦି ବି ମେଣ୍ଟ ସରକାର ଗଠନ ହୁଏ ତାହେଲେ ଏହା ସେହି ସମାନ ପଥରେ ଆଗକୁ ଅଗ୍ରସର ହେବ। ଏପରିକି ଏହା ଆମ ପାଇଁ ସୁବିଧାଜନକ ହେବ ବୋଲି ସେ ମତ ଦେଇଛନ୍ତି।
ଜେଏସ୍‌ଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମଧ୍ୟ ମେଣ୍ଟ ସରକାର ନେଇ ସକାରାତ୍ମକ ଭା‌ବନା ରଖିଛନ୍ତି। ଭୋଟଦାନ ପରେ ସେ କହିଛନ୍ତି, ‌ଅତୀତରେ କେନ୍ଦ୍ରରେ ଆମେ ମେଣ୍ଟ ସରକାର ଦେଖିଛେ। ମେଣ୍ଟ ସରକାର ଆମକୁ ଉତ୍ତମ ଶାସନ ଦେଇଛନ୍ତି। କୌଣସି ସମସ୍ୟା ଦେଖାଦେଇନାହିଁ। ଆମର ଗଣତନ୍ତ୍ର ଅତ୍ୟନ୍ତ ପରିପକ୍ବ। ତେଣୁ ମୁଁ ମେଣ୍ଟ ସରକାରଙ୍କୁ ନେଇ ଚିନ୍ତିତ ନାହିଁ ବୋଲି ସାମ୍ବାଦିକମାନଙ୍କୁ ଶ୍ରୀ ଜିନ୍ଦଲ କହିଛନ୍ତି।
ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ଏବଂ ସୁରକ୍ଷା‌ ଆଦି ପ୍ରସଙ୍ଗକୁ ସରକାର ଦେଖିବା ଉଚିତ। ନିରନ୍ତର ଅଭିବୃଦ୍ଧି ହାସଲ ପାଇଁ କେନ୍ଦ୍ରରେ ଏକ ସ୍ଥିର ସରକାରଙ୍କର ଆବଶ୍ୟକତା ରହିଛି ବୋଲି ଜିନ୍ଦଲ ମତ ଦେଇଛନ୍ତି।
ସେହିଭଳି ଗୋଦରେଜ୍ ଗ୍ରୁପ୍ ଅଧ୍ୟକ୍ଷ ଆଦି ଗୋଦରେଜ୍ କହିଛନ୍ତି, ଯେତେ‌ ପର୍ଯ୍ୟନ୍ତ ମେଣ୍ଟ ସରକାରରେ ଦୃଢ଼ ବନ୍ଧନ ରହିଛି ସେ ପର୍ଯ୍ୟନ୍ତ ଶିଳ୍ପର ଅଗ୍ରଗତି ଭଲ ରହିବ।
ସେହିଭଳି ଏଚଡିଏଫସି ମୁଖ୍ୟ ଦୀପକ ପାରେଖ ଭୋଟ ଦେଇ ସାରିବା ପରେ କହିଛନ୍ତି, ସ୍ଥାନୀୟ ପ୍ରସଙ୍ଗ ଯଦିଓ ନିର୍ବାଚନରେ ଅଧିକ ଗୁରୁତ୍ବ ରଖୁଛି ତଥାପି କେନ୍ଦ୍ରରେ ଏକ ସ୍ଥିର ସରକାର ସେ ଚାହାନ୍ତି।
ଶିଳ୍ପ ଓ ଉଦ୍ୟୋଗ ଜଗତର ଅନ୍ୟ ଯେଉଁମାନେ ଆଜି ଭୋଟ ଦେଇଥିବା ଦେଖିବାକୁ ମିଳିଛି ସେମାନଙ୍କ ମଧ୍ୟରେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍, ଅନିଲ ଅମ୍ବାନି, ବିଏସଇର ଆଶିଷ ଚୌହାନ, ମହିନ୍ଦ୍ରାର ଏମଡି ପୱନ ଗୋଏଙ୍କା, ବିଦେଶୀ ବ୍ରୋକରେଜ୍ ଫାର୍ମ ମର୍ଗାନ ଷ୍ଟାନଲିର ରିଦ୍ଧମ ଦେଶାଇ, ଏଲ୍ ଆଣ୍ଡ ଟିର ଅଧ୍ୟକ୍ଷ ଏ. ଏମ. ନାୟକ, ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋଏଲ ପ୍ରମୁଖ ରହିଛନ୍ତି।
ଏନ ଚନ୍ଦ୍ରଶେଖରନ୍ ତାଙ୍କ ପତ୍ନୀଙ୍କ ସହିତ ସକାଳେ ୱର୍ଲିର ଏକ ବୁଥ୍‌ରେ ମତଦାନ କରିଛନ୍ତି। ସେହିଭଳି କଫି ପରେଡ୍ ‌କେନ୍ଦ୍ରରେ ଅନିଲ ଅମ୍ବାନି, ବାନ୍ଦ୍ରାରେ ଏ. ଏମ. ନାୟକ ତାଙ୍କ ପତ୍ନୀଙ୍କ ସହିତ ଭୋଟ ଦେଇଛନ୍ତି।

ସମ୍ବନ୍ଧିତ ଖବର